ପୁରୀ: ପାଖେଇ ଆସୁଛି ପଞ୍ଚାୟତ ଓ ପୌର ନିର୍ବାଚନ । ଏନେଇ ବିଜୁ ଜନତା ଦଳ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଛି । ଶ୍ରୀକ୍ଷେତ୍ର ପୁରୀରୁ ଏହି ଅଭିଯାନ ଆରମ୍ଭ କରିଛି ବିଜେଡି । ପୌର ଓ ପଞ୍ଚାୟତ ନିର୍ବାଚନରେ ଦଳ କିଭଳି ବିପୁଳ ସଫଳତା ହାସଲ କରିବ, ଭୋଟରଙ୍କୁ କିଭଳି ହାତରେ ରଖି ହେବ, ବିରୋଧୀ ଦଳ ସରକାରଙ୍କ ବିପକ୍ଷରେ କରୁଥିବା ବିଭିନ୍ନ ଅପପ୍ରଚାରକୁ କିଭଳି ମୁକାବିଲା କରିହେବ ସେନେଇ ବରିଷ୍ଠ ନେତାମାନେ ଗୁରୁମନ୍ତ୍ର ପ୍ରଦାନ କରିବା ପାଇଁ ପୁରୀରେ ଆରମ୍ଭ ହୋଇଛି ବିଜୁ ଯୁବ ଛାତ୍ର ଜନତା ଦଳର ଦୁଇ ଦିନିଆ ପ୍ରଶିକ୍ଷଣ ଶିବିର ।
ବିଜେଡିର ପଞ୍ଚାୟତ ନିର୍ବାଚନ ପ୍ରସ୍ତୁତି, ଆରମ୍ଭ ହେଲା ପ୍ରଶିକ୍ଷଣ ଶିବିର ପୁରୀର ବାଲିଘାଇରେ ଆରମ୍ଭ ହୋଇଥିବା ଏହି ସ୍ୱତନ୍ତ୍ର ପ୍ରଶିକ୍ଷଣ ଶିବିରରେ ବିଜେଡିର ବହୁ ତୁଙ୍ଗ ନେତା ଯୋଗ ଦେଇଛନ୍ତି । ବିଜୁ ଜନତା ଦଳର ସଂଗଠନକୁ ଆହୁରି ମଜଭୁତ କରିବା ପାଇଁ ବିଜୁ ଯୁବ ଛାତ୍ର ଜନତା ଦଳ ପକ୍ଷରୁ ଏହି ରାଜ୍ୟସ୍ତରୀୟ ପ୍ରଶିକ୍ଷଣ ଶିବିର ଆୟୋଜନ ହୋଇଛି । 26 ଓ 27 ତାରିଖ ଦୁଇଦିନ ଧରି ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହେଉଛି । ଏହି 2 ଦିନିଆ ପ୍ରଶିକ୍ଷଣ ଶିବିରରେ ଯୁବ ଛାତ୍ର ଜନତା ଦଳର ସମସ୍ତ ରାଜ୍ୟ କର୍ମକର୍ତ୍ତା, ଜିଲ୍ଲା ସଭାପତି, ବ୍ଳକ, ଏନଏସି, ମ୍ୟୁନିସିପାଲିଟି ସ୍ତରୀୟ ସଭାପତିମାନେ ଉପସ୍ଥିତ ରହିଛନ୍ତି ।
ବିଜୁ ଜନତା ଦଳର ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଏହି କାର୍ଯ୍ୟକ୍ରମ ଅୟୋଜନ ହୋଇଛି । ଏଥିରେ ବିଜେଡିର ବହୁ ବରିଷ୍ଠ ନେତା ଯୋଗ ଦେଇ ଯୁବ ଛାତ୍ର ନେତାଙ୍କୁ ପ୍ରଶିକ୍ଷଣ ଦେବେ । ଆଗାମୀ ଦିନରେ ପଞ୍ଚୟତ ଓ ପୌର ନିର୍ବାଚନ ଥିବାରୁ ଏହି ପ୍ରଶିକ୍ଷଣ ଶିବିର ବିଜେଡି ଏକ ପ୍ରସ୍ତୁତି କାର୍ଯ୍ୟକ୍ରମ ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ହେଉଥିବା ବେଳେ ବିଜେଡି ଏହାକୁ ଖଣ୍ଡନ କରିଛି ।
ବିଜେଡି ଉପରେ ଓଡ଼ିଶାବାସୀ ଯେଉଁଭଳି ଆସ୍ଥା ବିଶ୍ୱାସ ରଖିଛନ୍ତି ଏହାକୁ କିଭଳି ବଜାୟ ରଖିହେବ ତାହାରି ଉପରେ ଧ୍ୟାନ ଦିଆଯାଉଛି । ରାଜ୍ୟ ସରକାରଙ୍କ ବିଭିନ୍ନ ଲୋକାଭିମୁଖୀ ଯୋଜନା ହିତାଧିକାରୀଙ୍କ ନିକଟରେ କିଭଳି ପହଞ୍ଚିବ ସେନେଇ ପ୍ରଶିକ୍ଷଣ ଶିବିର ହେଉଥିବା କଥା କହିଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ । ସେହିପରି ବିଜେଡି ନିର୍ବାଚନରେ ଓଡ଼ିଶାବାସୀଙ୍କ ସମର୍ଥନରେ ବିପୁଳ ସଫଳତା ପାଇଛି । ଆଗାମୀ ନିର୍ବାଚନ ରେ ମଧ୍ୟ ଓଡିଶା ବାସୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ଉପରେ ଆଶୀର୍ବାଦ ରଖିବେ ବୋଲୀ ସେ ମତ ଦେଇଛନ୍ତି। ବିଜେଡିର କାର୍ଯ୍ୟକ୍ରମ ଦିନକୁ ଦିନ ଲୋକପ୍ରିୟ ହେବାରେ ଲାଗି ଥିବାବେଳେ ବିଜେପି , କଂଗ୍ରେସ ରୁ ମଧ୍ୟ ନେତା ମାନେ ଯୋଗ ଦେଉଛନ୍ତି। ଏଣୁ ବିଜେଡି ଓଡ଼ିଶାର ବିକାଶ ଦିଗରେ କାର୍ଯ୍ୟ କରୁଥିବା ମନ୍ତ୍ରୀ ସମୀର ଦାଶ କହିଛନ୍ତି।
ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ