‘‘ନୀରବେ ପ୍ରସରେ କ୍ଷଣେ ଦିବ୍ୟ ଜ୍ୟୋତିଧାରା, ନୀରବେ ଆକାଶେ ଉଦେ ରବି ଶଶି ତାରା’’ । ସତରେ ଏ ଉତ୍କଳ ଆଜି ନୀରବି ଯାଇଛି । କାରଣ ମଣିଷ ପଣିଆର ନିଦର୍ଶନ ସାଜିଥିବା ବିନ୍ଧାଣୀଟେ ଯେବେ ଠୁ ଅପସରି ଗଲାଣି ସେବେଠାରୁ ଏ ଉତ୍କଳବାସୀ ତାଙ୍କୁ ଝୁରି ହେଉଛନ୍ତି।
ମୋ ପିଲା, ମୋ ପରିବାର ଭିତରେ ଆଜି ସୀମିତ ଆମ ଚିନ୍ତା, ଚେତନା ଆଉ ଆମ ଜୀବନ ଶୈଳୀ ଓ ଚାଲିଚଳନ। କିନ୍ତୁ ସେତେବେଳେ କଣ ଗୋପବନ୍ଧୁଙ୍କର ପରିବାର ନଥିଲା ? ସବୁସତ୍ତ୍ବେ ରୋଗାଗ୍ରସ୍ତ ପୁଅକୁ ଘରେ ଛାଡ଼ି ଯେତେବେଳେ ଅନାହାର, ଦୁର୍ଭିକ୍ଷ ଓ ବନ୍ୟା ପ୍ରପୀଡ଼ିତ ଲୋକମାନଙ୍କୁ ସାହାଯ୍ୟ କରିବାକୁ ଘରୁ ଗୋଡ଼ କାଢିଥିଲେ । ସେତେବେଳେ ପତ୍ନି ପଣତ କାନି ପତାଇ ନିଜ ପୁଅର ଜୀବନ ଭିକ୍ଷା କରିଥିଲା। କିନ୍ତୁ ସେହି ସମୟରେ ସେ ଲୋକଟିର ବାକ୍ୟ ଥିଲା ‘ଗୋଟିଏ ସନ୍ତାନକୁ ବଞ୍ଚାଇବାକୁ ଯାଇ, ମୁଁ କୋଟିଏ ସନ୍ତାନଙ୍କର ଜୀବନ ଯିବାକୁ ଦେବି ନାହିଁ।’ ସେଥିପାଇଁ ତ ସେ କୋଟି ହୃଦୟର ସ୍ପନ୍ଦନ। ଅଗଣିତ ଉତ୍କଳବାସୀଙ୍କ ମଥାର ମଣି। ଦୀନ, ହିନ ଦରିଦ୍ରର ଆଜୀବନ ବନ୍ଧୁ ‘ଗୋପବନ୍ଧୁ’।
1877 ମସିହା ଅକ୍ଟୋବର 9 ତାରିଖରେ ପୁରୀ ଜିଲ୍ଲା ସତ୍ୟବାଦୀର ସୁଆଣ୍ଡୋ ଗ୍ରାମରେ ତାଙ୍କର ଜନ୍ମ । ଏଭଳି ପୁତ୍ରକୁ ଜନ୍ମ ଦେଇଥିବା ବାପା ଦୈତାରୀ ଦାସ ଓ ମା’ ସ୍ବର୍ଣ୍ଣମୟୀ ଦେବୀ ମଧ୍ୟ ଭାଗ୍ୟବାନ । ସାକ୍ଷୀଗୋପାଳର ସତ୍ୟବାଦୀରେ ବନ ବିଦ୍ୟାଳୟ ହେଉ କିମ୍ବା ହଇଜା ରୋଗରେ ପୀଡ଼ିତ ଲୋକମାନଙ୍କ ପାଇଁ ପୁରୀ ସେବା ସମିତି। ଶିକ୍ଷା ଠାରୁ ଆରମ୍ଭ କରି ସ୍ବାସ୍ଥ୍ୟ ଓ ସମାଜ ସଂସ୍କାର। ସମସ୍ତେ ଯେମିତି ସମାନ ସୁବିଧା ପାଇପାରିବେ ସେଥିପାଇଁ ପ୍ରତିଷ୍ଠା କରିଯାଇଛନ୍ତି ଅନେକ କୀର୍ତ୍ତିରାଜୀ। ସ୍ବତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନରେ ତାଙ୍କର ଅବଦାନ ସର୍ବାଗ୍ରେ ଅତୁଳନୀୟ।