ଆନନ୍ଦପୁର:କେନ୍ଦୁଝର ଜିଲ୍ଲା ଘସିପୁରା ବ୍ଲକରେ ଆବାସ ଯୋଜନାରେ କେଳେଙ୍କାରୀ ହୋଇଥିବା ଅଭିଯୋଗ ହୋଇଛି । ଥିଲାବାଲା ଲୋକେ ଘର ହାତେଇଥିବା ବେଳେ ଗରିବ ଲୋକେ ଭଙ୍ଗା ଦଦରା ପଲିଥିନ ଘରେ ଦିନ କାଟୁଛନ୍ତି । ବାରମ୍ବାର ଗୁହାରି କରିବା ପରେ ମଧ୍ୟ ସେମାନଙ୍କୁ ଆବାସରୁ ବଞ୍ଚିତ କରାଯାଉଥିବା ଅଭିଯୋଗ ହେଉଛି ।
ଘସିପୁରା ବ୍ଲକ ବାତୋ ପଞ୍ଚାୟତ ଅତା ଗ୍ରାମରେ ଅନେକ ଯୋଗ୍ୟ ହିତାଧିକାରୀ ଥିଲେ ମଧ୍ୟ ଆବାସ ଯୋଜନାରୁ ବଞ୍ଚିତ ହେଉଥିବା ଦେଖିବାକୁ ମିଳିଛି । ଅସରାଏ ବର୍ଷା ହେଲେ କଚା ଘରେ ରହୁଥିବା ଲୋକ ମାନଙ୍କୁ ପଡିଶା ଘର ବାରଣ୍ଡାରେ ମୁଣ୍ଡ ଗୁଞ୍ଜିବାକୁ ପଡୁଛି । ପଞ୍ଚାୟତଠାରୁ ବ୍ଲକ ପର୍ଯ୍ୟନ୍ତ ହିତାଧିକାରୀମାନେ ବାରମ୍ବା ଦୌଡ଼ୁଥିଲେ ମଧ୍ୟ କିଛି ସୁଫଳ ମିଳୁନାହିଁ । ନିର୍ବାଚନ ଆସିଲେ ନେତା ମାନେ ନିର୍ବାଚନ ବୈତରଣୀ ପାର ହେବା ପାଇଁ ଅନେକ ପ୍ରତିଶ୍ରୁତି ଦେଉଥିଲେ ମଧ୍ୟ ତାହାକୁ ପୂରଣ କରୁନାହାନ୍ତି ।