କଟକ: ସ୍ଥାନୀୟ ସେଲଟର ଛକ ଏସବିଆଇ କଲୋନୀରେ ମା' ଏବଂ ୭ ମାସର ଶିଶୁର ମୃତ୍ୟୁ ଘଟଣା ପୁରା ସହରକୁ ସ୍ତବ୍ଧ କରି ପକାଇଛି । ଏହି ଘଟଣାରେ ଆଜି ମୃତ ବନସ୍ମିତା ଓ ତାଙ୍କର ଶିଶୁ କନ୍ୟାର ମୃତଦେହକୁ ପୋଷ୍ଟମଟମ ପାଇଁ ପଠାଇଛି ବିଡାନାସୀ ପୋଲିସ । ସେପଟେ ନିଜ ଝିଅର ସ୍ବାସ୍ଥ୍ୟାବସ୍ଥା ନେଇ ଚିନ୍ତିତ ରହୁଥିବା ବନସ୍ମିତା ପ୍ରଥମେ ଶିଶୁ କନ୍ୟାଟିକୁ ହତ୍ୟା କରିବା ପରେ ନିଜେ ଆତ୍ମହତ୍ୟା କରିଥିବା ପୋଲିସର ପ୍ରାଥମିକ ଅନୁସନ୍ଧାନରୁ ଜଣାପଡିଛି । ସେପଟେ ବନସ୍ମିତାଙ୍କୁ କାଉନସିଲିଂର ଆବଶ୍ୟକତା ଥିଲା ଯାହା ନମିଳିବାରୁ ଏହା ଘଟିଥାଇ ପାରେ ବୋଲି କହିଛନ୍ତି ମାନସିକ ରୋଗ ବିଶେଷଜ୍ଞ ।
ତିନି ତଳେ ଯେଉଁ ସମୟରେ ବନସ୍ମିତା ନିଜର କ୍ବାର୍ଟରକୁ ନିଜର ନବଜାତ ଶିଶୁ କନ୍ୟା ସହିତ ଫେରିଥିଲେ, ଠିକ ସେହି ସମୟରେ ଆଜି ଘରୁ ବହାରିଥିଲେ । କିନ୍ତୁ ନଥିଲା ତିନି ଦିନ ତଳର ସେହି ପରିସ୍ଥିତି । ସେଦିନର ବନସ୍ମିତା ଓ ତାଙ୍କର କୁନି ଝିଅର ସଚଳ ଶରୀର ଆଜି ନିଶ୍ଚଳ ପାଲଟି ଯାଇଥିଲା । ଆସିବା ସମୟରେ ପୁରା ପରିବାର ସହିତ କାରରେ ଘରକୁ ଆସିଥିଲେ କିନ୍ତୁ ଯିବା ବେଳକୁ କେବଳ ନିଜର ୭ ମାସର କୁନି ଝିଅଟି ସହ ଆମ୍ବୁଲାନ୍ସରେ ଗଲେ । ଏହି ଦୃଶ୍ୟ ଯେ ହୃଦୟ ବିଦାରକ ଥିଲା ଯେ ପ୍ରୀୟ ପରିଜନଙ୍କ ସହ ପଡୋଶୀ ନିଜ କୋହ ସମ୍ଭରଣ କରି ପାରିନଥିଲେ । ପୁରା ଏସବିଆଇ କଲୋନୀ ଥିଲା ଶବ୍ଧ ଓ ନିରବ । ଶୁକ୍ରବାର ଏହି ଅଘଟଣ ପରେ ପୋଲିସ ଆଜି ଦୁଇଟି ଯାକ ମୃତଦେହକୁ ଜବତ କରି ପୋଷ୍ଟମଟମ ପାଇଁ ପଠାଇବା ସହିତ ଏକ ଅପମୃତ୍ୟୁ ମାମଲା ମଧ୍ୟ ରୁଜୁ କରିଛି ।