କଟକ:ଓ୍ବେବ ଚ୍ୟାନେଲ ରିପୋର୍ଟରଙ୍କୁ ଗୋଡ଼ାଇ ଗୋଡ଼ାଇ ଚପଲରେ ପିଟିଲେ ମହିଳା (woman attacked on web channel reporter in cuttack) । ବେଶ କିଛି ସମୟ ଧରି କଟକ ଜିଲ୍ଲା ସ୍ବାସ୍ଥ୍ୟ ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖ ରାସ୍ତା ପାଲଟିଲା ରଣକ୍ଷେତ୍ର । ନିଜକୁ ସାମ୍ବାଦିକ ବୋଲି ପରିଚୟ ଦେଉଥିବା ବ୍ୟକ୍ତି ଜଣକ ମଧ୍ୟ ମହିଳାଙ୍କୁ ପାଲଟା ଆକ୍ରମଣ କରିଥିଲେ । କେବଳ ସେତିକି ନୁହେଁ ସମ୍ପୃକ୍ତ ସାମ୍ବାଦିକଙ୍କ ସହିତ ଆସିଥିବା ଜଣେ ମହିଳାଙ୍କ ସହ ମଧ୍ୟ ଅଭିଯୋଗାରିଣୀ ହାତାହାତି ହେବାସହ ଗାଳିଗୁଲଜ କରିଥିଲେ ।
ଅଭିଯୋଗ ମୁତାବକ, ମାଡ ମାରୁଥିବା ସମ୍ପୃକ୍ତ ମହିଳାଙ୍କ ଘର କଟକ ପୁରୀଘାଟ ଅଞ୍ଚଳରେ । ଓ୍ବେବ ଚ୍ୟାନେଲ ସାମ୍ବାଦିକ ଅକ୍ଷୟ ଦାସ ଉକ୍ତ ମହିଳାଙ୍କୁ ଏକ ଗଣମାଧ୍ୟମ ସଂସ୍ଥାରେ ଚାକିରି କରାଇ ଦେବେ କହି ତାଙ୍କ ସହ ଯୌନ ଶୋଷଣ (molestation allegation against journalist) କରିଥିଲେ । ପ୍ରାୟ ପାଞ୍ଚ ବର୍ଷ ଧରି ଶାରୀରିକ ସମ୍ପର୍କ ରଖିବା ପରେ ମଧ୍ୟ ତାଙ୍କୁ ଚାକିରି ଦେବା ବଦଳରେ ଫୋଟ ଭାଇରାଲ କରିଦେବା ନେଇ ଧମକ ଦେଉଥିଲେ । ମହିଳା ଜଣଙ୍କ ଅଭିଯୋଗ କରିଛନ୍ତି, " ଅକ୍ଷୟ ଦାସ ମତେ ଭଉଣୀ କହି ଗଣମାଧ୍ୟମରେ କାମ କରିବାକୁ ପ୍ରଲୋଭନ ଦେଖାଇ ଗତ ୫ବର୍ଷ ହେଲା ସମ୍ପର୍କ ରଖିଥିଲେ । ସେ ଘର କରିବେ କହିବାରୁ ମୁଁ ସୁନା ବନ୍ଧକ ରଖି ତାଙ୍କୁ ଲକ୍ଷେ ଟଙ୍କା ଦେଇଥିଲି । ତେବେ ମତେ ସେ ଠକିଛନ୍ତି । ଆମର ଅନ୍ତରଙ୍ଗ ମୁହୁର୍ତ୍ତର ଭିଡିଓ ଓ ଫୋଟୋ ଗୁଡ଼ିକୁ ଭାଇରାଲ କରିବା ପାଇଁ ଧମକ ଦେଉଛନ୍ତି । ଏପରିକି କେତେକ ଲୋକଙ୍କୁ ଫୋଟ ଦେଖାଇଛନ୍ତି । ଏନେଇ ମହିଳା ଥାନାରେ ଏତଲା ଦେଇଥିଲି । ଦୁଇ ଜଣ ସାମ୍ବାଦିକ ଓ ଜଣେ ମହିଳାଙ୍କ ସମେତ ୪ ଜଣଙ୍କ ବିରୋଧରେ ଅଭିଯୋଗ କରିଛି । ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନାହିଁ ।"