କଟକ: ସ୍ବତନ୍ତ୍ର ପୋକ୍ସୋ କୋର୍ଟ ବିଚାରପତି ସୁବାସ ବିହାରୀଙ୍କ ମୃତ୍ୟୁ ଘଟଣାକୁ ନେଇ ଏବେ ବି ଜାରି ରହିଛି ସସ୍ପେନ୍ସ । ଝୁଲନ୍ତା ଅବସ୍ଥାରେ ତାଙ୍କର ମୃତଦେହ ଜବତ ହେବା ପରେ ପରିବାର ଲୋକେ ହତ୍ୟା ଅଭିଯୋଗ ଆଣିଛନ୍ତି । ସେପଟେ ଘଟଣାର ତଦନ୍ତ କରୁଛି ପୋଲିସ । ତେବେ ତାଙ୍କ ମୃତ୍ୟୁରେ ସମ୍ପୃକ୍ତ କୌଣସି ବ୍ୟକ୍ତି ଧରା ପଡ଼ିଲେ ତାଙ୍କ ବିରୋଧରେ ମାମଲା ରୁଜ୍ଜୁ ହେବ ବୋଲି କହିଛନ୍ତି ଆଇନଜୀବୀ ଅରୁଣ ବୁଦ୍ଧିଆ ।
ଚଳିତ ମାସ ୨ ତାରିଖରେ କଟକ ସ୍ବତନ୍ତ୍ର ପୋକ୍ସୋ କୋର୍ଟ ବିଚାରପତି ସୁବାସ ବିହାରୀଙ୍କ ମୃତ୍ୟୁ ଘଟିଥିଲା । ସରକାରୀ ବାସଭବନରୁ ଝୁଲନ୍ତା ଅବସ୍ଥାରେ ତାଙ୍କର ମୃତଦେହ ଜବତ ହୋଇଥିଲା । ଏହାପରେ ସେ ଆତ୍ମହତ୍ୟା କରିଥିବା କୁହାଯାଇଥିଲା । କିନ୍ତୁ ପରବର୍ତ୍ତୀ ସମୟରେ ତାଙ୍କୁ ହତ୍ୟା କରାଯାଇଥିବା ନେଇ ମର୍କତନଗର ଥାନାରେ ଅଭିଯୋଗ କରିଥିଲେ ସୁବାସଙ୍କ ପରିବାର । ସୁବାସଙ୍କ ସ୍ତ୍ରୀ ଅପରାଜିତା ରାୟ ଓ ତାଙ୍କ ଭାଇଙ୍କ ବିରୋଧରେ ଏଭଳି ସଙ୍ଗୀନ ଅଭିଯୋଗ ଆଣିଥିଲେ ପରିବାର । ଏହାପରେ ପୋଲିସ ତଦନ୍ତ ଆରମ୍ଭ କରିଛି ।
ବର୍ତ୍ତମାନ ମୃତ ବିଚାରପତି ସୁବାସ ବିହାରୀଙ୍କ ପତ୍ନୀ ଅପରାଜିତା ରାୟଙ୍କୁ ପଚରା ଉଚରା ଆରମ୍ଭ କରିଛି ପୋଲିସ । କମିଶନରେଟ ପୋଲିସର ଏକ ସ୍ବତନ୍ତ୍ର ଟିମ ଅପରାଜିତା ରାୟ ରହୁଥିବା ସିଡିଏ ସେକ୍ଟର ୯ ର ସରକାରୀ କ୍ବାଟରକୁ ଯାଇ ତାଙ୍କୁ ପଚରା ଉଚୁରା କରି ଫେରିଛନ୍ତି । ଏହା ପରେ ଅପରାଜିତାଙ୍କ ସହ ତାଙ୍କ ଭାଇଙ୍କୁ ପୁଣି ଥରେ ପଚରା ଉଚୁରା କରାଯିବ ବୋଲି ସୂଚନା ମିଳିଛି । ଏହା ସହିତ ସୁବାସଙ୍କ ଘରେ ରହି କାର୍ଯ୍ୟ କରୁଥିବା କର୍ମଚାରୀ, ତାଙ୍କ ଡ୍ରାଇଭର ଓ କିଛି ପାଖ ପଡୋଶୀଙ୍କୁ ମଧ୍ୟ ପଚରା ଉଚରା କରିବ ପୋଲିସ ।