ଓଡିଶା

odisha

By

Published : Feb 9, 2019, 8:29 PM IST

ETV Bharat / city

କାହିଁକି ଓଡ଼ିଶାକୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ଦରକାର, ଶୁଣନ୍ତୁ ଭର୍ତ୍ତୃହରି ମହତାବଙ୍କ ଯୁକ୍ତି

ଅନ୍ୟ ରାଜ୍ୟ ତୁଳନାରେ ଓଡ଼ିଶାରେ ଅନୁସୂଚିତ ଜାତି(ଏସସି) ଏବଂ ଜନଜାତି (ଏସଟି) ବର୍ଗର ଲୋକଙ୍କ ସଂଖ୍ୟା ଅଧିକ। ଆର୍ଥିକ ଦୃଷ୍ଟିକୋଣରୁ ସେମାନେ ଅନ୍ୟମାନଙ୍କ ଅପେକ୍ଷା ଦୁର୍ବଳ। ଏଣୁ ରାଜ୍ୟକୁ ସ୍ୱତନ୍ତ୍ର ପାହ୍ୟା ଦେବାର ଆବଶ୍ୟକତା ରହିଛି ବୋଲି ଯୁକ୍ତି ବାଢିଛନ୍ତି ସାଂସଦ ଭର୍ତ୍ତୃହରି ମହତାବ।

ଫଟୋ ସୌଜନ୍ୟ: ସମ୍ବାଦଦାତା, କଟକ

କଟକ: ଓଡ଼ିଶାକୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ପ୍ରଦାନ କରିବା ଦାବି ବାରମ୍ବାର ସଂସଦରେ ଉଠୁଛି। ଏ ପ୍ରସଙ୍ଗକୁ ନେଇ ବିଭିନ୍ନ ସମୟରେ କେନ୍ଦ୍ରକୁ ଚିଠି ଲେଖୁଛନ୍ତି ରାଜ୍ୟ ସରକାର। ଏପରିକି ଅନେକ ବାର ବିଜେଡ଼ି ସାଂସଦଙ୍କୁ ହାତରେ ପ୍ଲାକାର୍ଡ଼ ଧରି ସଂସଦ ଭବନ ଆଗରେ ସ୍ଲୋଗାନ ଦେଉଥିବାର ଚିତ୍ର ମଧ୍ୟ ଦେଖିବାକୁ ମିଳିଛି। ଏସବୁ ପଛରେ ପ୍ରାସଙ୍ଗିକତା ରହିଥିବାର ଯୁକ୍ତି ବାଢ଼ିଛନ୍ତି ସାଂସଦ ଭର୍ତ୍ତୃହରି ମହତାବ।

ବିଜେଡ଼ି ଆଇନଜୀବି ସାମ୍ମୁଖ୍ୟର ଏକ କାର୍ଯ୍ୟକ୍ରମରେ ଯୋଗଦେଇ ମହତାବ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ପ୍ରସଙ୍ଗରେ ନିଜର ମତ ରଖିଛନ୍ତି। ସେ କହିଛନ୍ତି, " ଦେଶର ଆର୍ଥିକ ସ୍ଥିତିକୁ ବିଶ୍ଳେଷଣ କଲେ ଆଗୁଆ ରାଜ୍ୟଭାବେ ଗୁଜରାଟ ଏବଂ ମହାରାଷ୍ଟ୍ରର ନାଁ ପ୍ରଥମେ ଆସେ। ହେଲେ ପୂର୍ବାଞ୍ଚଳର ରାଜ୍ୟ ଗୁଡ଼ିକ ବେଶ ପଛୁଆ ରହିଯାଇଛନ୍ତି। ଏଥିପାଇଁ ବିଭିନ୍ନ କାରଣ ରହିଥିଲେ ହେଁ ଏକ ସ୍ୱତନ୍ତ୍ର ସାମାଜିକ କାରଣ ମଧ୍ୟ ରହିଛି। " ପୂର୍ବାଞ୍ଚଳରେ ଅବସ୍ଥିତ ରାଜ୍ୟରେ ଜନଜାତି ଏବଂ ପଛୁଆବର୍ଗଙ୍କ ସଂଖ୍ୟା ଅଧିକ ରହିବା ଏକ ପ୍ରମୁଖ କାରଣ ଭାବେ ସେ ଉପସ୍ଥାପନ କରିଛନ୍ତି।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କଟକ

ମହାରାଷ୍ଟ୍ର, ଗୁଜରାଟ ତୁଳନାରେ ଓଡ଼ିଶା, ବିହାର ଭଳି ପୂର୍ବାଞ୍ଚଳ ରାଜ୍ୟରେ ଜନଜାତିଙ୍କ ସଂଖ୍ୟା ଅଧିକ । ଯେଉଁମାନେ କି ଆର୍ଥିକ ଦୃଷ୍ଟିକୋଣରୁ ସ୍ବଚ୍ଛଳ ନୁହନ୍ତି। ଯେଉଁ ଯେଉଁ ଅଞ୍ଚଳରେ ଏମାନଙ୍କ ସଂଖ୍ୟା ଅଧିକ ରହିଛି ସେ ସବୁ ଅଞ୍ଚଳର ବିକାଶ ଠିକରେ ହୋଇପାରିନାହିଁ ବୋଲି ଯୁକ୍ତି ବାଢ଼ିଛନ୍ତି ମହତାବ । ଦେଶର ଜାତି ଭିତ୍ତିକ ସମାଜ ଭିତରେ ଏହାକୁ ସ୍ୱୀକାର କରିବାକୁ ହେବ ବୋଲି ସେ କହିଛନ୍ତି। ଏଥିସହ ଏକ ନୂଆ ଢଙ୍ଗରେ ଏମାନଙ୍କର ଉନ୍ନତିପାଇଁ କାର୍ଯ୍ୟ କରିବାର ଆବଶ୍ୟକତା ରହିଥିବା ସେ ଜଣାଇଛନ୍ତି।

ଏ ବାବଦରେ ପଞ୍ଚଦଶ ଅର୍ଥ କମିଶନଙ୍କୁ ମୁଖ୍ୟମନ୍ତ୍ରୀ ଅବଗତ କରିଥିବା ମହତାବ କହିଛନ୍ତି। ରାଜ୍ୟ ଗୁଡ଼ିକର କ୍ଷମତାରେ ସ୍ୱତନ୍ତ୍ର ସୀମା ରହିଛି । ତେଣୁ କେନ୍ଦ୍ର ସରକାରଙ୍କର ସାହାଯ୍ୟ ସହଯୋଗ ଏ କ୍ଷେତ୍ରରେ ନିତାନ୍ତ ଜରୁରୀ । ସ୍ୱତନ୍ତ୍ର ପାହ୍ୟା ପ୍ରଦାନ ଦ୍ୱାରା ଏଥିରେ ପରିବର୍ତ୍ତନ ଆସିପାରିବ ବୋଲି ସେ ମତବ୍ୟକ୍ତ କରିଛନ୍ତି।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

ABOUT THE AUTHOR

...view details