କଟକ: 2019 ମସିହା ଡିସେମ୍ବର 12 ତାରିଖ ସନ୍ଧ୍ୟା ପ୍ରାୟ ସାଢେ 6ଟାରୁ 7ଟାରେ ଘଟିଥିଲା ହତ୍ୟାକାଣ୍ଡ । କଟକ ମଧୁପାଟଣା ଥାନା ଅନ୍ତର୍ଗତ ବେଲେଶ୍ବରଠାରେ ଘର କରି ଏକାକି ରହୁଥିବା ଶ୍ରୀନାଥ ସାମଲ ଓ ପତ୍ନୀ ବିଦୁଲତା ସାମଲଙ୍କୁ ନିର୍ମମ ଭାବେ ହତ୍ୟା କରାଯାଇଥିଲା । କେହି ଦୁର୍ବୁତ୍ତ ଧାରୁଆ ଅସ୍ତ୍ର ସାହାଯ୍ୟରେ ନିରୀହ ଦମ୍ପତ୍ତିଙ୍କୁ ହତ୍ୟା କରି ଫେରାର ହୋଇଗଲା । ଏଥିରେ ଏକାଧିକ ଲୋକଙ୍କ ସମ୍ପୃକ୍ତି ଥିବା ସ୍ପଷ୍ଟ ହୋଇଥିଲା । କିନ୍ତୁ ଏହି ଘଟଣାକୁ ୨ ବର୍ଷ ପୁରିଥିବା ବେଳେ ମୃତ୍ୟୁ ଉପରୁ ହଟିପାରିନି ପରଦା । ସେପଟେ କୋରୋନା କାଳରେ ବନ୍ଦ ହୋଇପଡ଼ିଥିଲା ଏହାର ତଦନ୍ତ ପ୍ରକ୍ରିୟା । ପୁଣି ଏହାର ତଦନ୍ତ ଆରମ୍ଭ ହୋଇଥିବା ବେଳେ ଖୁବଶୀଘ୍ର ମାମଲାର ଖୁଲାସା ହେବ ବୋଲି କହିଛି କମିଶନରେଟ ପୋଲିସ ।
ତେବେ ବୃଦ୍ଧ ଦମ୍ପତି ଶ୍ରୀନାଥ ଓ ବିଦୁଲତା ସାମଲଙ୍କୁ କେଉଁମାନେ ଓ କାହିଁକି ହତ୍ୟା କଲେ ? ଏବଂ ହତ୍ୟା ପରେ ହତ୍ୟାକାରୀମାନେ କେଉଁଆଡ଼େ ଗଲେ ତାହା ଆଜି ବି ଏକ ମିଷ୍ଟ୍ରି ହୋଇ ରହିଛି । ଏହି ଘଟଣାକୁ ଠିକ ଦୁଇ ବର୍ଷ ପୁରି ଯାଇଥିବା ବେଳେ ଏବେ ବି ନ୍ୟାୟ ଅପେକ୍ଷାରେ ଅଛନ୍ତି ଶ୍ରୀନାଥ ଓ ବିଦୁଲତାଙ୍କ ପରିବାର ଲୋକେ । ଘଟଣା ଘଟିବାର ଦୁଇ ତିନି ମାସ ପର୍ଯ୍ୟନ୍ତ ଖୋଳତାଡ଼ କରିଥିଲା ପୋଲିସ । ଏପରିକି ଦିଲ୍ଲୀରୁ କିଛି ବିଶେଷଜ୍ଞଙ୍କୁ ଡ଼କାଯାଇ ସନ୍ଦିଗ୍ଧମାନଙ୍କୁ ଜେରା ମଧ୍ୟ କରାଯାଇଥିଲା । କିନ୍ତୁ କୋରୋନା କାଳ ଆରମ୍ଭ ହୋଇଯିବା ପରେ ଏହି ମାମାଲାର ତଦନ୍ତ ଏକ ପ୍ରକାର ବନ୍ଦ ହୋଇଯାଇଥିଲା ।