କଟକ: ଗ୍ରୀନ ଟ୍ରିବ୍ୟୁନାଲ ନିୟମକୁ ଖୋଲାଖୋଲି ଉଲ୍ଲଂଘନ। ଆଇନ ନମାନି ପୋତା ଚାଲିଛି ମହାନଦୀ ପଠା । ତଳ ବାଲିଯାତ୍ରା ପଡିଆକୁ ବେଆଇନ ଭାବେ ପୋତା ଯାଉଛି । ଗ୍ରୀନ ଟ୍ରିବ୍ୟୁନାଲ ନିୟମ ଅନୁସାରେ ନଦୀ ପଠାକୁ ଖୋଳାଯିବ ନାହିଁ କିମ୍ବା ପୋତାଯିବ ନାହିଁ । ହେଲେ ଏଠାରେ ସବୁ ନିୟମକୁ ଜଳାଞ୍ଜଳି ଦେଇ ଖୁଲମଖୁଲା ଚାଲିଛି ବେଆଇନ କାର୍ଯ୍ୟ । ବର୍ଫି ପ୍ରକଳ୍ପ କରିବା ନାଁରେ ପ୍ରଶାସନ ପୋତି ଚାଲିଛି ନଦୀ ପଠା ।
ଯୋବ୍ରା ଅଞ୍ଚଳରୁ ବାଲିଯାତ୍ରା ପଡିଆ ପର୍ଯ୍ୟନ୍ତ ଥିବା ନଦୀ ପଠାରେ ବାଲି ପୋତାଯାଉଛି। ତେବେ ବେଆଇନ ଭାବେ ବାଲି ପୋତାଯିବାକୁ ନେଇ ଅନେକ ନାପସନ୍ଦ କରୁଥିବାବେଳେ ସରକାର ବ୍ୟବସାୟ ପାଇଁ ଏପରି କରୁଥିବା ସହରବାସୀ ଅଭିଯୋଗ କରିଛନ୍ତି। ସେହିପରି ବର୍ଫି ପ୍ରୋଜେକ୍ଟ ନାମରେ ଆଳ ଦେଖାଇ ଜିଲ୍ଲା ପ୍ରଶାସନ, ଲୋକଙ୍କୁ ଭୁଆଁ ବୁଲାଉଥିବା ସହରବାସୀ କହିଛନ୍ତି ।
ସୂଚନାଥାଉକି, ଯେତେବେଳେ ତଳ ବାଲିଯାତ୍ରା ପଡିଆରେ ବାଲିଯାତ୍ରା ହେବ ବୋଲି ନିଷ୍ପତ୍ତି ହୋଇଥିଲା ସେତେବେଳେ ନଦୀପଠାରେ କୌଣସି ଏପରି କାର୍ଯ୍ୟ ହୋଇପାରିବ ନାହିଁ ବୋଲି ଦର୍ଶାଇ ଗ୍ରୀନ ଟ୍ରିବ୍ୟୁନାଲ ଅଙ୍କୁଶ ଲଗାଇଥିଲା । ପରେ ଶାନ୍ତି କମିଟି ପକ୍ଷରୁ ଏନେଇ ଅଣ୍ଡର ଟେକିଂ ଦେବାପରେ କଟକଣା ମାନି ବାଲିଯାତ୍ରା ପାଇଁ ଗ୍ରୀନ ଟ୍ରିବୁନାଲ ଅନୁମତି ପ୍ରଦାନ କରିଥିଲା। ଫଳରେ 3 ବର୍ଷ ଧରି ନିୟମ ମାନି ନଦୀ ପଠାରେ ଐତିହାସିକ ବାଲିଯାତ୍ରା ଅନୁଷ୍ଠିତ ହେଉଛି।
ତେବେ ବର୍ତ୍ତମାନ ସରକାର, ନା ଶାନ୍ତି କମିଟି ସହିତ ଏନେଇ ଆଲୋଚନା କରିଛନ୍ତି ନା ଗ୍ରୀନ ଟ୍ରିବ୍ୟୁନାଲ ଠାରୁ ପରାମର୍ଶ ଲୋଡିଛନ୍ତି । କେବଳ ପ୍ରକଳ୍ପ କରିବା ଆଶାରେ ମନଇଚ୍ଛା ଏସବୁ କରୁଥିବା ଅଭିଯୋଗ ହୋଇଛି । ଯାହା ଆଗାମୀ ଦିନରେ ସରକାରଙ୍କୁ ଅକଳରେ ପକାଇବ ବୋଲି ଆଇନଜୀବୀ ଚେତାଇଦେଇଛନ୍ତି ।