କଟକ : ଓଡିଶା ଗସ୍ତରେ କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ ନିତ୍ୟାନନ୍ଦ ରାୟ । ଦୁଇ ଦିନିଆ କଟକ ଗସ୍ତରେ ଆସିଥିବା ମନ୍ତ୍ରୀ ନିତ୍ୟାନନ୍ଦ ଆଜି କଟକ ଜିଲ୍ଲାରେ ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ ମୋଦି ସରକାରଙ୍କ ଉପଲବ୍ଧି ବିଷୟରେ ସୂଚନା ଦେବା ସହ ଓଡ଼ିଶାକୁ ଆସିଥିବା କେନ୍ଦ୍ରୀୟ ଅନୁଦାନ ସମ୍ପର୍କରେ ତଥ୍ୟ ରଖିଛନ୍ତି । କଟକ ସର୍କିଟ ହାଉସ ଅନୁଷ୍ଠିତ ହୋଇଥିବା ଏହି ସାମ୍ବାଦିକ ସମ୍ମିଳନୀରେ ମୋଦି ସରକାରଙ୍କ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନା ସମ୍ପର୍କରେ ତଥ୍ୟ ରଖିଲେ ମନ୍ତ୍ରୀ । କେନ୍ଦ୍ରର ଯୋଜନା ଗୁଡିକରେ ଓଡ଼ିଶାରେ ଅଧିକରୁ ଅଧିକ ସଂଖ୍ୟକ ହିତାଧିକାରୀଙ୍କୁ ସାମିଲ କରାଯାଇଛି । କିନ୍ତୁ ରାଜ୍ୟ ସରକାର କେନ୍ଦ୍ର ସରକାରଙ୍କ ଯୋଜନା ଗୁଡିକୁ ସଠିକ ଢଙ୍ଗରେ ପହଞ୍ଚାଉ ନାହାଁନ୍ତି ବୋଲି ଅଭିଯୋଗ କରିଥିଲେ କେନ୍ଦ୍ର ମନ୍ତ୍ରୀ । ଏହାସହ ଓଡ଼ିଶାରେ ଲୋକସଭା କ୍ଷେତ୍ର ନିର୍ବାଚନରେ ବିଜେପି ପୂର୍ବ ଅପେକ୍ଷା ଭଲ ପ୍ରଦର୍ଶନ କରିଛି । ଆଗକୁ ଆହୁରି ଭଲ ପ୍ରଦର୍ଶନ କରିବୁ ।
ବିଜେଡି ବିଜେପି ଭିତରେ କୌଣସି ଭିତିରି ବୁଝାମଣା ନାହିଁ । କିନ୍ତୁ ଜନକଲ୍ୟାଣ ପାଇଁ ଏକାଠି ମିଶି କାର୍ଯ୍ୟ କରିବା ଉଚିତ ବୋଲି କହିଛନ୍ତି କେନ୍ଦ୍ର ଗୃହ ରାଷ୍ଟ୍ର ମନ୍ତ୍ରୀ ନିତ୍ୟାନନ୍ଦ ରାୟ । ଏହି ସାମ୍ବାଦିକ ସମ୍ମିଳନୀରେ ବରିଷ୍ଠ ବିଜେପି ନେତା ପୃଥିରାଜ ହରିଚନ୍ଦନଙ୍କ ସହ କଟକ ଜିଲ୍ଲା ବିଜେପି ସଭାପତି ପ୍ରକାଶ ବେହେରା ଉପସ୍ଥିତ ଥିଲେ। ପ୍ରଧାନମନ୍ତ୍ରୀ କିଶାନ ସମ୍ମାନନିଧି ଯୋଜନାରେ ସାରା ଦେଶର କୃଷକ ଉପକୃତ ହେଉଥିବା ବେଳେ ଓଡିଶା କୃଷକମାନେ ମଧ୍ୟ ଉପକୃତ ହୋଇଛନ୍ତି । ୩ ମାସ ପୂର୍ବର ରିପୋର୍ଟ ଅନୁସାରେ ଓଡିଶାର ୪୯ ଲକ୍ଷ ୭୩ ହଜାର କୃଷକ ପ୍ରଧାନମନ୍ତ୍ରୀ କିଶାନ ସମ୍ମାନନିଧି ଯୋଜନାରେ ଲାଭ ପାଇଥିବାର ମନ୍ତ୍ରୀ ନିତ୍ୟାନନ୍ଦ ସୂଚନା ଦେଇଥିଲେ ।