କଟକ: ଜୟ ଜଗନ୍ନାଥରୁ ନିଜ ଭାଷଣ ଆରମ୍ଭ କଲେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ (Amit Shah in Cuttack) । ଏହା ସହ ମୁଖ୍ୟମନ୍ତ୍ରୀଙ୍କୁ ଉତ୍କଳ ଭୂମିର ଯୋଗ୍ୟ ସନ୍ତାନ କହି ସମ୍ବୋଧନ କରିବା ସହ ସ୍ବାଧୀନତା ପରେ ଓଡ଼ିଆଙ୍କୁ ଅଧିକ ସମ୍ମାନ ଓ ଗୁରୁତ୍ବ ମିଳିଛି । ଓଡ଼ିଆ ଦୈନିକ ଖବରକାଗଜ 'ପ୍ରଜାତନ୍ତ୍ର'ର ୭୫ ବର୍ଷ ପୂର୍ତ୍ତି ସମାରୋହ (Foundation Day of Prajatantra News Paper)ରେ ଯୋଗ ଦେଇ ଏଭଳି ମନ୍ତବ୍ୟ ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ଶାହ ।
ସମାରୋହରେ ଯୋଗ ଦେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ରଙ୍କୁ ଶାହ ନିଜ ମିତ୍ର କହିବା ସହ ଭର୍ତ୍ତୃହରିଙ୍କୁ ଦେଶର ଶ୍ରେଷ୍ଠ ସାଂସଦ ଓ ପଦ୍ମଶ୍ରୀ ପ୍ରତିଭା ରାୟଙ୍କୁ ଭଉଣୀ କହି ସମ୍ବୋଧନ କରିଛନ୍ତି । ସେ ନିଜ ଅଭିଭାଷଣରେ କହିଛନ୍ତି , "ମୁଁ ଭାରତର ପଶ୍ଚିମ ଭୂମିରୁ ଆସି ପୂର୍ବ ଭୂମିରେ ପାଦ ରଖିଛି । ସେଠାରେ ବି ଜଗନ୍ନାଥ, ଏଠି ବି ଜଗନ୍ନାଥ ଅଛନ୍ତି । ମୁଁ କେବଳ ଭର୍ତ୍ତୃହରିଙ୍କୁ ଶୁଭେଚ୍ଛା ପାଇଁ ଏଠିକି ଆସିଛି । ପ୍ରଜାତନ୍ତ୍ର ଓ ଉତ୍କଳ କେଶରୀଙ୍କୁ ଧନ୍ୟବାଦ ଜଣାଇବାକୁ ଆସିଛି । ଦେଶ ସ୍ଵାଧୀନତାର ଶତାବ୍ଦୀ ଓ ପ୍ରଜାତନ୍ତ୍ରର ଶତାବ୍ଦୀକୁ ଆଉ ୨୫ବର୍ଷ ବାକି ରହିଛି । ଏଇ ମାଟିରେ ଜନ୍ମ ହୋଇଥିବା ଝିଅ ଦ୍ରୌପଦୀ ମୁର୍ମୁ, ଆଜି ମହାମହିମ । ଗରିବରୁ ଅତି ଗରିବ ଘରୁ ଆସି, ପ୍ରଥମ ଆଦିବାସୀ ମହିଳା ଭାବେ ସେ ରାଷ୍ଟ୍ରପତି ହୋଇ ପାରିଛନ୍ତି । ଏବେ ଓଡ଼ିଶାର 'ଅଚ୍ଛେ ଦିନ' ଆସିଯାଇଛି ।"