କଟକ: ଆଜି (ସୋମବାର) ଓଡିଶା ହାଇକୋର୍ଟର ୩ ନୂଆ ବିଚାରପତି ଶପଥ ଗ୍ରହଣ କରିଛନ୍ତି । ଆଇନଜୀବୀ ଭି.ନରସିଂହ, ବିରଜା ପ୍ରସନ୍ନ ଶତପଥୀ ଓ ଏମ. ଏସ ରମଣ ଓଡ଼ିଶା ହାଇକୋର୍ଟର ବିଚାରପତି ଭାବେ ଶପଥ ନେଇଛନ୍ତି ତିନି ନୂଆ ବିଚାରପତି । କୋଭିଡ କଟକଣା ମଧ୍ୟରେ ସୀମିତ ଅତିଥିଙ୍କୁ ନେଇ ଶପଥ ଗ୍ରହଣ ଉତ୍ସବ ଅନୁଷ୍ଠିତ ହୋଇଛି । ୩ ବିଚାରପତିଙ୍କୁ ଶପଥ ପାଠ କରାଇଛନ୍ତି ମୁଖ୍ୟ ବିଚାରପତି ଜଷ୍ଟିସ ଏସ. ମୁରଲୀଧର । ଏହି ତିନି ବିଚାରପତିଙ୍କ ଯୋଗଦାନ ପରେ ଓଡିଶା ହାଇକୋର୍ଟରେ ବିଚାରପତି ସଂଖ୍ୟା ୨୧ରେ ପହଞ୍ଚିଛି।
ସୂଚନାଯୋଗ୍ୟ ଆଇନଜୀବୀ ଭି.ନରସିଂହ, ବିରଜା ପ୍ରସନ୍ନ ଶତପଥୀ ଓ ଏମ.ଏସ ରମଣଙ୍କ ନାମକୁ ଓଡ଼ିଶା ହାଇକୋର୍ଟର ବିଚାରପତି ଭାବେ ନିଯୁକ୍ତି ପାଇଁ ସୁପ୍ରିମକୋର୍ଟ କଲେଜିୟମ ସୁପାରିସ କରିଥିଲେ । ରାଷ୍ଟ୍ରପତିଙ୍କ ଅନୁମୋଦନ ଲାଭ କରିବା ପରେ କେନ୍ଦ୍ର ଆଇନ ମନ୍ତ୍ରଣାଳୟ ପକ୍ଷରୁ ଏନେଇ ବିଧିବଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶିତ ହୋଇଥିଲା ।
ହାଇକୋର୍ଟର ପୂର୍ବତନ ବିଚାରପତି ସ୍ବର୍ଗତ ଜଷ୍ଟିସ ଭି.ଗୋପାଳ ସ୍ବାମୀଙ୍କ ପୁଅ ହେଉଛନ୍ତି ଭି.ନରାସିଂହ । ୧୯୬୭ ଜାନୁଆରି ୧୯ରେ ଭି.ନରସିଂହ ଜନ୍ମ ଗ୍ରହଣ କରିଥିଲେ । ଭୁବନେଶ୍ବର ୟୁନିଟ ୧ ସରକାରୀ ବାଳକ ବିଦ୍ୟାଳୟରୁ ମାଟ୍ରିକ ପାସ କରିବା ପରେ ବିଜେବି କଲେଜରୁ ବାଣିଜ୍ୟରେ ସ୍ନାତକ ଡିଗ୍ରୀ ହାସଲ କରିଥିଲେ। ଏହାପରେ ମଧୁସୂଦନ ଆଇନ ମହାବିଦ୍ୟାଳୟରୁ ଆଇନରେ ସ୍ନାତକ ଓ ସ୍ନାତକୋତ୍ତର ଡିଗ୍ରୀ ହାସଲ କରିଥିଲେ । ମଧୁସୂଦନ ଆଇନ କଲେଜରେ କିଛି ଦିନ ଶିକ୍ଷା ଦାନ କରିଥିଲେ । ୧୯୮୯ରେ ସେ ଓକିଲାତି ଆରମ୍ଭ କରିଥିଲେ । ସେ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ତରଫରୁ ମାମଲା ପରିଚାଳନା ପାଇଁ ଷ୍ଟାଣ୍ଡିଂ କାଉନସିଲ ଭାବେ ନିଯୁକ୍ତି ପାଇଥିଲେ । ସିବିଆଇ ପକ୍ଷରୁ ମାମଲା ପରିଚାଳନା ପାଇଁ ତାଙ୍କୁ ମଧ୍ୟ ନିଯୁକ୍ତି ଦିଆଯାଇଥିଲା ।