ଓଡିଶା

odisha

ETV Bharat / city

ଅଦାଲତ ଅବମାନନା: ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶକ ସମେତ 3 ଡିଇଓ ଦୋଷୀ ସାବ୍ୟସ୍ତ - Contempt of court

ଅଦାଲତ ଅବମାନନା ମାମଲାରେ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶକ ପ୍ରଦୀପ କୁମାର ଦାଶଙ୍କ ସମେତ ୩ ଡିଇଓ ଦୋଷୀ ସାବ୍ୟସ୍ତ ହୋଇଛନ୍ତି । ଶୁକ୍ରବାର ବ୍ୟକ୍ତିଗତ ହାଜର ପାଇଁ ହାଇକୋର୍ଟ ସେମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଅଧିକ ପଢନ୍ତୁ...

ଅଦାଲତ ଅବମାନନା: ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶକ ସମେତ 3 ଡିଇଓ ଦୋଷୀ ସାବ୍ୟସ୍ତ
ଅଦାଲତ ଅବମାନନା: ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶକ ସମେତ 3 ଡିଇଓ ଦୋଷୀ ସାବ୍ୟସ୍ତ

By

Published : Nov 5, 2020, 8:52 AM IST

କଟକ: ଅଦାଲତ ଅବମାନନା ମାମଲାରେ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶକ ପ୍ରଦୀପ କୁମାର ଦାଶଙ୍କ ସମେତ ୩ ଡିଇଓ ଦୋଷୀ ସାବ୍ୟସ୍ତ ହୋଇଛନ୍ତି । ହାଇକୋର୍ଟଙ୍କ ପୂର୍ବ ନିର୍ଦ୍ଦେଶ ଉଲ୍ଲଙ୍ଘନ ସହିତ ମିଥ୍ୟା କଂପ୍ଲଏନ୍ସ ଆଫିଡେଭିଟ୍ ଦାଖଲ ପାଇଁ ଏହି ଅଧିକାରୀମାନଙ୍କୁ କଂଟେପ୍ଟ ଅଫ୍ କୋର୍ଟ ଆକ୍ଟରେ ଦୋଷୀ ସାବ୍ୟସ୍ତ କରାଯାଇଛି ।

ଅଦାଲତ ଅବମାନନା: ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶକ ସମେତ 3 ଡିଇଓ ଦୋଷୀ ସାବ୍ୟସ୍ତ

ଏଥି ସହିତ ଏହି ଅଧିକାରୀମାନେ ଅକ୍ଟୋବର ୨୮ର ନିର୍ଦ୍ଦେଶରେ ପରିବର୍ତ୍ତନ ପାଇଁ କରିଥିବା ଆବେଦନରେ ମଧ୍ୟ ମିଥ୍ୟା ତଥ୍ୟ ଦେଇଥିବା ନେଇ ଅଭିଯୋଗ ରହିଛି । ନଭେମ୍ବର ୬ରେ ଅଦାଲତ ଅବମାନନା ମାମଲାରେ ଏହି ଅଧିକାରୀମାନଙ୍କ ବିରୋଧରେ ଦଣ୍ଡାଦେଶ ପ୍ରସଙ୍ଗରେ ଶୁଣାଣି କରାଯିବ ।

ନଭେମ୍ବର ୬ ତାରିଖ ଦିନ ୧୧ଟା ସମୟରେ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶକ ପ୍ରଦୀପ କୁମାର ଦାଶ, ଯାଜପୁର ଡିଇଓ କୃଷ୍ଣଚନ୍ଦ୍ର ନାୟକ, ଜଗତସିଂହପୁର ଡିଇଓ ସପନ କୁମାର ଜେନା ଓ ପୁରୀ ଡିଇଓ ବିଶ୍ବନାଥ ଘୋଷଙ୍କୁ ବ୍ୟକ୍ତିଗତ ଭାବେ ହାଜର ହେବା ପାଇଁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଜଷ୍ଟିସ ବିଶ୍ବନାଥ ରଥଙ୍କୁ ନେଇ ଗଠିତ ଖଣ୍ଡପୀଠ ଶ୍ରୀକାନ୍ତ ଜେନା ଓ ଅନ୍ୟମାନଙ୍କ ପକ୍ଷରୁ ଦାୟର ୫ଟି ଅଦାଲତ ଅବମାନନା ମାମଲାର ଏକତ୍ର ଶୁଣାଣି କରି ଏପରି ନିର୍ଦ୍ଦେଶ ଦେଇଛନ୍ତି ।

ମାମଲାର ବିବରଣୀରୁ ପ୍ରକାଶ ଯେ, ଅଣତାଲିମପ୍ରାପ୍ତ ଗ୍ରାଜୁଏଟ ହିନ୍ଦୀ ଶିକ୍ଷକଙ୍କୁ ୪୮ ବର୍ଷ ବୟସ ପରେ ତାଲିମପ୍ରାପ୍ତ ଗ୍ରାଜୁଏଟ ସ୍କେଲ ଅଫ୍ ପେ ପ୍ରଦାନ ପାଇଁ ହାଇକୋର୍ଟ ୨୦୧୬, ନଭେମ୍ବର ୨୪ରେ ନିର୍ଦ୍ଦେଶ ଦେଇଥିଲେ । ୪୮ ବର୍ଷ ବୟସ ପରେ ଅଣତାଲିମପ୍ରାପ୍ତ ଗ୍ରାଜୁଏଟ ହିନ୍ଦୀ ଶିକ୍ଷକମାନେ ତାଲିମପ୍ରାପ୍ତ ଶିକ୍ଷକଙ୍କୁ ପ୍ରଦାନ କରାଯାଉଥିବା ଦରମା ଓ ଅନ୍ୟାନ୍ୟ ପ୍ରାପ୍ୟ ପାଇବାକୁ ଯୋଗ୍ୟ ବୋଲି ପ୍ରକାଶିତ ରାୟରେ ସ୍ପଷ୍ଟ କରାଯାଇଥିଲା । ଏହି ରାୟ ଆଧାରରେ ଆବେଦନକାରୀଙ୍କୁ ସଂଶୋଧିତ ଦରମା, ଏ ବାବଦ ପୁରୁଣା ବକେୟା ପ୍ରାପ୍ୟ ପ୍ରଦାନ କରାଯିବ। ଦୁଇ ମାସ ଭିତରେ ଏହି ପ୍ରକ୍ରିୟା ଶେଷ ହେବ, ନଚେତ ସୁଧ ସହିତ ଏ ବାବଦ ଅର୍ଥ ଶିକ୍ଷା ବିଭାଗ ଆବେଦନକାରୀଙ୍କୁ ପ୍ରଦାନ କରିବ ବୋଲି ହାଇକୋର୍ଟ କହିଥିଲେ ।

ଏହି ନିର୍ଦ୍ଦେଶ କାର୍ଯ୍ୟକାରୀ ନ ହେବାରୁ ପୃଥକ ଭାବେ ଆବେଦନକାରୀ ଅଦାଲତ ଅବମାନନା ମାମଲା ରୁଜୁ କରିଥିଲେ । ୨୦୧୯ରେ ଦାୟର ଅଦାଲତ ଅବମାନନା ମାମଲା ଗୁଡିକର ୨୦୨୦, ସେପ୍ଟେମ୍ବର ୧୦ରେ ଶୁଣାଣି କରି ହାଇକୋର୍ଟ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶକ, ପୁରୀ ଡିଇଓ, ଯାଜପୁର ଡିଇଓ ଓ ଜଗତସିଂହପୁର ଡିଇଓଙ୍କୁ ଅକ୍ଟୋବର ୨୮ରେ ବ୍ୟକ୍ତିଗତ ଭାବେ ହାଜର ହେବା ପାଇଁ ନିର୍ଦ୍ଦେଶ ଦେଇଥିଲେ । କିନ୍ତୁ ଏହି ଅଧିକାରୀମାନେ ଗତ ୨୮ ତାରିଖ ଦିନ ବ୍ୟକ୍ତିଗତ ଭାବେ ହାଜର ହୋଇ ନଥିଲେ । ହାଇକୋର୍ଟଙ୍କ ପୂର୍ବ ନିର୍ଦ୍ଦେଶ କାର୍ଯ୍ୟକାରୀ ହୋଇଥିବା ଦର୍ଶାଇ ଏହି ଅଧିକାରୀମାନଙ୍କ ପକ୍ଷରୁ କେବଳ ସତ୍ୟପାଠ ଦାଖଲ କରାଯାଇଥିଲା । ଅକ୍ଟୋବର ୨୮ରେ ହାଇକୋର୍ଟ ଅଦାଲତ ଅବମାନନା ମାମଲା ଗୁଡିକର ଶୁଣାଣି କରି ଏହି ଅଧିକାରୀମାନଙ୍କ ବିରୋଧରେ ଜାମିନ ଯୋଗ୍ୟ ଗିରଫ ପରୱାନା ଜାରି କରିଥିଲେ। ପୁଲିସକୁ ନଭେମ୍ବର ୩ରେ ଏହି ଅଧିକାରୀଙ୍କୁ ହାଜର କରିବା ପାଇଁ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ ।

ହାଇକୋର୍ଟଙ୍କ ପୂର୍ବ ନିର୍ଦ୍ଦେଶ ପାଳନ କରାଯାଇଥିବା ନେଇ ଏହି ଅଧିକାରୀମାନେ ସତ୍ୟପାଠ ଦାଖଲ କରିବା ସହିତ ନିସର୍ତ୍ତ କ୍ଷମା ପ୍ରାର୍ଥନା କରିଥିଲେ । ଅଧିକାରୀମାନଙ୍କ ସତ୍ୟପାଠକୁ ବିଚାରକୁ ନେଇ ହାଇକୋର୍ଟ ଅକ୍ଟୋବର ୨୮ର ନିର୍ଦ୍ଦେଶରେ ପରିବର୍ତ୍ତନ କରି ଗିରଫ ପରୱାନା ନିର୍ଦ୍ଦେଶ ପ୍ରତ୍ୟାହାର ପାଇଁ ନଭେମ୍ବର ୨ରେ ଆଦେଶ ଦେଇଥିଲେ । ଏହାପରେ ମାମଲାର ଶୁଣାଣି ସମୟରେ ଏହି ଅଧିକାରୀମାନେ ହାଇକୋର୍ଟରେ ବ୍ୟକ୍ତିଗତ ଭାବେ ହାଜର ହୋଇଥିଲେ। ହାଇକୋର୍ଟଙ୍କ ପୂର୍ବ ନିର୍ଦ୍ଦେଶ ସଂପୂର୍ଣ୍ଣ ଭାବେ କାର୍ଯ୍ୟକାରୀ ହୋଇ ନଥିବା ଅଦାଲତ ଅବମାନନା ମାମଲାର ଶୁଣାଣି ସମୟରେ ସ୍ପଷ୍ଟ ହୋଇଥିଲା ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

ABOUT THE AUTHOR

...view details