କଟକ: ରାଜ୍ୟରେ ଘରୋଇ ସ୍କୁଲ ଫି' ହ୍ରାସ ପ୍ରସଙ୍ଗରେ ହାଇକୋର୍ଟଙ୍କ ନିକଟରେ ନିଜର ମତାମତ ରଖିଛନ୍ତି ରାଜ୍ୟ ସରକାର। କୋରୋନା ମହାମାରୀ ସମୟରେ ରାଜ୍ୟରେ ଥିବା ଘରୋଇ ସ୍କୁଲଗୁଡ଼ିକର ଫି ହ୍ରାସ କରିବାକୁ ଦାବି କରିଥିଲା ଓଡ଼ିଶା ଅଭିଭାବକ ମହାସଂଘ। ଏହି ମାମଲାକୁ ନେଇ ରାଜ୍ୟ ସରକାରଙ୍କ ମତାମତ ଲୋଡ଼ିଥିଲେ ମାନ୍ୟବର ହାଇକୋର୍ଟ। ତେବେ ଏନେଇ ସ୍କୁଲ କର୍ତ୍ତୃପକ୍ଷ ଓ ଅଭିଭାବକ ସଙ୍ଘ ସହ ଏମଓୟୁ ସ୍ବାକ୍ଷର କରିଛନ୍ତି ରାଜ୍ୟ ସରକାର। ଏହି ଏମଓୟୁ ଅନୁଯାୟୀ ହାଇକୋର୍ଟ ନିର୍ଦ୍ଦେଶ ଦିଅନ୍ତୁ ବୋଲି ରାଜ୍ୟ ସରକାର ମତ ଦେଇଛନ୍ତି।
କୋରୋନା ମହାମାରୀ ଯୋଗୁଁ ଆର୍ଥିକ ସଙ୍କଟ ଦେଖା ଦେଇଛି। ଏହାସହ ଏହି ସମୟରେ ସମସ୍ତ ସ୍କୁଲ ପ୍ରାୟ ବନ୍ଦ ରହିଥିଲା। ଏଥିପାଇଁ ରାଜ୍ୟରେ ଘରୋଇ ସ୍କୁଲରେ ଫି କିଛି ଛାଡ଼ କରିବା କିମ୍ବା କିଛି ପ୍ରତିଶତ କମାଇବାକୁ ଦାବି କରିଥିଲା ଓଡ଼ିଶା ଅଭିଭାବକ ମହାସଂଘ। ଏନେଇ ହାଇକୋର୍ଟ ନିକଟରେ ଏକ ମାମଲା ରୁଜୁ କରିଥିଲା ଅଭିଭାବକ ମହାସଂଘ। ଗତ ଅକ୍ଟୋବର ୧୯ ତାରିଖରେ ଏ ସଂକ୍ରାନ୍ତୀୟ ଶୁଣାଣି କରିଥିଲେ ହାଇକୋର୍ଟ। ଘରୋଇ ସ୍କୁଲ ଫି' ହ୍ରାସ ସମ୍ପର୍କରେ ରାଜ୍ୟ ସରକାରଙ୍କ ଗଣଶିକ୍ଷା ବିଭାଗ ନିଜର ଆଭିମୁଖ୍ୟ ସ୍ପଷ୍ଟ କରିବାକୁ ନିର୍ଦ୍ଦେଶ ଦେଇଥିଲେ ହାଇକୋର୍ଟ।
ହାଇକୋରଙ୍କ ନିର୍ଦ୍ଦେଶ ପରେ ରାଜ୍ୟ ସରକାରଙ୍କ ଶିକ୍ଷା ବିଭାଗ, ସ୍କୁଲ କର୍ତ୍ତୃପକ୍ଷ, ଶିକ୍ଷକ ସଂଘ ଓ ଅବିଭାବକ ମହାସଂଘର ମିଳିତ ବୈଠକ ଆୟୋଜନ ହୋଇଥିଲା। ରାଜ୍ୟ ସରକାରଙ୍କ ମୁଖ୍ୟ ଶାସନ ସଚିବ କିଛି ପ୍ରତିଶତ ସ୍କୁଲ ଫି' କମାଇଦେବାକୁ ଘରୋଇ ସ୍କୁଲଗୁଡ଼ିକୁ ଅନୁରୋଧ କରିଥିଲେ। ବୈଠକରେ ସକରାତ୍ମକ ଆଲୋଚନା ହୋଇଥିବା ନେଇ ସୂଚନା ମିଳିଥିଲା। ବୈଠକରେ ହୋଇଥିବା ନିଷ୍ପତ୍ତିକୁ ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ଏକ ରିପୋର୍ଟ ପ୍ରସ୍ତୁତ କରାଯାଇଥିଲା। ଏହି ରିପୋର୍ଟକୁ ହାଇକୋର୍ଟଙ୍କ ନିକଟରେ ଉପସ୍ଥାପିତ କରିଛନ୍ତି ରାଜ୍ୟ ସରକାର। ଏହି ବୈଠକରେ ଘରୋଇ ସ୍କୁଲ କର୍ତ୍ତୃପକ୍ଷ, ଅଭିଭାବକ ସଙ୍ଘ ସହ ରାଜ୍ୟ ସରକାର ଏକ ଏମଓୟୁ ସ୍ବାକ୍ଷର କରିଥିଲେ।