କଟକ:ସ୍କୁଲ ଫି' ହ୍ରାସ ପ୍ରସଙ୍ଗକୁ ନେଇ ହାଇକୋର୍ଟରେ ଜବାବ ଦାଖଲ କଲା ଡିଏଭି ସ୍କୁଲ ଏବଂ ଆଇସିଏସଇ ସ୍କୁଲ ସଙ୍ଗଠନ। ଆରଟିଇ(rte)ଆକ୍ଟ ୨୦୦୯ ଆସିବା ପରେ ଚୁକ୍ତିନାମା ପ୍ରାସଙ୍ଗିକତା ହରାଇଥିବା ଏଥିରେ ଉଲ୍ଲେଖ କରାଯାଇଛି। ଏହି ମାମଲାର ପରବର୍ତ୍ତୀ ଶୁଣାଣି ଡିସେମ୍ବର 15 ତାରିଖ ହେବ ବୋଲି ହାଇକୋର୍ଟ କହିଛନ୍ତି ।
ସ୍କୁଲ ଫି' ହ୍ରାସ ପ୍ରସଙ୍ଗକୁ ନେଇ ରାଜ୍ୟ ସରକାର କରିଥିବା ଏମଓୟୁ ଅନୁଯାୟୀ କୌଣସି ନିଷ୍ପତ୍ତି ନେବା ପୂର୍ବରୁ ହାଇକୋର୍ଟରେ ଯୁକ୍ତି ବାଢିଥିଲେ ଆଡଭୋକେଟ ଜେନେରାଲ। ରାଜ୍ୟରେ ସ୍କୁଲ ଫି ପରିଚାଳନା ପାଇଁ କୌଣସି ଆଇନ ନାହିଁ। ଏହାକୁ ନେଇ ଡିସେମ୍ବର ୨ ତାରିଖରେ ସ୍ପଷ୍ଟ କରିଥିଲେ ଆଡଭୋକେଟ ଜେନେରାଲ। ଗତ ସେପ୍ଟେମ୍ବର ୧୦ ତାରିଖରେ ଏ ସଂକ୍ରାନ୍ତରେ ରାଜ୍ୟ ସରକାର, ସ୍କୁଲ କର୍ତ୍ତୃପକ୍ଷ ଓ ଅବିଭାବକ ସଙ୍ଘ ମଧ୍ୟରେ ଏମଓୟୁ ସ୍ବାକ୍ଷର ହୋଇଛି । ଏଥିପାଇଁ ଏହି ଏମଓୟୁ ଅନୁଯାୟୀ ହାଇକୋର୍ଟ ନିଷ୍ପତ୍ତି ନେବାକୁ ରାଜ୍ୟ ସରକାର ପୁନଶ୍ଚ ମତ ଦୋହରାଇଛନ୍ତି।
ସ୍କୁଲ ଫି ହ୍ରାସ ପ୍ରସଙ୍ଗରେ ଓଡ଼ିଶା ହାଇକୋର୍ଟରେ ଗତ ନଭେମ୍ବର ୨୩ ତାରିଖରେ ଶୁଣାଣି ହୋଇଥିଲା। ଏହି ଶୁଣାଣି ବେଳେ ସ୍କୁଲ ଫି ହ୍ରାସ ପ୍ରସଙ୍ଗରେ ଘରୋଇ ସ୍କୁଲ କର୍ତ୍ତୃପକ୍ଷ କିଛି ଅଧିକାର ଅଛି ନା ନାହିଁ ଓ ଏହାକୁ ନେଇ ରାଜ୍ୟ ସରକାରଙ୍କ ଆଭିମୁଖ୍ୟ ସ୍ପଷ୍ଟ କରି ସତ୍ୟପାଠ ଦାଖଲ କରିବାକୁ ହାଇକୋର୍ଟ କହିଥିଲେ। ଏହି ସମୟରେ ମଧ୍ୟ ରାଜ୍ୟ ସ୍ବାକ୍ଷର ହୋଇଥବା ଏମଓୟୁ ଅନୁଯାୟୀ ନିଷ୍ପତ୍ତି ନେବାକୁ କହିଥଲେ ।
ଅଭିଭାବକ ମହାସଙ୍ଘ ସତ୍ୟପାଠ ମାଧ୍ୟମରେ ଦର୍ଶାଇଥିଲେ ଯେ, କୋରୋନା ମହାମାରୀ ଯୋଗୁଁ ପଞ୍ଜାବ ଓ ହରିଆନା ସରକାରଙ୍କ ପକ୍ଷରୁ ସ୍କୁଲ ଫି କମାଇବାକୁ ନିଷ୍ପତ୍ତି ନେଇଛନ୍ତି। ସେହିଭଳି ରାଜସ୍ଥାନ ସରକାର ୪୦ ପ୍ରତିଶତ ଫି କମାଇବା ସହ ସମସ୍ତ ଆନୁଷଙ୍ଗିକ ଖର୍ଚ୍ଚ କମାଇଦେବାକୁ ନିଷ୍ପତ୍ତି ନେଇଛନ୍ତି। ରାଜ୍ୟ ସରକାର ଏନେଇ ସ୍କୁଲ କର୍ତ୍ତୃପକ୍ଷ ଓ ଅବିଭାବକ ସଙ୍ଘ ସହ ଏମଓୟୁ ସ୍ବାକ୍ଷର କରିଥିବା ବେଳେ ସେହି ଏମଓୟୁ ଅନୁଯାୟୀ ହାଇକୋର୍ଟ ନିର୍ଦ୍ଦେଶ ନାମା ଦିଅନ୍ତୁ ବୋଲି ମତାମତ ରଖିଥିଲେ ଗଣଶିକ୍ଷା ବିଭାଗ ।