କଟକ: ବାରବାଟୀ ଷ୍ଟାଡିୟମକୁ ଫେରିବ ଟେଷ୍ଟ ମ୍ୟାଚ । ଏନେଇ ବିସିସିଆଇ ସହ ହୋଇଛି ଆଲୋଚନା । ବିଶେଷକରି ବିସିସିଆଇ ନିର୍ବାଚନ ନୋମିନେସନର ପୂର୍ବ ଦିନ ଏନେଇ ଆଲୋଚନା ହୋଇଛି ବୋଲି କହିଛନ୍ତି ଓସିଏ ସମ୍ପାଦକ ସଞ୍ଜୟ ବେହେରା । ନୂତନ ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲିଙ୍କୁ ସମର୍ଥନ କରିବା ସହ, ସେ ଏହି ପ୍ରସଙ୍ଗରେ ଆଲୋଚନା କରିଥିବା କହିଛନ୍ତି ।
ଭିଡିଓ ସୌଜନ୍ୟ: ସମ୍ବାଦଦାତା କଟକ ତେବେ ବାରବାଟୀରେ 2ଟି ଟେଷ୍ଟ ମ୍ୟାଚ ଖେଳାଯାଇଛି । ପ୍ରଥମ ମ୍ୟାଚ 1987 ମସିହାରେ ଖେଳାଯାଇଥିଲା । 2ୟ ଟେଷ୍ଟ 1995 ମସିହାରେ ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯାଇଥିଲା ।ତେବେ ଦୀର୍ଘ ବର୍ଷ ପରେ ବାରବାଟୀରେ ଟେଷ୍ଟର ମ୍ୟାଚ ହେବା ନେଇ ସମ୍ଭାବନା ସୃଷ୍ଟି ହୋଇଛି । ବିସିସିଆଇର ଗ୍ରୀନ ସିଗନାଲ ମିଳିଲେ ମ୍ୟାଚ ନିଶ୍ଚୟ ହେବ ବୋଲି କହିଛନ୍ତି ଓସିଏ ସମ୍ପାଦକ । ଏଥିସହିତ ବାରବାଟୀରେ ଆଇପିଏଲ ମ୍ୟାଚ ନେଇ ମଧ୍ୟ ମତ ରଖିଛନ୍ତି ଓସିଏ ସମ୍ପାଦକ । ଆଇପିଏଲ ମ୍ୟାଚ ହେବା ଚ୍ୟାଲେଞ୍ଜ ରହୁଛି । କାରଣ ଆଇପିଏଲରେ ଓଡିଶାର ଭୂମିକା ବିଶେଷ କିଛି ରହୁନାହିଁ । ସେଥିପାଇଁ ଏଠାରେ ହୋମ ଗ୍ରାଉଣ୍ଡ ହେଉନି ।ଅନ୍ୟପଟେ ଦିନିକିଆ ମ୍ୟାଚ ପାଇଁ ଷ୍ଟାଡିୟମ ପ୍ରସ୍ତୁତ ରହିଛି । କେବଳ ବିସିସିଆଇ ନୂଆ ଟିମ ନିଯୁକ୍ତ ହେଲା ପରେ ପାଣ୍ଠି ଆସିବା ଆରମ୍ଭ ହେବ ଏବଂ ବଦଳିଯିବ ବାରବାଟି ଷ୍ଟାଡିଅମ ସ୍ଥିତି । ତାପରେ ବାରବାଟୀରେ ମ୍ୟାଚ ହେବା ନେଇ ଅସୁବିଧା ରହିବନି ବୋଲି କହିଛନ୍ତି ଓସିଏ ସମ୍ପାଦକ ।
କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ