କଟକ:ନରସିଂହପୁରରେ ବିଜେଡି ଓ ବିଜେପି କର୍ମୀ ମୁହାଁମୁହିଁ ହୋଇଛନ୍ତି । ଆବାସ ଯୋଜନାକୁ ନେଇ ଦୁଇ ରାଜନୈତିକ ଦଳ ମଧ୍ୟରେ ତୁମୁଳକାଣ୍ଡ ହୋଇଛି । ଦୁଇ ଦଳର କର୍ମୀ ପରସ୍ପର ଉପରକୁ ଢେଲା ପଥର ମାଡ଼ କରିବାକୁ ପଛାଇ ନଥିଲେ । ଫଳରେ ଦୁଇ ଦଳର ବହୁ କର୍ମୀ ଆହତ ହୋଇଛନ୍ତି।
ରାଜ୍ୟରେ ଆବାସ ଯୋଜନାରେ ଅନିୟମିତତା ହୋଇଥିବା ନେଇ ବିଜେପି ପକ୍ଷରୁ ସମସ୍ତ ବ୍ଲକ ସମ୍ମୁଖରେ ଧାରଣା ଦେବା ସହ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କରାଯାଉଛି । ଏହି ପରିପ୍ରେକ୍ଷୀରେ ବଡ଼ମ୍ବା ନରସିଂହପୁର ବିଜେପି ପକ୍ଷରୁ ବିଜେପି ବିଧାୟକ ପ୍ରାର୍ଥୀ ବିଜୟ କୁମାର ଦଳବେହେରାଙ୍କ ସହ କଟକ ଜିଲ୍ଲା ସାଧାରଣ ସମ୍ପାଦକ ରାମନାରାୟଣ ମହାନ୍ତିଙ୍କ ନେତୃତ୍ଵରେ ନରସିଂହପୁର ବ୍ଲକ ଘେରାଉ କରିଥିଲା ବିଜେପି । ଏହି ସମୟରେ ବିଜେପି କର୍ମୀ ଓ ବିଜେଡି ସମର୍ଥକଙ୍କ ମଧ୍ୟରେ ପ୍ରଥମେ କଥାକଟାକଟି ଓ ପରେ ଧସ୍ତାଧସ୍ତି ହେବା ସହ ଢେଲାପଥର ମାଡ ହୋଇଥିଲା ।