କଟକ : ଓଡ଼ିଶାରେ ଲାଗୁହେବ 5ଜି ସେବା । କେନ୍ଦ୍ର ଟେଲିକମ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏନେଇ ଗତକିଛି ଦିନ ତଳେ ରଖିଛନ୍ତି ତାଙ୍କ ପକ୍ଷ । ତେବେ ଏହି ଦିଗରେ ପ୍ରତିକ୍ରିୟା ରଖିଛନ୍ତି କଟକ ବଡ଼ମ୍ବା ବିଧାୟକ ଦେବୀ ପ୍ରସାଦ ମିଶ୍ର । ବିଧାୟକ ଦେବୀ ପ୍ରସାଦ ମିଶ୍ର କହିଛନ୍ତି, ''ଯେଉଁଠି ନେଟ୍ ସଂଯୋଗୀକରଣ ନାହିଁ ସେଠି 5ଜି ସେବା କିପରି ଆରମ୍ଭ ହେବ ।
ଏବେବି ବଡ଼ମ୍ବାରେ ଅନେକ ଗାଁ ଅଛି ଯେଉଁଠି ନେଟ ପହଞ୍ଚି ପାରିନି । 2ଜି, 3ଜି, 4ଜି ସେବା ସେମାନଙ୍କ ପାଇଁ ସ୍ୱପ୍ନ । ତେବେ ପ୍ରଥମେ ଇଣ୍ଟରନେଟ ବ୍ୟବସ୍ଥା ହେଉ ତା ପରେ 5 ଜି କଥା ଚିନ୍ତା କରାଯିବ । ଅଶ୍ୱିନୀ ବୈଷ୍ଣବ ଓଡିଶାରୁ କେନ୍ଦ୍ରମନ୍ତ୍ରୀ ହୋଇଛନ୍ତି । ତେବେ ଓଡ଼ିଶାର ଏହି ଦିଗକୁ ପ୍ରଥମେ ନଜର ଦିଅନ୍ତୁ ତା ପରେ 5ଜି କଥା ଚିନ୍ତା କରିବେ ।''
ସୂଚନାନୁସାରେ ଦେଶରେ ଅକ୍ଟୋବର ସୁଦ୍ଧା ୫-ଜି ସେବା ଆରମ୍ଭ ହେବ । କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏହି ଘୋଷଣା କରି କହିଛନ୍ତି, ଏହା ପରେ ଧିରେ ଧିରେ ଅନ୍ୟ ଛୋଟ ବଡ ସହରକୁ ଏହି ସେବା ବିସ୍ତାର କରାଯିବ । ଆସନ୍ତା ୨ରୁ ୩ ବର୍ଷ ଭିତରେ ଦେଶର କୋଣ ଅନୁକୋଣରେ ୫-ଜି ସେବା ଉପଲବ୍ଧ ହେବ ବୋଲି ଅଶ୍ୱିନୀ ବୈଷ୍ଣବ ଆଶା ପ୍ରକାଶ କରିଛନ୍ତି ।
ଟେଲିକମ କମ୍ପାନୀ ଗୁଡିକ ଏଥିପାଇଁ କାମ କରୁଛନ୍ତି ଓ ଇନଷ୍ଟାଲସେନର କାମ ଜାରି ରହିଛି । ଏହାସହ ଟେଲିକମ୍ କମ୍ପାନୀ ଗୁଡିକ ସରକାରଙ୍କୁ ଯେତିକି ଟଙ୍କା ଦେବା କଥା ତାହା ପୈଠ କରିସାରିଛନ୍ତି ବୋଲି ନିକଟରେ କହିଛନ୍ତି ଅଶ୍ୱିନୀ ବୈଷ୍ଣବ । ହେଲେ ଏହାକୁ ନେଇ ନିକଟରେ କଂଗ୍ରେସ ବିଧାୟକ ଅଧିରାଜ ପାଣିଗ୍ରାହୀ ବି କେନ୍ଦ୍ର ଟେଲିକମ ମନ୍ତ୍ରୀଙ୍କ ଉପରେ ବର୍ଷିଥିଲେ ।