କଟକ:ସମ୍ପତ୍ତି ପାଇଁ ସଇତାନ ସାଜିଲା ପୁଅ । ଟଙ୍କା ପଇସା ଜମିବାଡି ସମ୍ପତ୍ତି ଲୋଭରେ ନିଜ ପ୍ରକୃତ ସମ୍ପତ୍ତିକୁ ନିଜ ହାତରେ ଧ୍ବସଂ କଲା ପୁଅ । ଜମିବାଡ଼ି ବିବାଦ ତଥା ପାରିବାରିକ କଳହକୁ କେନ୍ଦ୍ର କରି ମାଆକୁ ହତ୍ୟାକଲା ପୁଅ । ଏପରି ଘଟଣା ଘଟିଛି କଟକ ଜିଲ୍ଲା ଶ୍ରୀବିହାର କଲୋନୀରେ । ମୃତକ ମହିଳା ଜଣକ ହେଲେ ପରେଶ କୁମାରୀ ସିଂହଦେଓ । ସେ କନିକା ରାଜାଙ୍କ ନାତୁଣୀ ବୋହୂ ବୋଲି ଜଣାପଡିଛି । ଅଭିଯୁକ୍ତ ପୁଅ ଗୋପାଳ ଭଞ୍ଜଦେଓକୁ ବିଡ଼ାନାସୀ ଥାନାରେ ଅଟକ ରଖିଛି ପୋଲିସ ।
ସୂଚନାଅନୁସାରେ କିଛି ଦିନ ହେବ ଜମିବାଡିକୁ ନେଇ ଘରେ ବିବାଦ ଲାଗିରହିଥିଲା । ପୂର୍ବରୁ ମଧ୍ୟ ଗୋପାଳ ପରେଶ ଦେବୀଙ୍କୁ ଜୀବନରୁ ମାରିଦେବାକୁ ଉଦ୍ୟମ କରିଥିଲେ। ଏନେଇ ପୋଲିସକୁ ଖବର ମଧ୍ୟ ଦିଆଯାଇଥିଲା । ତେବେ ପୋଲିସ ଗୋପାଳକୁ ତାଗିଦ କରି ଛାଡି ଦେଇଥିଲେ । ଆଜି ସକାଳୁ ଏକ ଧାରୁଆ ଅସ୍ତ୍ରରେ ପରେଶ ଦେବୀଙ୍କୁ ହତ୍ୟା କରିଛି । ଏହି ସମୟରେ ପରେଶ ଦେବୀଙ୍କ ଝିଅ ଘରେ ଉପସ୍ଥିତ ଥିଲେ।