କଟକ: ରାଜ୍ୟରେ ସ୍କୁଲ ଫି ହ୍ରାସ ପ୍ରସଙ୍ଗରେ ନିଜର ଆଭିମୁଖ୍ୟ ସତ୍ୟପାଠ ମାଧ୍ୟମରେ ଜଣାଇବାକୁ ସରକାରଙ୍କୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ବିଶେଷକରି ରାଜସ୍ଥାନ,ପଞ୍ଜାବ ଓ ହରିଆନା ରାଜ୍ୟ ଭଳି, ନିର୍ଦ୍ଦିଷ୍ଟ ଫି ଛାଡ଼ କରିବା ପାଇଁ ସତ୍ୟପାଠ ଜରିଆରେ ନିଜର ଆଭିମୁଖ୍ୟ ସ୍ପଷ୍ଟ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।
ଆସନ୍ତା ୨ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ କୋର୍ଟ ଦିନ ଧାର୍ଯ୍ୟ କରିଛନ୍ତି । ରାଜ୍ୟ ସରକାର ଏନେଇ ସ୍କୁଲ କର୍ତ୍ତୃପକ୍ଷ ଓ ଅଭିଭାବକ ସଙ୍ଘ ସହ ଏମଓୟୁ ସ୍ବାକ୍ଷର କରିଥିବା ବେଳେ ତାହା ଅନୁଯାୟୀ ହାଇକୋର୍ଟ ନିର୍ଦ୍ଦେଶ ନାମା ଦିଅନ୍ତୁ ବୋଲି ପୂର୍ବରୁ ନିଜର ମତାମତ ରଖିଥିଲେ ରାଜ୍ୟ ସରକାର ।
ତେବେ ଓଡିଶା ଅଭିଭାବକ ମହାସଂଘ କୋରୋନା ପାଇଁ ଘରୋଇ ବିଦ୍ୟାଳୟ ଗୁଡିକ ଫି ଛାଡ଼ କରିବାକୁ ହାଇକୋର୍ଟରେ ମାମଲା ଦାଖଲ କରିଛି । ଗତ ଅକ୍ଟୋବର ୧୯ ଏ ସଂକ୍ରାନ୍ତୀୟ ଶୁଣାଣୀ କରି ଫି ହ୍ରାସ ସମ୍ପର୍କରେ ରାଜ୍ୟ ସରକାରଙ୍କ ଗଣଶିକ୍ଷା ବିଭାଗର ଆଭିମୁଖ୍ୟ ସ୍ପଷ୍ଟ କରିବାକୁ ନିର୍ଦ୍ଦେଶ ଦେଇଥିଲେ ହାଇକୋର୍ଟ । ସାତୋଟି ସ୍ଲାବରେ ଫି ହ୍ରାସ କରିବାକୁ ରାଜ୍ୟ ସରକାର ହାଇକୋର୍ଟରେ ପ୍ରସ୍ତାବ ରଖିଥିଲେ । ଗତ ସେପ୍ଟେମ୍ବର ୧ ତାରିଖରେ ଏହି ମାମଲାର ଶୁଣାଣି ବେଳେ ହାଇକୋର୍ଟ ଏହାର ଅପୋଷ ସମାଧାନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ହାଇକୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ରାଜ୍ୟ ସରକାରଙ୍କ ଶିକ୍ଷା ବିଭାଗ, ସ୍କୁଲ କର୍ତ୍ତୃପକ୍ଷ, ଶିକ୍ଷକ ସଂଘ ଓ ଅବିଭାବକ ମହାସଂଘର ମିଳିତ ବୈଠକ ଆୟୋଜନ ହୋଇଥିଲା ।