କଟକ:ପାଖେଇ ଆସୁଛି କାଳୀପୂଜା(Kali puja) । ଚଳିତବର୍ଷ ବିନା କଟକଣାରେ ମା'ଙ୍କର ପୂଜା ଅନୁଷ୍ଠିତ ହେବ । ଏନେଇ କଟକରେ ଗତକାଲି(ରବିବାର) ଶାନ୍ତି କମିଟି ପକ୍ଷରୁ ପ୍ରସ୍ତୁତି ବୈଠକ କରାଯାଇଛି । ଏହି ବୈଠକରେ ଅନେକ ପୂଜା କମିଟି, ମେୟର, ଜିଲ୍ଲାପାଳ ଓ କଟକ ଡିସିପି ଯୋଗଦେଇଥିଲେ ।
କଟକରେ ଧୁମଧାମରେ ପାଳନ ହେବ ଚଳିତ ବର୍ଷ କାଳୀପୂଜା । 2019 ପରି ଚଳିତବର୍ଷ କାଳୀପୂଜା ଖୁବ ଜାକଜକମରେ କଟକରେ ପାଳିତ ହେବ । ମୋଟ 75ଟି ମଣ୍ଡପରେ ପୂଜା ପାଇବେ ମାଆ କାଳୀ । ଚଳିତମାସ 24 ତାରିଖରୁ ଆରମ୍ଭ ହେବ ମାଆଙ୍କ ପୂଜା । 28 ତାରିଖରେ ମା’ଙ୍କ ହେବ ଭସାଣି ଉତ୍ସବ । ଯେପରି ଦୁର୍ଗା ପୂଜା ସମୟରେ କଟକରେ ଭସାଣି ପାଇଁ ଏକ ସ୍ୱତନ୍ତ୍ର ରୁଟ ସ୍ଥିର ହୋଇଥିଲା ସେହିପରି ମା’ କାଳୀଙ୍କ ଭସାଣି ଅନୁଷ୍ଠିତ ହେବ । ସବୁ ମେଢ଼ ଦେବୀଗଡାରେ ବିସର୍ଜନ କରାଯିବା ନେଇ ନିଷ୍ପତ୍ତି ହୋଇଛି । ତେବେ କାଳୀ ପୂଜା କୋଭିଡ କାରଣରୁ ଦୀର୍ଘ ଦୁଇ ବର୍ଷ ଧରି ମଣ୍ଡପ ପୂଜାରେ ବାଧା ଉପୁଜିଥିଲା । କିନ୍ତୁ ଚଳିତବର୍ଷ ଏହାକୁ ଧୁମଧାମରେ ପାଳନ କରିବା ସହ ଶାନ୍ତି ଶୃଙ୍ଖଳା ବଜାୟ ରଖିବା ନେଇ କହିଛନ୍ତି ଶାନ୍ତି କମିଟି ସଭାପତି ।