କଟକ: ପୋକ୍ସୋ କୋର୍ଟ ବିଚାରପତି ସୁବାସ କୁମାରୀ ବିହାରୀଙ୍କ ମୃତ୍ୟୁ ଘଟଣାରେ(POCSO Judge Death Case) ମୃତଦେହ ବ୍ୟବଚ୍ଛେଦ ରିପୋର୍ଟ ଆସିଲା ପରେ ପୋଲିସର ତଦନ୍ତ ଦିଗ କ'ଣ ରହିବ ? ଆତ୍ମହତ୍ୟା ରିପୋର୍ଟ ଆସିଲା ପରେ ତଦନ୍ତ ପ୍ରକ୍ରିୟାରେ ହେବ କି ଶିଥିଳତା ? ହତ୍ୟା ମାମଲାକୁ ବାଦ୍ ଦେଇ ତଦନ୍ତ କରିବ କି ପୋଲିସ ? କେବଳ ଆତ୍ମହତ୍ୟା ଜନିତ କାରଣ ଖୋଜିବ ନା ୩୦୬ ମାମଲା ରୁଜୁ କରି ତଦନ୍ତ କରିବ ? ଏନେଇ ଏବେ ଅନେକ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।
ଯଦିଓ ମୃତଦେହ ବ୍ୟବଚ୍ଛେଦ ରିପୋର୍ଟରେ ଆତ୍ମହତ୍ୟା କାରଣରୁ ଶ୍ବାସରୁଦ୍ଧ ହୋଇ ବିଚାରପତିଙ୍କର ମୃତୁ ଘଟିଥିବା ସ୍ପଷ୍ଟ ହୋଇଛି । ତଥାପି ଏହାର ଆହୁରି ସଠିକ ତଦନ୍ତ କରିବାକୁ ପରାମର୍ଶ ଦେଇଛନ୍ତି ବରିଷ୍ଠ ଆଇନଜୀବୀ ମାନସ ଚାନ୍ଦ । ଆଇନଜୀବୀଙ୍କ କହିବା ଅନୁଯାୟୀ, ''ବିଚାରପତିଙ୍କ ବେକରେ ରଶି ଲଗାଇ ହତ୍ୟା କରାଯିବା ପରେ ଆତ୍ମହତ୍ୟାର ରୂପ ଦେବା ପାଇଁ ହୁଏତ ମୃତଦେହକୁ ଝୁଲାଇ ଦିଆଯାଇ ଥାଇପାରେ । ତେଣୁ ଏହି ଘଟଣାରେ ହତ୍ୟା ମାମଲାକୁ ନଜରରେ ରଖି ପୋଲିସ ତଦନ୍ତ କରିବା ଉଚିତ୍ । କେବଳ ସେତିକି ନୁହେଁ ଆଇପିସିର ଧାରା ୩୦୬ରେ ମଧ୍ୟ ତଦନ୍ତ କରାଯିବା ଆବଶ୍ୟକ ।''
ଆଇପିସିର ଧାରା ୩୦୬ ଅର୍ଥାତ ଆତ୍ମହତ୍ୟା ପାଇଁ ପ୍ରବର୍ତ୍ତାଇବା । ଯଦି ବିଚାରପତି ଆତ୍ମହତ୍ୟା କରିଛନ୍ତି ତେବେ ତାଙ୍କୁ ଆତ୍ମହତ୍ୟା ପାଇଁ କେହି ପ୍ରବର୍ତ୍ତାଇଛନ୍ତି କି ? ବିଚାରପତିଙ୍କ ମାଆଙ୍କ ଅଭିଯୋଗ ଅନୁଯାୟୀ ତାଙ୍କ ପତ୍ନୀ ଏବଂ ଶଳାଙ୍କ ପାଇଁ ବିଚାରପତିଙ୍କର ମୃତ୍ୟୁ ଘଟିଛି । ତେବେ ଏହାକୁ ପୋଲିସ ଗୁରୁତ୍ବର ନେଇ ତଦନ୍ତ କରିବାକୁ ଆଇନଜୀବୀ ପ୍ରତିକ୍ରିୟା ରଖିଛନ୍ତି ।