ଓଡିଶା

odisha

By

Published : Aug 21, 2019, 10:55 PM IST

ETV Bharat / city

କଟକରେ ଏନକାଉଣ୍ଟର, ଦୁର୍ଦ୍ଦାନ୍ତ ଅପରାଧୀ ମନୋଜ ଆହତ

ଟ୍ବିଟ ସିଟିରେ ପୁଣି ଏନକାଉଣ୍ଟର । ଭୁବନେଶ୍ବର ପରେ କଟକରେ ହୋଇଛି ଏନକାଉଣ୍ଟର । ପୋଲିସ ଏନକାଉଣ୍ଟରରେ ଦୁର୍ଦ୍ଦାନ୍ତ ଅପରାଧୀ ଅମିତ ଓରଫ ମନୋଜ ପାତ୍ର ଆହତ ହୋଇଛି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, କଟକ

କଟକ: ପୋଲିସ ଏନକାଉଣ୍ଟରରେ ଦୁର୍ଦ୍ଦାନ୍ତ ଅପରାଧୀ ଅମିତ ଓରଫ ମନୋଜ ପାତ୍ର ଆହତ ହୋଇଛି । ଶିଳ୍ପପତିଙ୍କ ଘରୁ ଡକାୟତି ଘଟଣାରେ ମୁଖ୍ୟ ଅଭିଯୁକ୍ତ ଥିବା ମନୋଜକୁ ଆଜି ପୋଲିସ ଅଟକାଇବାକୁ ଉଦ୍ୟମ କରିଥିଲା । ତେବେ ମନୋଜ ଗୁଳି ଚଳାଇବାରୁ ପୋଲିସ ପାଲଟା ଗୁଳି ଚଳାଇଥିଲା । ଏଥିରେ ମନୋଜର ଡାହାଣ ଗୋଡରେ ଗୁଳି ବାଜିଥିଲା । ଆହତ ମନୋଜକୁ ଏସସିବିରେ ଚିକିତ୍ସା କରାଯାଉଛି ।

ସୂଚନା ଅନୁଯାୟୀ, ଗତ ଜୁନ 28 ତାରିଖରେ ଜଗତପୁର ଅଞ୍ଚଳର ଜଣେ ଶିଳ୍ପପତିଙ୍କ ଘରୁ ଡକାୟତି ହୋଇଥିଲା । 5 ରୁ 6 ଜଣ ଡକାୟତ ଏହି ଡକାୟତି କରିଥିବା ବେଳେ ମନୋଜ ପାତ୍ର ଏହାର ମାଷ୍ଟରମାଇଣ୍ଡ ଥିଲା ବୋଲି ଜଗତପୁର ପୋଲିସ ତଦନ୍ତରୁ ଜାଣିଥିଲା । ମନୋଜ ଆଜି ସଂଧ୍ୟା ସମୟରେ ଏକ ଲାଲ ହୁଣ୍ଡାଇ କାର ଯୋଗେ କେନ୍ଦ୍ରାପଡା କେନାଲ ଦେଇ ଯାଉଥିବା ପୋଲିସ ଖବର ପାଇଥିଲା । ଏହାପରେ ଉକ୍ତ ଗାଡିଟିକୁ ଅଟକାଇବାକୁ ଚେଷ୍ଟା କରିଥିଲା । ହେଲେ ଗାଡି ଅଟକାଇବା ପରିବର୍ତ୍ତେ ମନୋଜ ପ୍ରଥମେ ପୋଲିସ ଉପରକୁ ଗୁଳି ଚଳାଇଥିଲା।

ଏହାର ଜବାବରେ ପୋଲିସ ପାଲଟା ଗୁଳି ଚାଳନା କରିଥିଲା। ତେବେ ପୋଲିସ ଗୁଳି ମନୋଜର ଡାହାଣ ଗୋଡ଼ରେ ବାଜିବାରୁ ସେ ଆହତ ହୋଇଥିଲା । ସେଠାରେ ପୋଲିସ ମନୋଜକୁ କାବୁ କରିବା ସହ ଚିକିତ୍ସା ପାଇଁ ଏସସିବିରେ ଭର୍ତ୍ତି କରିଛି । ତେବେ ମନୋଜ ନିକଟରୁ ପୋଲିସ ଏକ ବନ୍ଧୁକ, 2ଟି ଜୀବନ୍ତ ଗୁଳି ଓ ବ୍ୟବହାର କରୁଥିବା ଏକ ନାଲି ରଙ୍ଗର ହୁଣ୍ଡାଇ କାରକୁ ଜବତ କରିଛି । ମନୋଜଙ୍କ ବିରୋଧରେ ବିଭିନ୍ନ ଥାନାରେ 18ରୁ ଊର୍ଦ୍ଧ୍ବ ମାମଲା ଥିବା ପୋଲିସ ସୂଚନା ଦେଇଛି।


କଟକରୁ ନାରାୟଣ ସାହୁ, ଇଟିଭି ଭାରତ

ABOUT THE AUTHOR

...view details