କଟକ: ପୋକ୍ସୋ କୋର୍ଟ ବିଚାରପତିଙ୍କ ଆତ୍ମହତ୍ୟା ଘଟଣା (pocso court judge subas death case)। ପୁଅକୁ ହତ୍ୟା କରାଯାଇଥିବା ଅଭିଯୋଗ କରି ବୋହୂ ଅପରାଜିତା ଏବଂ ତାଙ୍କ ପରିବାର ବିରୋଧରେ ମର୍କତନଗର ଥାନାରେ ଏତଲା ଦେଇଛନ୍ତି ମୃତ ସୁବାସଙ୍କ ମାଆ । ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ ଚାଲୁଥିବାବେଳ ମୃତଦେହ ବ୍ୟବଚ୍ଛେଦ ରିପୋର୍ଟ ଆସିଲେ ଘଟଣାର ରହସ୍ୟ ଜଣାପଡ଼ିବ ବୋଲି କଟକ ଡିସିପି ପିନାକ ମିଶ୍ର ସୂଚନା ଦେଇଛନ୍ତି ।
ଡିସିପି ପିନାକ ମିଶ୍ର କହିଛନ୍ତି, "ମୃତ ସୁବାସଙ୍କ ପରିବାର ଲୋକେ ହତ୍ୟା ନେଇ ଅଭିଯୋଗ କରିଛନ୍ତି । ସେମାନଙ୍କ ଅଭିଯୋଗକୁ ଯୋଡ଼ି ତଦନ୍ତ କରାଯାଉଛି । ପୋଷ୍ଟମର୍ଟମ ରିପୋର୍ଟ ଆସିଲେ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ନିଆଯିବ ।" ସୂଚନା ମୂତାବକ, ଗତ ଶନିବାର ପତ୍ନୀ ଅପରାଜିତାଙ୍କ ନାମରେ ମୃତ ସୁବାସଙ୍କ ମାଆ ମର୍କତଥାନାରେ ଏତଲା ଦେଇଛନ୍ତି । ହତ୍ୟା କରି ଆତ୍ମହତ୍ୟାର ରୂପ ଦିଆଯାଇଛି ବୋଲି ମାଆ ତୁଳସୀ ଅଭିଯୋଗ କରିଛନ୍ତି । ଅନ୍ତେଷ୍ଟିକ୍ରିୟାରେ ପରିବାର ଲୋକଙ୍କୁ ସାମିଲ ନ କରିବା ଏବଂ ମୃତଦେହରେ ଥିବା ଦାଗକୁ ନେଇ ଅନେକ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।
ପୂର୍ବରୁ ରୁଜୁ ହୋଇଥିବା ଅପମୃତ୍ୟୁ ମାମଲାରେ ଏହି ଏତାଲାକୁ ଯୋଡି ତଦନ୍ତ କରାଯିବ ବୋଲି ପୋଲିସ ସ୍ପଷ୍ଟ କରିଛି । ନିଜ ପତ୍ନୀକୁ ସୁବାସ ଟିଉସନ ପଢ଼ାଉଥିଲେ । ଦୁହିଁଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢ଼ିଉଠିଥିଲା । ପରିବାର ଲୋକଙ୍କ ଅନିଚ୍ଛା ସତ୍ତ୍ବେ ୨୦୦୭ ମସିହାରେ ଉଭୟଙ୍କ ବିବାହ ହୋଇଥିଲା । ପ୍ରାୟ ୩ ବର୍ଷ ପରିବାରଙ୍କ ସହ ଭଲ ସମ୍ପର୍କ ରହିଥିଲା ।ପରବର୍ତ୍ତୀ ସମୟରେ ସମ୍ପର୍କରେ ଫାଟ ସୃଷ୍ଟି ହୋଇଥିବା ସୁବାଷଙ୍କ ପରିବାର ଲୋକେ କହିଛନ୍ତି ।