କଟକ:ଆଗକୁ ଆସୁଛି ଐତିହାସିକ ବାଲିଯାତ୍ରା । ଏଥିପାଇଁ ଆରମ୍ଭ ହୋଇଯାଇଛି ପ୍ଲଟ ବୁକିଂ ପ୍ରକ୍ରିୟା । ଚଳିତ ବର୍ଷ ପ୍ଲଟର ଦର ବୃଦ୍ଧି ପାଇଛି । ୧ ହଜାର ବର୍ଗଫୁଟ ପ୍ଲଟ ପାଇଁ ୫୦ ହଜାର ଟଙ୍କା ବୃଦ୍ଧି ପାଇଛି । ଏନେଇ ନିଲାମ ପ୍ରକ୍ରିୟା ଆରମ୍ଭ ହେଲା । 2019 ବାଲିଯାତ୍ରା ସମୟରେ ରିଜେଷ୍ଟ୍ରେସନ ଟଙ୍କା ଯେତିକି ରହିଥିଲା ତାହାର ଅନେକ ଗୁଣା ଟଙ୍କା ବୃଦ୍ଧି ହୋଇଥିବାରୁ ଚିନ୍ତାରେ କ୍ଷୁଦ୍ର ବ୍ୟବସାୟୀ ।
ଐତିହାସିକ ବାଲିଯାତ୍ରା ପାଇଁ ଆରମ୍ଭ ହୋଇଯାଇଛି ଜମି ଆବଣ୍ଟନ କାର୍ଯ୍ୟ । ପ୍ରଥମେ ରେଜିଷ୍ଟ୍ରସନ ଓ ପରେ ନିଲାମ ପ୍ରକ୍ରିୟା ପାଇଁ ଗତକାଲି (ଶନିବାର)ଠାରୁ ପ୍ରକ୍ରିୟା ଆରମ୍ଭ ହୋଇଛି । ରେଜିଷ୍ଟ୍ରସନ ପାଇଁ 5 ହଜାର ଟଙ୍କା ରହିଥିଲା ବେଳେ ଜଣେ ବ୍ୟବସାୟୀ ମୋଟ 3ଟି ପ୍ଲଟ କିଣି ପାରିବ ବୋଲି ଚଳିତବର୍ଷ ନିୟମ ରହିଛି । କିନ୍ତୁ ବ୍ୟବସାୟୀଙ୍କ ପାଇଁ ଜିଲ୍ଲା ପ୍ରଶାସନ କରିଥିବା ଏଭଳି ନିୟମକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ବ୍ୟବସାୟୀ । ପ୍ରଥମେ ରେଜିଷ୍ଟ୍ରେସନ ଫିକୁ ଆକାଶ ଛୁଆଁ କରିବା ଅନ୍ୟପଟେ ନିଲାମ ପ୍ରକ୍ରିୟାକୁ ସାମିଲ କରିବା ଯାହା କ୍ଷୁଦ୍ର ବ୍ୟବସାୟୀମାନଙ୍କୁ ନିରାଶ କରିଛି ।
ଅନେକ ଆଶା ନେଇ ରେଜିଷ୍ଟ୍ରସନ କରିବାକୁ ଆସିଥିଲେ ସୁଦ୍ଧା ଷ୍ଟଲ ପକାଇବା ସ୍ୱପ୍ନକୁ ଭାଙ୍ଗି ଅନେକ ମୁହଁ ଫେରାଇଛନ୍ତି । ତେବେ ଚଳିତ ଥର ଜିଲ୍ଲା ପ୍ରଶାସନର ଏଭଳି ନିଷ୍ପତ୍ତିକୁ ନେଇ ସେମାନେ ଅସନ୍ତୋଷ ପ୍ରକାଶ କରିବା ସହ କେମିତି ବ୍ୟବସାୟ କରିବେ ତାକୁ ନେଇ ଏବେ ଚିନ୍ତାରେ। ଏନେଇ ଜଣେ ବ୍ୟବସାୟୀ କହିଛନ୍ତି, " ଯେତିକି ରୋଜଗାର ନୁହେଁ, ତା ଠାରୁ ଅଧିକ ଟଙ୍କାରେ ପ୍ଲଟ ନିଲାମ ହେଉଛି । ଯାହା ଆମ ପାଇଁ ସମ୍ଭପର ନୁହେଁ ।" ଯେଉଁ ନିୟମ ହୋଇଛି ତାହା ସମ୍ପୂର୍ଣ୍ଣ ଅନ୍ୟାୟ ବୋଲି ବ୍ୟବସାୟୀ କହିଛନ୍ତି।