କଟକ:ଆଉ ଦିନ କେଇଟା ପରେ ଦୁର୍ଗାପୂଜା । ଧରାପୃଷ୍ଠକୁ ବିଜେ କରିବେ ମା' ଜଗତ ଜନନୀ । ଏ ନେଇ ଚଳ ଚଞ୍ଚଳ ଭାଇଚାରାର ସହର କଟକ । ଦୀର୍ଘ ଦୁଇ ବର୍ଷ ପରେ କଟକରେ ଆଡ଼ମ୍ବର ଭାବେ ପାଳନ ହେବ ଦଶହରା ପର୍ବ । ସହରର ପ୍ରାୟ ୧୭୦ଟି ପୂଜା ମଣ୍ଡପରେ ପୂଜା ପାଇବେ ମା' ଜଗତ ଜନନୀ । ଏଥିପାଇଁ ସବୁଠାରେ ଜୋରସୋରରେ ଚାଲିଛି ପ୍ରସ୍ତୁତି । ଚଳିତବର୍ଷ କଟକରେ ୨୮ଟି ପୂଜା ମଣ୍ଡପରେ ଚାନ୍ଦି ମେଢ଼ କରାଯାଉଥିବାବେଳେ, ଏହାର ପ୍ରସ୍ତୁତରେ ଲାଗି ପଡିଛନ୍ତି ତାରକସି କାରିଗର । ସହରରେ ଦିନକୁ ଦିନ ଚାନ୍ଦି ମେଢ଼ ପ୍ରତି ବେଶ ଆଗ୍ରହ ବଢ଼ିବାରେ ଲାଗିଛି । ଆଉ ଏଥିରୁ ବେଶ ଉପକୃତ ହେଉଛନ୍ତି ତାରକସି କାରିଗରମାନେ ।
ସିଲଭର ସିଟିରେ ଚଳିତ ବର୍ଷ ଧୁମ ଧାମରେ ଦଶହରା ପର୍ବ ପାଳନ ହେବ । ଚାନ୍ଦି ମେଢ଼ର ଝଲକ ଦେଖିବାକୁ ମିଳିବ ସିଲଭର ସିଟି କଟକରେ । ଏଥିପାଇଁ ସଜେଇ ହେଲାଣି କଟକ ସହରର ପୂଜା ମଣ୍ଡପ । ଏଥର ୨୮ ଟି ପୂଜା ମଣ୍ଡପରେ ଦେଖିବାକୁ ମିଳିବ ଚାନ୍ଦି ମେଢ଼ । ମହଣ ମହଣ ଚାନ୍ଦିରେ ଝଲସିବେ ମା' ଜଗତ ଜନନୀ । ଦୁଇ ବର୍ଷ ପରେ ବିନା କଟକଣାରେ ପୂଜା ହେଉଥିବାରୁ ଭକ୍ତଙ୍କୁ ଆକର୍ଷିତ କରିବା ପାଇଁ ସମସ୍ତ ମଣ୍ଡପ ଜୋରଦାର ପ୍ରସ୍ତୁତି ଚଳାଇଛନ୍ତି ।
ଏଥିରୁ ବି ବାଦ ପଡିନି କଟକ ଫିରିଙ୍ଗି ବଜାର ପୂଜା ମଣ୍ଡପ । ୨୦୧୩ରୁ ଏହି ମଣ୍ଡପରେ ପ୍ରାୟ ଦୁଇ କୁଇଣ୍ଟାଲ ଚାନ୍ଦିରେ ମେଢ଼ ପ୍ରସ୍ତୁତ କରାଯାଇଥିଲା । ହେଲେ ଏଥର ଭକ୍ତଙ୍କ ଆକର୍ଷଣ ପାଇଁ ଆହୁରି ପ୍ରାୟ ୮୪ କେଜିର ଚାନ୍ଦିରେ ମେଢ଼ ସଜ୍ଜିତ କାର୍ଯ୍ୟ ଚାଲିଛି । କାମ ବି ଅନ୍ତିମ ପର୍ଯ୍ୟାୟରେ ପହଁଚିଲାଣି । ସୂକ୍ଷ୍ମ କାରୁକାର୍ଯ୍ୟରେ ପ୍ରସ୍ତୁତ ଭଳିକି ଭଳି ଚାନ୍ଦିକୁ ମେଢ଼ରେ ଲଗାଯାଉଛି । କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଥିଲେ ମଧ୍ୟ ଆହୁରି ଦିନେ ଦୁଇ ଦିନ ଲାଗିବ ବୋଲି କହିଛନ୍ତି ଫିରିଙ୍ଗି ବଜାର ପୂଜା କମିଟି ସମ୍ପାଦକ ।