ଓଡିଶା

odisha

ETV Bharat / city

ପରୀ ହତ୍ୟାକାଣ୍ଡ ମାମଲା: ପରିବାରକୁ ସୁରକ୍ଷା ଦେବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ - ପରିବାରକୁ ସୁରକ୍ଷା

ନୟାଗଡର ପରୀ ହତ୍ୟାକାଣ୍ଡରେ ପରିବାରକୁ ସୁରକ୍ଷା ଯୋଗାଇ ଦେବାକୁ ଏସପିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ । ଅଧିକ ପଢନ୍ତୁ...

ପରୀ ହତ୍ୟାକାଣ୍ଡ ମାମଲା
ପରୀ ହତ୍ୟାକାଣ୍ଡ ମାମଲା

By

Published : Dec 3, 2020, 1:14 PM IST

କଟକ: ବହୁଚର୍ଚ୍ଚିତ ନୟାଗଡ ପରୀ ହତ୍ୟାକାଣ୍ଡ ମାମଲାର ସିବିଆଇ ତଦନ୍ତ ପ୍ରାର୍ଥନା କରି ହାଇକୋର୍ଟରେ ଦୁଇଟି ଜନସ୍ବାର୍ଥ ମାମଲା ରୁଜୁ ହୋଇଥିବା ବେଳେ ଦୁଇଟି ଯାକ ମାମଲାର ଏକତ୍ର ଶୁଣାଣି ହୋଇଛି । ଶୁଣାଣି କରି ପରୀର ପରିବାରକୁ ସୁରକ୍ଷା ଯୋଗାଇ ଦେବାକୁ ନୟାଗଡ ଏସପିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ।

ତଦନ୍ତର ଅଗ୍ରଗତି ସମ୍ପର୍କରେ ହାଇକୋର୍ଟରେ ସତ୍ୟପାଠ ଦାଖଲ କରିବାକୁ ନୟାଗଡ ଏସପିଙ୍କୁ ନିର୍ଦ୍ଦେଶ ଦିଆଯାଇଛି। 16 ତାରିଖ ସୁଦ୍ଧା ନୟାଗଡ ଏସପି ସତ୍ୟପାଠ ମାଧ୍ୟମରେ ଏହି ରିପୋର୍ଟ ଦେବେ। ଆସନ୍ତା 16 ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ ବୋଲି ଧାର୍ଯ୍ୟ କରାଯାଇଛି।

ପରୀର ପରିବାରକୁ 25 ଲକ୍ଷ ଟଙ୍କାର କ୍ଷତିପୂରଣ ପ୍ରଦାନ ପାଇଁ ହାଇକୋର୍ଟରେ ଏହି ଆବେଦନ ହୋଇଛି । ଆଇନଜୀବୀ ପଦ୍ମାଳୟା ମହାପାତ୍ର ଓ ଭାରତୀୟ ବିକାଶ ପରିଷଦ ପକ୍ଷରୁ ପୃଥକ ପୃଥକ ଭାବେ ଦୁଇଟି ମାମଲା ଦାୟର କରାଯାଇଛି ।

ମାମଲା ଦୁଇଟିରେ ରାଜ୍ୟ ଗୃହ ସଚିବ, ମୁଖ୍ୟ ଶାସନ ସଚିବ, ପୋଲିସ ମହାନିର୍ଦ୍ଦେଶକ, ନୟାଗଡ ଜିଲ୍ଲାପାଳ, ନୟାଗଡ ଏସପି, ନୟାଗଡ ସଦର ଥାନାଧିକାରୀଙ୍କୁ ପକ୍ଷଭୁକ୍ତ କରାଯାଇଛି। ଭାରତୀୟ ବିକାଶ ପରିଷଦ ପକ୍ଷରୁ ଆଗତ ଜନସ୍ବାର୍ଥ ମାମଲାରେ ଆବେଦନ କରାଯାଇଛି ଯେ, ବାହ୍ୟ ଚାପ ମୁକ୍ତ ତଦନ୍ତକାରୀ ସଂସ୍ଥାକୁ ଏହି ତଦନ୍ତ ଦାୟିତ୍ବ ଦିଆଯାଉ।

ପରୀର ବାପାଙ୍କ ଅଭିଯୋଗ ଅନୁଯାୟୀ, କିଡନୀ ଓ ଆଖି ଚୋର ରାକେଟ ଏହା ପଛରେ ଥିବାବେଳେ ଏହା ଜଘନ୍ୟ ଅପରାଧ। ତେଣୁ ଯେତେ ପ୍ରଭାବଶାଳୀ ବ୍ୟକ୍ତି ଥାଆନ୍ତୁ ନା କାହିଁକି ଏହାର ସଠିକ ତଦନ୍ତ କରାଯାଉ ଅବା ସିବିଆଇ ଦ୍ବାରା ତଦନ୍ତ କରାଯାଉ।

ଏହାସହ ପରୀ ପରିବାର ମାନସିକ ଚିନ୍ତାରେ ଥିବାବେଳେ ସେମାନଙ୍କୁ ଗାଁରୁ ବିତାଡିତ କରାଯାଇଛି। ତେଣୁ ପୀଡିତାଙ୍କ ପରିବାରକୁ 25 ଲକ୍ଷ ଟଙ୍କା କ୍ଷତିପୂରଣ ଦେବାକୁ ପ୍ରାର୍ଥନା କରାଯାଇଛି। ସେହିପରି ପଦ୍ମାଳୟା ମହାପାତ୍ରଙ୍କ ପକ୍ଷରୁ ହୋଇଥିବା ଆବେଦନରେ ଏହି ଘଟଣାର ତଦନ୍ତ ପାଇଁ ସ୍ବତନ୍ତ୍ର ତଦନ୍ତକାରୀ ଟିମ ଗଠନ କରାଯାଉ କିମ୍ବା ସିବିଆଇ ଦ୍ବାରା ତଦନ୍ତ କରାଯାଉ ବୋଲି ଦର୍ଶାଯାଇଛି। ପରୀ ପରିବାରକୁ ସୁରକ୍ଷା ଯୋଗାଇ ଦେବାକୁ ନୟାଗଡ ଏସପିଙ୍କୁ ନିର୍ଦ୍ଦେଶ ଦିଆଯିବା ସହ ସରକାରଙ୍କ ପକ୍ଷରୁ ତାଙ୍କ ପରିବାରକୁ କ୍ଷତିପୂରଣ ଯୋଗାଇ ଦେବାକୁ ଏଥିରେ ପ୍ରାର୍ଥନା କରାଯାଇଛି।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

ABOUT THE AUTHOR

...view details