କଟକ: ଓପିଏସସି ଜରିଆରେ ପରୀକ୍ଷା ଦେଉଥିବା ପରିକ୍ଷାର୍ଥୀମାନଙ୍କ ପାଇଁ ଏକ ଖୁସି ଖବର । ସ୍ବଚ୍ଛ ତଥା ଦୃତ ପରିଚାଳନା କ୍ଷେତ୍ରରେ ଏକ ବଡ ପଦକ୍ଷେପ ନେଇଛି ଓଡିଶା ଲୋକସେବା ଆୟୋଗ ବା ଓପିଏସସି । ଆୟୋଗ ନିଜର ବ୍ୟବସ୍ଥାକୁ ସମ୍ପୂର୍ଣ୍ଣ ଡିଜିଟାଇଜେସନ୍ କରିଛି । ଫଳରେ ସମ୍ପୂର୍ଣ୍ଣ ଡିଜିଟାଇଜେସନ କ୍ଷେତ୍ରରେ ଓପିଏସସି ଦେଶର ପ୍ରଥମ ଲୋକସେବା ଆୟୋଗରେ ପରିଣତ ହୋଇଛି । ଏହି ବ୍ୟବସ୍ଥା ଦ୍ବାରା ପରିକ୍ଷାର୍ଥୀଙ୍କ ଆବେଦନ ଠାରୁ ଫଳ ପ୍ରକାଶ ପର୍ଯ୍ୟନ୍ତ ସମସ୍ତ ବ୍ୟବସ୍ଥାକୁ ଅନଲାଇନ କରାଯାଇଛି । ଯାହା ଦ୍ବାରା ପୂର୍ବ ଅପେକ୍ଷା ଖାଲି ପଡିଥିବା ସରକାରୀ ପଦବୀ ଗୁଡିକ ବହୁତ କମ ଦିନ ମଧ୍ୟରେ ପୁରଣ ହୋଇପାରିବ ବୋଲି କହିଛି ଓପିଏସସି ।
ଏଣିକି ପରୀକ୍ଷା ସମ୍ପର୍କିତ କୌଣସି ତଥ୍ୟ ବା ସୂଚନା ପାଇଁ ଆଉ ଓପିଏସସି କାର୍ଯ୍ୟାଳୟକୁ ଆସିବାକୁ ପଡିବ ନାହିଁ । ବରଂ ଘରେ ବସି ଏ ବାବଦ ସୂଚନା ପାଇ ପାରିବେ ପରିକ୍ଷାର୍ଥୀ । କାରଣ ନିଜ ବ୍ୟବସ୍ଥାରେ ସ୍ବଚ୍ଛତା ଆଣିବା ସହ ତ୍ବରିତ ବେଗରେ କାର୍ଯ୍ୟ କରିବା ପାଇଁ ଏକ ଓ୍ବେବ ପୋର୍ଟାଲ ଉଦଘାଟିତ କରିଛି ଓପିଏସସି । ଓ୍ବେବ ପୋର୍ଟାଲ www.opsc.gov.in ରେ ସି.ଏସ.ଏମ.ଏସ ବା Comprehensive Selection Management Systemକୁ ବୁଧବାର ଠାରୁ ଅପଗ୍ରେଡ କରାଯାଇଛି । ଏହି ବ୍ୟବସ୍ଥା ଫଳରେ ଓପିଏସସିର ସମ୍ପୂର୍ଣ୍ଣ ପ୍ରକ୍ରିୟା ଡିଜିଟାଇଜେସନ ହୋଇଥିବା ସୂଚନା ଦେଇଛନ୍ତି ଆୟୋଗର ଅଧ୍ୟକ୍ଷ ।