ଓଡିଶା

odisha

ETV Bharat / city

ଅଲିଭରିଡ଼ଲେ କଇଁଛ ସୁରକ୍ଷା ପ୍ରସଙ୍ଗ, ଆସନ୍ତାକାଲି ହାଇକୋର୍ଟରେ ହାଜର ହେବେ କେନ୍ଦ୍ରାପଡା SP - ଅଲିଭରିଡ଼ଲେ କଇଁଛ

ଗହୀରମଥାରେ ଅଲିଭରିଡ଼ଲେ କଇଁଛଙ୍କ ସୁରକ୍ଷା ପ୍ରସଙ୍ଗ । ହାଇକୋର୍ଟରେ ହାଜର ହେବେ କେନ୍ଦ୍ରାପଡା ଏସପି । ଏନେଇ ସୋମବାର ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ । ଅଧିକ ପଢନ୍ତୁ...

ଅଲିଭରିଡ଼ଲେ କଇଁଛ ସୁରକ୍ଷା ପ୍ରସଙ୍ଗ, କାଲି ହାଇକୋର୍ଟରେ ହାଜର ହେବେ କେନ୍ଦ୍ରାପଡା SP
ଅଲିଭରିଡ଼ଲେ କଇଁଛ ସୁରକ୍ଷା ପ୍ରସଙ୍ଗ, କାଲି ହାଇକୋର୍ଟରେ ହାଜର ହେବେ କେନ୍ଦ୍ରାପଡା SP

By

Published : Apr 26, 2021, 6:53 PM IST

କଟକ: ଅଲିଭରିଡ଼ଲେ କଇଁଛଙ୍କ ସୁରକ୍ଷା ପ୍ରସଙ୍ଗରେ ସୋମବାର ହାଇକୋର୍ଟଙ୍କ ଗୁରୁତ୍ବପୂର୍ଣ୍ଣ ଶୁଣାଣି । କେନ୍ଦ୍ରାପଡା ଏସପିଙ୍କୁ ଭିଡ଼ିଓ କନଫରେନ୍ସି ଜରିଆରେ ମଙ୍ଗଳବାର ହାଜର ହେବାକୁ ନିର୍ଦ୍ଦେଶ ଦେଇଛନ୍ତି ଓଡିଶା ହାଇକୋର୍ଟ ।

ଗତ ମାର୍ଚ୍ଚ ୧୫ ତାରିଖରେ ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟରେ ଫରେଷ୍ଟ ବୋଟକୁ ଆକ୍ରମଣ କରିଥିଲେ ବେଆଇନ ମତ୍ସ୍ୟଜୀବୀ । ଏହି ଘଟଣାର ମୁଖ୍ୟ ଅଭିଯୁକ୍ତ ମାଛ ଧରା ଟ୍ରଲର ମାଲିକ ଗିରଫ ହୋଇ ନଥିବାରୁ ଅସନ୍ତୋଷ ବ୍ୟକ୍ତ କରିଛନ୍ତି ହାଇକୋର୍ଟ। ଏହି ଘଟଣାରେ ତାଳଚୁଆ ମେରାଇନ ଥାନା ୧୧ ଜଣଙ୍କୁ ଗିରଫ କରିଥିବା ମୁଖ୍ୟ ବନ ସଂରକ୍ଷଣ ଅଧିକାରୀ ହାଇକୋର୍ଟରେ ସତ୍ୟପାଠ ଦାଖଲ କରି ଜଣାଇଛନ୍ତି। ତେବେ ମୁଖ୍ୟ ଅଭିଯୁକ୍ତ ମାଖନ ମଣ୍ଡଳ ଗିରଫ ହୋଇ ନ ଥିବାରୁ ଅସନ୍ତୋଷ ପ୍ରକାଶ କରିଛନ୍ତି ହାଇକୋର୍ଟ। ଅଲିଭ ରିଡ଼ଲେ ସୁରକ୍ଷା ପ୍ରସଙ୍ଗରେ ପୂର୍ବରୁ ଗ୍ରାଉଣ୍ଡ ଜିରୋରେ ସ୍ଥିତି ପରଖିବା ପରେ ହାଇକୋର୍ଟଙ୍କ ନିଯୁକ୍ତ ତିନି ଜଣିଆ କମିଟି ରିପୋର୍ଟ ଦାଖଲ କରିଥିଲା। କମିଟିର ରିପୋର୍ଟକୁ ହାଇକୋର୍ଟ ଗ୍ରହଣ କରି ଆବଶ୍ୟକ ପଦକ୍ଷେପ ନେବାକୁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ମଧ୍ୟ ଦେଇଥିଲେ। ଦେବୀ ମୁହାଣରେ ମାଛ ଧରାକୁ ସମ୍ପୂର୍ଣ୍ଣ ନିଷେଧ କରିବାକୁ ଅଦାଲତ ନିର୍ଦ୍ଦେଶ ଦେଇଥିଲେ। ଗହୀରମଥା ଉପକୂଳର ତାଳଚୁଆ, ତନ୍ତିଆପାଳ ଓ ଜମ୍ବୁ ମେରାଇନ ଥାନା ଏହା ଲାଗୁ କରିବାକୁ ନିର୍ଦ୍ଦେଶ ରହିଥିଲା।

ଏହି ଥାନା ଗୁଡିକୁ ତୁରନ୍ତ ପାଟ୍ରୋଲିଂ ବୋଟ ଓ ଅଧିକ କର୍ମଚାରୀ ଯୋଗାଇ ଦେବାକୁ କୁହାଯାଇଥିଲା। ବନ କର୍ମଚାରୀଙ୍କ ସହ ଥାନା ଷ୍ଟାଫ ମିଳିତ ଭାବେ ଯେଉଁଭଳି କୌଣସି ଟ୍ରଲର ପ୍ରବେଶ ନ କରିବେ, ତାହା ଦେଖିବାକୁ ନିର୍ଦ୍ଦେଶ ରହିଛି। ଗହୀରମଥାରେ ଅଲିଭ ରିଡ଼ଲେଙ୍କ ଅଣ୍ଡା ବୁଲା କୁକୁର, ଘୁଷୁରୀ ଓ ବିଲୁଆଙ୍କ ଠାରୁ କିଭଳି ସୁରକ୍ଷିତ ରଖାଯାଇପାରିବ, ସେଥିଲାଗି ପଦକ୍ଷେପ ନେବା ଆବଶ୍ୟକ ରହିଛି । ମାଛ ଧରା ବୋଟ ଗୁଡିକରେ ଜିପିଏସ ବ୍ୟବସ୍ଥା କରାଯିବାକୁ ନିର୍ଦ୍ଦେଶ ରହିଛି । ଏହା ଦ୍ବାରା ବୋଟ କୁଆଡେ ଯାଉଛି, ସହଜରେ ଜଣାପଡିବ। ରାଜ୍ୟ ସରକାର ଇସ୍ରୋ ସହ ଯୋଗାଯୋଗ କରି ସମସ୍ତ ଟ୍ରଲରରେ ଟ୍ରାନ୍ସପଣ୍ଡର ବ୍ୟବହାର କରିବାକୁ କୁହାଯାଇଛି । ତାମିଲନାଡୁରେ ଏହା ବ୍ୟବହାର କରୁଥିବା କମିଟି କୋର୍ଟଙ୍କୁ ଅବଗତ କରିଛି। କେନ୍ଦ୍ର ସରକାର ଏ କ୍ଷେତ୍ରରେ ରାଜ୍ୟକୁ ସହଯୋଗ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ଓଡିଶା ହାଇକୋର୍ଟ ।

ମତ୍ସ୍ୟଜୀବୀଙ୍କ ପାଇଁ ବିକଳ୍ପ ରୋଜଗାର ପନ୍ଥା ସହ ସରକାରଙ୍କ ପକ୍ଷରୁ ଦିଆଯାଉଥିବା ୭୫୦୦ ଟଙ୍କାକୁ ବୃଦ୍ଧି କରିବାକୁ କମିଟି ପ୍ରସ୍ତାବ ରଖିଥିବାବେଳେ ସରକାର କଣ ପଦକ୍ଷେପ ନେବେ ସେ ସମ୍ପର୍କରେ ଜଣାଇବାକୁ ନିର୍ଦ୍ଦେଶ ଦେଇଥିଲେ ହାଇକୋର୍ଟ। ହାଇକୋର୍ଟଙ୍କ ନିଯୁକ୍ତ କମିଟିରେ ପରିବେଶ ନିର୍ଦ୍ଦେଶକ ସୁଶାନ୍ତ ନନ୍ଦ, ବାଙ୍ଗାଲୋରର ଇକୋଲୋଜିଷ୍ଟ କାର୍ତ୍ତିକ ଶଙ୍କର ଓ ଅମିକସ କ୍ୟୁରୀ ମୋହିତ ଅଗ୍ରୱାଲ ଅଛନ୍ତି । କମିଟି ପୂର୍ବରୁ ଗହୀରମଥା ଯାଇ ଟ୍ରଲର ଆସୋସିଏସନ ସହ ଆଲୋଚନା କରିଥିଲେ। ଏହି ଟିମ ଗହୀରମଥା ଓ ଭିତରକନିକାରେ ଅନୁଧ୍ୟାନ କରିଥିଲେ। ଏହାସହ ଋଷିକୂଲ୍ୟା ଯାଇ ସେଠାରେ ମଧ୍ୟ ସ୍ଥିତି ପରଖିଥିଲେ। ଓଡିଶାକୁ ଆସୁଥିବା ଏହି ବିରଳ ଅଲିଭ ରିଡ଼ଲେ କଇଁଛଙ୍କ ସୁରକ୍ଷା ପାଇଁ କଣ ସମସ୍ୟା ହେଉଛି ସେ ସମ୍ପର୍କରେ ଅନୁଧ୍ୟାନ କରିଥିଲା ଟିମ। ଟିମ ପ୍ରଦାନ କରିଥିବା ରିପୋର୍ଟରେ ହାଇକୋର୍ଟ ସନ୍ତୋଷ ପ୍ରକାଶ କରିଥିଲେ । ହାଇକୋର୍ଟ ନିଜ ଆଡୁ ରୁଜୁ କରିଛନ୍ତି ଏହି ମାମଲା । କେନ୍ଦ୍ର ସରକାରଙ୍କ ପରିବେଶ ଓ ଜଙ୍ଗଲ ବିଭାଗକୁ ଏହି ମାମଲାରେ ମଧ୍ୟ ପ୍ରତିପକ୍ଷ କରାଯାଇଛି ।

ମଙ୍ଗଳବାର ଏହି ମାମଲାର ପରବର୍ତ୍ତୀ ଶୁଣାଣି ହେବ ବୋଲି ଧାର୍ଯ୍ୟ କରାଯାଇଥିବାବେଳେ ଏସପି ହାଜର ହୋଇ କି ତଥ୍ୟ ରଖୁଛନ୍ତି ତାକୁ ହିଁ ଅପେକ୍ଷା ରହିଛି।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

ABOUT THE AUTHOR

...view details