ଓଡିଶା

odisha

By

Published : Aug 3, 2021, 7:36 PM IST

Updated : Aug 3, 2021, 7:43 PM IST

ETV Bharat / city

ଅଲିଭ ରିଡଲେ ସୁରକ୍ଷା ପ୍ରସଙ୍ଗ: ରାଜ୍ୟ ସରକାରଙ୍କୁ ଷ୍ଟାଟସ ରିପୋର୍ଟ ମାଗିଲେ ହାଇକୋର୍ଟ

ହାଇକୋର୍ଟରେ ଅଲିଭ ରିଡଲେ କଇଁଛ ସୁରକ୍ଷା ପ୍ରସଙ୍ଗ । ରାଜ୍ୟ ସରକାରଙ୍କୁ ଷ୍ଟାଟସ ରିପୋର୍ଟ ମାଗିଲେ ହାଇକୋର୍ଟ । ଗହୀରମଥାରେ ଅଲିଭ ରିଡ଼ଲେଙ୍କ ଅଣ୍ଡା ବୁଲା କୁକୁର, ଘୁଷୁରୀ ଓ ବିଲୁଆଙ୍କ ଠାରୁ କିଭଳି ସୁରକ୍ଷିତ ରଖାଯାଇପାରିବ, ସେ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ରହିଛି। ଅଧିକ ପଢନ୍ତୁ...

Olive Ridley turtle safety issue in High Court
ଅଲିଭି ରିଡଲେ ସୁରକ୍ଷା ପ୍ରସଙ୍ଗରେ ଷ୍ଟାଟସ ରିପୋର୍ଟ ଦାଖଲ କରିବାକୁ ସରକାରଙ୍କୁ ହାଇକୋର୍ଟଙ୍କ ନିର୍ଦ୍ଦେଶ

କଟକ: ଅଲିଭ ରିଡ଼ଲେ କଇଁଛଙ୍କ ସୁରକ୍ଷା ପ୍ରସଙ୍ଗରେ ଆଜି ଗୁରୁତ୍ୱପୂର୍ଣ୍ଣ ଶୁଣାଣି କରିଛନ୍ତି ଓଡିଶା ହାଇକୋର୍ଟ । ଏହି ମାମଲାର ଅପଡେଟ ଷ୍ଟାଟସ ରିପୋର୍ଟ ସେପ୍ଟେମ୍ବର ୨୨ ମଧ୍ୟରେ ପ୍ରଦାନ କରିବାକୁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ ।

ସେହିଭଳି ଟ୍ରଲରରେ ଟ୍ରାନ୍ସପଣ୍ଡର ବ୍ୟବହାର ଓ ଇସ୍ରୋ ସହ ଯୋଗାଯୋଗ କରି ଟ୍ରଲରର ଗତିବିଧି ତଦାରଖ ସମ୍ପର୍କରେ କେନ୍ଦ୍ର ସରକାର ସତ୍ୟପାଠ ଦାଖଲ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ସେପ୍ଟେମ୍ବର ୨୧ ରେ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ଦିନ ଧାର୍ଯ୍ୟ ହୋଇଛି ।

ପୂର୍ବ ଶୁଣାଣି ସମୟରେ ସରକାରୀ ବୋଟଗୁଡିକ ତୁରନ୍ତ ମରାମତି କରିବାକୁ ନିର୍ଦ୍ଦେଶ ଦେଇଥିଲେ ହାଇକୋର୍ଟ । ଅଲିଭ ରିଡ଼ଲେ ସୁରକ୍ଷା ପ୍ରସଙ୍ଗରେ ପୂର୍ବରୁ ଗ୍ରାଉଣ୍ଡ ଜିରୋରେ ସ୍ଥିତି ପରଖିବା ପରେ ହାଇକୋର୍ଟଙ୍କ ନିଯୁକ୍ତ ତିନି ଜଣିଆ କମିଟି ହାଇକୋର୍ଟରେ ରିପୋର୍ଟ ଦାଖଲ କରିଥିଲା ।

କମିଟିର ରିପୋର୍ଟକୁ ହାଇକୋର୍ଟ ଗ୍ରହଣ କରି ଆବଶ୍ୟକ ପଦକ୍ଷେପ ନେବାକୁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ମଧ୍ୟ ଦେଇଥିଲେ । ନଦୀ ମୁହାଣରେ ମାଛ ଧରାକୁ ସମ୍ପୂର୍ଣ୍ଣ ନିଷେଧ କରିବାକୁ ଅଦାଲତ ନିର୍ଦ୍ଦେଶ ଦେଇଥିଲେ । ଗହୀରମଥା ଉପକୂଳର ତାଳଚୁଆ, ତନ୍ତିଆପାଳ ଓ ଜମ୍ବୁ ମେରାଇନ ଥାନା ଏହା ଲାଗୁ କରିବାକୁ ନିର୍ଦ୍ଦେଶ ରହିଥିଲା । ଏହି ଥାନା ଗୁଡିକୁ ତୁରନ୍ତ ପାଟ୍ରୋଲିଂ ବୋଟ ଓ ଅଧିକ କର୍ମଚାରୀ ଯୋଗାଇ ଦେବାକୁ ନିର୍ଦ୍ଦେଶ ରହିଥିଲା। ବନ କର୍ମଚାରୀଙ୍କ ସହ ଥାନା ଷ୍ଟାଫ ମିଳିତ ଭାବେ ଯେଭଳି କୌଣସି ଟ୍ରଲର ପ୍ରବେଶ ନ କରିବେ, ତାହା ଦେଖିବାକୁ ନିର୍ଦ୍ଦେଶ ରହିଛି।

ଗହୀରମଥାରେ ଅଲିଭ ରିଡ଼ଲେଙ୍କ ଅଣ୍ଡା ବୁଲା କୁକୁର, ଘୁଷୁରୀ ଓ ବିଲୁଆଙ୍କ ଠାରୁ କିଭଳି ସୁରକ୍ଷିତ ରଖାଯାଇପାରିବ, ସେ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ରହିଛି। ମାଛ ଧରା ବୋଟ ଗୁଡିକରେ ଜିପିଏସ ବ୍ୟବସ୍ଥା କରିବାକୁ ନିର୍ଦ୍ଦେଶ ରହିଛି, ଯାହାଦ୍ୱାରା ବୋଟ କୁଆଡେ ଯାଉଛି, ସହଜେ ଜଣାପଡିବ । ରାଜ୍ୟ ସରକାର ଇସ୍ରୋ ସହ ଯୋଗାଯୋଗ କରି ସମସ୍ତ ଟ୍ରଲରରେ ଟ୍ରାନ୍ସପଣ୍ଡର ବ୍ୟବହାର କରିବାକୁ ନିର୍ଦ୍ଦେଶ ରହିଛି।

ତାମିଲନାଡୁରେ ଏହା ବ୍ୟବହାର ହେଉଥିବା କମିଟି କୋର୍ଟଙ୍କୁ ଅବଗତ କରିଛି। କେନ୍ଦ୍ର ସରକାର ଏ କ୍ଷେତ୍ରରେ ରାଜ୍ୟକୁ ସହଯୋଗ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ଓଡିଶା ହାଇକୋର୍ଟ।

ମତ୍ସ୍ୟଜୀବୀଙ୍କ ପାଇଁ ବିକଳ୍ପ ରୋଜଗାର ପନ୍ଥା ସହ ସରକାରଙ୍କ ପକ୍ଷରୁ ଦିଆଯାଉଥିବା ୭୫୦୦ ଟଙ୍କାକୁ ବୃଦ୍ଧି କରିବାକୁ କମିଟି ପ୍ରସ୍ତାବ ରଖିଥିବା ବେଳେ ସରକାର କଣ ପଦକ୍ଷେପ ନେବେ ସେ ସମ୍ପର୍କରେ ଜଣାଇବାକୁ ନିର୍ଦ୍ଦେଶ ଦେଇଥିଲେ ହାଇକୋର୍ଟ। ହାଇକୋର୍ଟଙ୍କ ନିଯୁକ୍ତ କମିଟିରେ ପରିବେଶ ନିର୍ଦ୍ଦେଶକ ସୁଶାନ୍ତ ନନ୍ଦ, ବାଙ୍ଗାଲୋରର ଇକୋଲୋଜିଷ୍ଟ କାର୍ତ୍ତିକ ଶଙ୍କର ଓ ଅମିକସ କ୍ୟୁରୀ ମୋହିତ ଅଗ୍ରୱାଲ ଅଛନ୍ତି । କମିଟି ପୂର୍ବରୁ ଗହୀର ମଥା ଯାଇ ଟ୍ରଲର ଆସୋସିଏସନ ସହ ଆଲୋଚନା କରିଥିଲେ। ଏହି ଟିମ ଗହୀରମଥା ଓ ଭିତରକନିକାରେ ଅନୁଧ୍ୟାନ କରିଥିଲେ। ଏହାସହ ଋଷିକୂଲ୍ୟା ଯାଇ ସେଠାରେ ମଧ୍ୟ ସ୍ଥିତି ପରଖି ଥିଲେ। ଓଡିଶାକୁ ଆସୁଥିବା ଏହି ବିରଳ ଅଲିଭ ରିଡ଼ଲେ କଇଁଛଙ୍କ ସୁରକ୍ଷା ପାଇଁ କଣ ସମସ୍ୟା ହେଉଛି ସେ ସମ୍ପର୍କରେ ଅନୁଧ୍ୟାନ କରିଥିଲା ଟିମ। ଟିମ ପ୍ରଦାନ କରିଥିବା ରିପୋର୍ଟରେ ହାଇକୋର୍ଟ ସନ୍ତୋଷ ପ୍ରକାଶ କରିଥିଲେ। ହାଇକୋର୍ଟ ନିଜ ଆଡୁ ରୁଜୁ କରିଛନ୍ତି ଏହି ମାମଲା। କେନ୍ଦ୍ର ସରକାରଙ୍କ ପରିବେଷ ଓ ଜଙ୍ଗଲ ବିଭାଗକୁ ଏହି ମାମଲାରେ ମଧ୍ୟ ପ୍ରତିପକ୍ଷ କରାଯାଇଛି। ରାଜ୍ୟ ସରକାର ଓ କେନ୍ଦ୍ର ସରକାର ସତ୍ୟପାଠ ଦାଖଲ କରିବା ପରେ ପରବର୍ତ୍ତୀ ଶୁଣାଣି ହେବ ବୋଲି ମୁଖ୍ୟ ବିଚାରପତିଙ୍କ ଖଣ୍ଡପୀଠ ଧାର୍ଯ୍ୟ କରିଛନ୍ତି।

କଟକରୁ ପ୍ରଭୁକଲ୍ୟାଣ ପାଲ,ଇଟିଭି ଭାରତ

Last Updated : Aug 3, 2021, 7:43 PM IST

ABOUT THE AUTHOR

...view details