କଟକ: ଅଲିଭ ରିଡଲେ କଇଁଛଙ୍କ ସୁରକ୍ଷା ପ୍ରସଙ୍ଗକୁ ନେଇ ହାଇକୋର୍ଟ ନିଜ ଆଡୁ ରୁଜୁ କରିଥିବା ମାମଲାର ଶୁଣାଣି କରାଯାଇଛି । ମୁଖ୍ୟ ବିଚାରପତି ଡକ୍ଟର ଜଷ୍ଟିସ ଏସ.ମୁରଲୀଧର ଓ ଜଷ୍ଟିସ ବି.ପି ରାଉତରାୟଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରିଛନ୍ତି । ଗତ 15 ତାରିଖର ଗହୀରମଥାରେ ପାଟ୍ରୋଲିଂ ଟିମ ଉପରେ ହୋଇଥିବା ଆକ୍ରମଣ ଘଟଣାକୁ ଖଣ୍ଡପୀଠ ଗୁରୁତର ସହ ଗ୍ରହଣ କରିଛନ୍ତି । ଉପଯୁକ୍ତ ଦଣ୍ଡ ଅଭାବରୁ ବେଆଇନ ଭାବେ ଚାଲୁଥିବା ଟ୍ରଲରଗୁଡିକ ଆଇନ ଉଲ୍ଲଙ୍ଘନ କରିବାକୁ ସକ୍ଷମ ହେଉଛନ୍ତି ବୋଲି ହାଇକୋର୍ଟ କହିଛନ୍ତି । ଅଧିକ ଏନଫୋର୍ସମେଣ୍ଟ ଦଳ ସହିତ ଯଥେଷ୍ଟ ସରଞ୍ଜାମ ଓ ଯାନ ଯୋଗାଇ ଦିଆଯାଇ ପାଟ୍ରୋଲିଂକୁ ଫଳପ୍ରଦ କରିବାକୁ ଖଣ୍ଡପୀଠ ଗୁରୁତ୍ବାରୋପ କରିଛନ୍ତି ।
ସେପଟେ ଏହି ପ୍ରସଙ୍ଗରେ ଗ୍ରହଣ କରାଯାଉଥିବା ପଦକ୍ଷେପର ବ୍ୟକ୍ତିଗତ ଭାବେ ତଦାରଖ କରିବାକୁ ଭୁବନେଶ୍ବର ସ୍ଥିତି ଆଞ୍ଚଳିକ ମୁଖ୍ୟ ବନ ସଂରକ୍ଷକଙ୍କୁ ଖଣ୍ଡପୀଠ ନିର୍ଦ୍ଦେଶ ଦେଇଛନ୍ତି । ଏହି ସମାନ ପ୍ରସଙ୍ଗରେ ପରବର୍ତ୍ତୀ ଶୁଣାଣି ସମୟରେ ଷ୍ଟାଟସ ରିପୋର୍ଟ ଦାଖଲ କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଏପ୍ରିଲ 12ରେ ମାମଲାର ପରବର୍ତ୍ତୀ ଶୁଣାଣି କରାଯିବ ।
ଅନ୍ୟପଟେ, ଏହି ମାମଲାରୁ ଶୁଣାଣି କରି ହାଇକୋର୍ଟ ଏକ କୋର୍ଟ ମିତ୍ର ଏକ ରିପୋର୍ଟ ଦାଖଲ କରିଥିଲେ। ଗହୀରମଥା ସମୁଦ୍ର ଭିତରେ ମାର୍ଚ୍ଚ ୧୫ରେ ପାଟ୍ରୋଲିଂ କରୁଥିବା କର୍ମଚାରୀଙ୍କ ଉପରେ କିଛି ଟ୍ରଲର ସଦସ୍ୟ ମିଳିତ ଭାବେ ଦାଢୁଆ ଅସ୍ତ୍ରରେ ଆକ୍ରମଣ କରିଥିଲେ। ଫଳରେ ୫ଜଣ ପାଟ୍ରୋଲିଂ କର୍ମଚାରୀ ଗୁରୁତର ଆହତ ହେବା ସହ ବୋଟ୍ ଭାଙ୍ଗିରୁଜି ଯାଇଥିଲା। ସମ୍ପୃକ୍ତ ଟ୍ରଲରେ ଥିବା ବ୍ୟକ୍ତିମାନେ ଆଉ ଦଶଟି ଟ୍ରଲରକୁ ଘଟଣାସ୍ଥଳକୁ ଡାକିଥିଲେ। ପାଟ୍ରୋଲିଂ ବୋଟ୍ ଓ ଏଥିରେ ଥିବା କର୍ମଚାରୀଙ୍କୁ ବୁଡ଼ାଇ ମାରିବାକୁ ଏହି ଟ୍ରଲର ଗୁଡିକରେ ଥିବା ବ୍ୟକ୍ତିମାନେ ଉଦ୍ୟମ କରିଥିଲେ। ଏନେଇ ତଳଚୁଆ ମେରାଇନ ଥାନାରେ ଏତଲା ରୁଜୁ ହୋଇଥିଲା। ଘଟଣାରେ ଅଭିଯୁକ୍ତ ଓ ସେମାନଙ୍କ ପରିବାର ସଦସ୍ୟ ଅଭ୍ୟାସଗତ ଅପରାଧୀ ଓ ସେମାନଙ୍କ ବିରୋଧରେ ୧୧ଟି ମାମଲା ବିଚାରାଧୀନ ରହିଛି। କିନ୍ତୁ ଅଭିଯୁକ୍ତମାନେ ଗିରଫ ହୋଇ ନାହାଁନ୍ତି।