କଟକ:ବିପଦରେ ଗଜରାଜ । ଦିନକୁ ଦିନ ରାଜ୍ୟ ହାତୀ ମୃତ୍ୟୁ ସଂଖ୍ୟା ବଢିବାରେ ଲାଗିଛି । ହାତୀଙ୍କ ସୁରକ୍ଷା ପାଇଁ ହାଇକୋର୍ଟରେ ଜନସ୍ବାର୍ଥ ମାମଲା ରୁଜୁ ହୋଇଛି । କଟକ ମଙ୍ଗଳାବାଗ ଅଞ୍ଚଳର ଗୀତା ରାଉତଙ୍କ ପକ୍ଷରୁ ଦାୟର ଏହି ଜନସ୍ବାର୍ଥ ମାମଲା । ମାମଲାର ଅଧିକ ତଥ୍ୟ ଦାଖଲ ପାଇଁ ଆବେଦନକାରୀଙ୍କୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ମାମଲାର ଶୁଣାଣି କରି ରାଜ୍ୟରେ ହାତୀଙ୍କ ପ୍ରକୃତ ସ୍ଥିତି ସଂକ୍ରାନ୍ତରେ ଅଧିକ ତଥ୍ୟ ଦାଖଲ କରିବାକୁ ଆବେଦନକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ । ପରବର୍ତ୍ତୀ ଶୁଣାଣି ମଧ୍ୟରେ ତଥ୍ୟ ଦାଖଲ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।
ଜୁଲାଇ ୫ରେ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ଦିନ ଧାର୍ଯ୍ୟ କରିଛନ୍ତି କୋର୍ଟ । ଆବେଦନକାରୀ ଆବେଦନରେ ଉଲ୍ଲେଖ କରିଛନ୍ତି ଯେ ରାଜ୍ୟରେ ବନ୍ୟଜନ୍ତୁ ଶିକାର ବଢି ଚାଲିଥିବା ବେଳେ ହାତୀ ମୃତ୍ୟୁ ଘଟଣା ଏବେ ଚର୍ଚ୍ଚାର ବିଷୟ ହୋଇଛି । ଏହି ସପ୍ତାହରେ ନରସିଂହପୁର ସଂରକ୍ଷିତ ଜଙ୍ଗଲରେ ଗୁଳି ମାଡର ଶିକାର ହାତୀର ମୃତ୍ୟୁ ହୋଇଥିଲା । କିନ୍ତୁ ହାତୀ ମୃତ୍ୟୁ ପାଇଁ ରାଜ୍ୟ ସରକାର ଓ ବନ ବିଭାଗ ଏହି ଘଟଣା ପାଇଁ ଚିନ୍ତିତ ନଥିବା ଭଳି ଲାଗୁଛି । ବନ୍ୟ ଜୀବନ (ସୁରକ୍ଷା )ଆଇନ,୧୯୭୨ ଅଧିନରେ ଥିବା ଦଣ୍ଡ ବ୍ୟବସ୍ଥା ଯଦି କଠୋର ନ ହେବ ତେବେ ଏଭଳି ଘଟଣା ନିୟମିତ ଘଟିବ।