କଟକ: ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ମଧ୍ୟ ରାଜ୍ୟର ଅଧିକାଂଶ ଜେଲର ସ୍ଥିତି ସୁଧୁରି ନାହିଁ । ରାଜ୍ୟର ଜେଲଗୁଡିକରେ କଏଦୀଙ୍କ ପାଇଁ ରହିଥିବା ୱାର୍ଡ ଓ ଶୌଚାଳୟର ଅବସ୍ଥା, ପାନୀୟ ଜଳ ବ୍ୟବସ୍ଥା, ଖାଦ୍ୟର ମାନରେ କୌଣସି ଉନ୍ନତି ହୋଇନାହିଁ । ଏଭଳି ସ୍ଥିତିକୁ ନେଇ ହାଇକୋର୍ଟ ଉଦବେଗ ପ୍ରକାଶ କରିଛନ୍ତି । ତୁରନ୍ତ ଜେଲଗୁଡିକରେ ଆବଶ୍ୟକ ମରାମତି, ମୌଳିକ ସୁବିଧାରେ ଉନ୍ନତି, ଉପଯୁକ୍ତ ମାନର ଖାଦ୍ୟ ବ୍ୟବସ୍ଥା କରିବାକୁ ହାଇକୋର୍ଟ ସାନି ନିର୍ଦ୍ଦେଶ ଦେଇଛନ୍ତି । ଏଥିସହିତ ଆଠମଲ୍ଲିକ ଜେଲରେ ବନ୍ଦୀଙ୍କୁ ନିର୍ଯାତନା ଘଟଣାର ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ । ବ୍ୟକ୍ତିଗତ ଭାବେ ଜେଲ ଗସ୍ତ କରି ସ୍ଥିତିରେ ସୁଧାର ପାଇଁ ପଦକ୍ଷେପ ନେବାକୁ ଜେଲ ଡିଜିଙ୍କୁ ହାଇକୋର୍ଟ କହିଛନ୍ତି ।
ମୁଖ୍ୟ ବିଚାରପତି ଡକ୍ଟର ଜଷ୍ଟିସ ଏସ.ମୁରଲୀଧର ଓ ଜଷ୍ଟିସ ଆର.କେ.ପଟ୍ଟନାୟକଙ୍କୁ ନେଇ ଗଠିତ ଖଣ୍ଡପୀଠରେ ଜେଲ ଗୁଡିକର ସ୍ଥିତି ସଂକ୍ରାନ୍ତରେ ସବୁ ଜିଲ୍ଲା ଆଇନସେବା ପ୍ରାଧିକରଣ (ଡିଏଲଏସଏ) ତରଫରୁ ରିପୋର୍ଟ ସହିତ ଭିଡିଓ କ୍ଲିପିଂ ଓ ଫଟୋଗ୍ରାଫ ଦାଖଲ କରାଯାଇଥିଲା । ଡିଏଲଏସଏ ରିପୋର୍ଟ ସବୁକୁ ଅନୁଧ୍ୟାନ କରି ଆମିକସ୍ କ୍ୟୁରୀ ବରିଷ୍ଠ ଆଇନଜୀବୀ ଗୌତମ ମିଶ୍ର ତଥ୍ୟ ରଖିଥିଲେ । ଏଥିରୁ ସ୍ପଷ୍ଟ ହୋଇଥିଲା ଯେ, ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ମଧ୍ୟ ବାଲିଗୁଡା ଓ ନୟାଗଡ଼ ସବଜେଲର ସ୍ଥିତିରେ କୌଣସି ପ୍ରକାର ଉନ୍ନତି ହୋଇନାହିଁ ।
ରିପୋର୍ଟରେ ଥିବା ତଥ୍ୟ ଆଧାରରେ ରହିଥିବା ସମସ୍ୟା ତୁରନ୍ତ ଦୂର ପାଇଁ ପଦକ୍ଷେପ ନେବାକୁ ଏହି ଦୁଇ ସବଜେଲର କର୍ତ୍ତୃପକ୍ଷଙ୍କୁ ହାଇକୋର୍ଟ କଡ଼ା ନିର୍ଦ୍ଦେଶ ଦେଇଛନ୍ତି । ନନ୍-ଅଫିସିଆଲ ଭିଜିଟରଙ୍କ ସହିତ ସଂପୃକ୍ତ ଜିଲ୍ଲାର ଜିଲ୍ଲା ଜଜ୍ ଏହି ଦୁଇ ଜେଲ ଗସ୍ତ କରି ଭିତ୍ତିଭୂମି ତଦାରଖ କରିବେ । ରାଜ୍ୟ ଆଇନସେବା ପ୍ରାଧିକରଣ ସଦସ୍ୟ ସଚିବ ଏହି ଦୁଇ ଜିଲ୍ଲା ଜଜ୍ଙ୍କ ସହିତ ସମନ୍ବୟ ରକ୍ଷା କରି ପରବର୍ତ୍ତୀ ଶୁଣାଣି ସମୟରେ ନିର୍ଦ୍ଦେଶ କାର୍ଯ୍ୟକାରୀ ସଂପର୍କିତ ରିପୋର୍ଟ ଦାଖଲ କରିବେ ବୋଲି ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।
ଅନ୍ୟପଟେ ପୁରୀ ଜିଲ୍ଲା ଜେଲ, ମାଲକାନଗିରି ଓ ଦିଗପହଣ୍ଡି ସବଜେଲ, ରାଉରକେଲା ସ୍ପେଶାଲ ଜେଲ, ଆଠଗଡ ମଡେଲ ଜେଲ, ପାଲଲହଡା, ଅନୁଗୁଳ, ତାଳଚେର, ନରସିଂହପୁର, ବଡମ୍ବା, ଆର.ଉଦୟଗିରି, ପାରଳାଖେମୁଣ୍ଡି, ଝାରସୁଗୁଡ଼ା, କୁଜଙ୍ଗ, ରଣପୁର ଜେଲଗୁଡିକର ଶୋଚନୀୟ ସ୍ଥିତି ସଂପର୍କରେ ତଥ୍ୟ ରଖାଯାଇଥିଲା । ଚୌଦ୍ବାର ସର୍କଲ ଜେଲରେ ଶୌଚାଳୟ, ବିଶ୍ରାମ କୋଠରୀ, ୱାର୍ଡ, ଡ୍ରେନ୍ ଦୟନୀୟ ସ୍ଥିତିରେ ରହିଛି ବୋଲି ହାଇକୋର୍ଟରେ ଦାଖଲ ଫଟୋଗ୍ରାଫରୁ ସ୍ପଷ୍ଟ ହୋଇଥିଲା । କଟକ ଠାରୁ ମାତ୍ର କିଛି ଦୂରରେ ଥିବା ଏହି ଚୌଦ୍ବାର ଜେଲରେ ଏପରି ଖରାପ ସ୍ଥିତି ପାଇଁ କ୍ଷମା କରାଯିବ ନାହିଁ ବୋଲି ହାଇକୋର୍ଟ କହିଛନ୍ତି । ନୂଆ ଜେଲ ଡିଜି ଭାବେ ମନୋଜ ଛାବରା ଦାୟିତ୍ବ ନେବାକୁ ଯାଉଥିବା ବେଳେ ଚୌଦ୍ବାର ସର୍କଲ ଜେଲ ଗସ୍ତ ତାଙ୍କ ପ୍ରଥମ କାର୍ଯ୍ୟରୁ ଗୋଟିଏ ହେବ ବୋଲି ହାଇକୋର୍ଟ କହିଛନ୍ତି ।