କଟକ: ୮୯ ବର୍ଷୀୟା ବୃଦ୍ଧାଙ୍କୁ ଘରେ ଯାଇ ପେନସନ ରାଶି ଦେଲେ ରାଜ୍ୟ ସରକାର । ସ୍ବାମୀଙ୍କ ମୃତ୍ୟୁର ୫୨ ବର୍ଷ ପରେ ସ୍ତ୍ରୀଙ୍କୁ ମିଳିଲା ପେନସନ । ପରିବାର ପେନସନ ପାଇଁ ହାଇକୋର୍ଟରେ ଆବେଦନ କରିଥିବା ଆବେଦନକାରୀ ଲଳିତା ମହାନ୍ତିଙ୍କୁ ସରକାର ବକେୟା ପେନସନ ବାବଦରେ ୧୬ ଲକ୍ଷ ୧ ହଜାର ୮୪୬ ଟଙ୍କା ପ୍ରଦାନ କରିଛନ୍ତି । ଆବେଦନକାରୀଙ୍କ ବାଲେଶ୍ବର ସ୍ଥିତ ବାସଭବନରେ ପରିବହନ ବିଭାଗ ଓ ଓଡ଼ିଶା ସଡକ ପରିବହନ ନିଗମ ଅଧିକାରୀ ସାକ୍ଷାତ କରି ତାଙ୍କୁ ଏହି ଅର୍ଥ ଦେଇଛନ୍ତି । ଗୁରୁବାର ହାଇକୋର୍ଟରେ ପରିବାର ପେନସନ ମାମଲାର ଶୁଣାଣି ସମୟରେ ରାଜ୍ୟ ସରକାରଙ୍କୁ ପକ୍ଷରୁ ଏହା ଦର୍ଶାଯାଇଛି ।
ମାମଲାର ବିବରଣୀରୁ ପ୍ରକାଶ ଯେ, ଆବେଦନକାରୀଙ୍କ ସ୍ବାମୀ ଭୀମସେନ ମହାନ୍ତି ଓଏସଆରଟିସିରେ ଟ୍ରାଫିକ ଇନ୍ସପେକ୍ଟର ଭାବେ କାର୍ଯ୍ୟ କରୁଥିଲେ । ଚାକିରିରେ ଥିବା ବେଳେ ଭୀମସେନଙ୍କ ଦେହାନ୍ତ ହୋଇଯାଇଥିଲା । ଏହାସତ୍ତ୍ବେ ମଧ୍ୟ ଆବେଦନକାରୀଙ୍କୁ ପରିବାର ପେନସନ ପ୍ରଦାନ କରାଯାଇନଥିଲା । ଏନେଇ ସେ ୨୦୦୯ରେ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ । ଆବେଦନକାରୀଙ୍କୁ ପରିବାର ପେନସନ୍(Family Pension) ପ୍ରଦାନ ପାଇଁ ୨୦୧୩, ଏପ୍ରିଲ ୧୫ରେ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ । ଏହି ନିର୍ଦ୍ଦେଶ କାର୍ଯ୍ୟକାରୀ ନ ହେବାରୁ ୨୦୧୩ରେ ଆବେଦନକାରୀ ଅଦାଲତ ଅବମାନନା ମାମଲା ରୁଜୁ କରିଥିଲେ ।