ଓଡିଶା

odisha

ହାତୀ ଶିକାର ନେଇ ସରକାରଙ୍କ ଉପରେ ଖପ୍ପା ହେଲେ ହାଇକୋର୍ଟ

By

Published : Aug 10, 2022, 8:36 AM IST

ହାଇକୋର୍ଟରେ ହାତୀ ସୁରକ୍ଷା ମାମଲା । ହାତୀ ଶିକାର ଘଟଣାରେ ସରକାରଙ୍କ ପଦକ୍ଷେପ ଉପରେ ଅସନ୍ତୋଷ ଜାହିର କଲେ କୋର୍ଟ । ଅଧିକ ପଢନ୍ତୁ

ହାତୀ ଶିକାର ନେଇ ସରକାରଙ୍କ ଉପରେ ହାଇକୋର୍ଟଙ୍କ ଅସନ୍ତୋଷ
ହାତୀ ଶିକାର ନେଇ ସରକାରଙ୍କ ଉପରେ ହାଇକୋର୍ଟଙ୍କ ଅସନ୍ତୋଷ

କଟକ: ଓଡିଶାରେ ଅବୈଧ ହାତୀ ଶିକାର ବଢୁଛି । ଏହି ଘଟଣାରେ ସରକାରଙ୍କ ପକ୍ଷରୁ ଗ୍ରହଣ କରାଯାଉଥିବା ପଦକ୍ଷେପକୁ ନେଇ ହା‌ଇକୋର୍ଟ ଅସନ୍ତୋଷ ବ୍ୟକ୍ତ କରିଛନ୍ତି । ମାମଲାରେ ପ୍ରମୁଖ ମୁଖ୍ୟ ବନ ସଂରକ୍ଷକ (ପିସିସିଏଫ୍ ୱାଇଲ୍ଡ ଲାଇଫ୍‌) ଦାଖଲ କରିଥିବା ସତ୍ୟପାଠରେ ଗତ ୫ ବର୍ଷରେ ହାତୀ ଶିକାର ନେଇ ୧୪ଟି ମାମଲା ରୁଜୁ ହୋଇଥିବା ଦର୍ଶାଯାଇଥିଲା । ଏଥିରୁ ମାତ୍ର ଗୋଟିଏ ମାମଲାରେ ଅଦାଲତରେ ଟ୍ରାଏଲ ଆରମ୍ଭ ହୋଇଥିବା ସତ୍ୟପାଠରୁ ସ୍ପଷ୍ଟ ହୋଇଥିଲା । ଏହି ପ୍ରସଙ୍ଗକୁ ନେଇ ରୁଜୁ ମାମଲା ଗୁଡିକର ଅଗ୍ରଗତି ସନ୍ତୋଷଜନକ ନୁହେଁ ବୋଲି ହାଇକୋର୍ଟ କହିଛନ୍ତି ।

ସତ୍ୟପାଠରେ ଉଲ୍ଲେଖ କରାଯାଇଥିବା ଏହି ସବୁ ମାମଲାରେ ଗିରଫ ଅଭିଯୁକ୍ତମାନେ ଏବେ ଜେଲରେ ଅଛନ୍ତି ବା ଜାମିନ ପାଇଛନ୍ତି ସେନେଇ ହାଇକୋର୍ଟ ଜାଣିବାକୁ ଚାହିଁଥିଲେ । କିନ୍ତୁ ଅଭିଯୁକ୍ତଙ୍କ ଜାମିନ ପ୍ରସଙ୍ଗରେ ରାଜ୍ୟ ସରକାର ଜବାବ ରଖି ପାରି ନଥିଲେ । ଏହାସହିତ ଗୁଳିମାଡରେ ହାତୀ ମୃତ୍ୟୁ ମାମଲାରେ ବେଆଇନ ବନ୍ଧୁକ ବ୍ୟବହାର ହେଉଥିଲେ ମଧ୍ୟ ଆର୍ମସ୍ ଆକ୍ଟରେ କାହିଁକି ଗୋଟିଏ ବି ମାମଲା ରୁଜୁ ହୋଇ ନାହିଁ ସେନେଇ ମଧ୍ୟ ବନ ବିଭାଗ ତରଫରୁ କୌଣସି ସନ୍ତୋଷଜନକ ଜବାବ ମିଳିନଥିଲା । ଏଭଳି ସ୍ଥିତିରେ ହାଇକୋର୍ଟ କହିଛନ୍ତି ଯେ, ''ରାଜ୍ୟରେ ବିଗତ କିଛି ଦିନରେ ହାତୀ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇବା ଚିନ୍ତାଜନକ ବିଷୟ । ପରିସ୍ଥିତିର ମୁକାବିଲା ପାଇଁ ପଦକ୍ଷେପ ନିଆଯିବା ଉଚିତ୍‌ । ବହୁ କ୍ଷେତ୍ରରେ ବନ୍ଧୁକ ଗୁଳିରେ ହାତୀ ମୃତାହତ ହେଉଥିବା ଦେଖା ଯାଉଥିବା ବେଳେ ଆଶ୍ଚର୍ଯ୍ୟଜନକ ଭାବେ ଆର୍ମସ୍ ଆକ୍ଟ କିନ୍ତୁ ମାମଲାରେ ପ୍ରୟୋଗ କରାଯାଉ ନାହିଁ ।''

ବନ୍ୟପ୍ରାଣୀ ସୁରକ୍ଷା ଆଇନ ଏବଂ ଆର୍ମସ୍ ଆକ୍ଟ ସମେତ ଅନ୍ୟ ଆଇନ କଡ଼ାକଡ଼ି କାର୍ଯ୍ୟକାରୀ ପାଇଁ ଆଇନ କାର୍ଯ୍ୟକାରୀ ବ୍ୟବସ୍ଥାକୁ ସକ୍ରିୟ କରିବାକୁ ଉଦ୍ୟମ କରାଯିବା ଆବଶ୍ୟକ । ଏହି ସମସ୍ୟାର କେମିତି ମୁକାବିଲା କରାଯିବ ସେନେଇ ପୋଲିସ ଡିଜିଙ୍କୁ ସତ୍ୟପାଠ ମାଧ୍ୟମରେ ଜବାବ ରଖିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ନିର୍ଦ୍ଦିଷ୍ଟ ଭାବେ କେମିତି ତ୍ବରିତ ତଦନ୍ତ ହୋଇପାରିବ, ଅଭିଯୁକ୍ତଙ୍କୁ ଗିରଫ କରାଯାଇ ପାରିବ, ଶ୍ରୀଘ୍ର ଚାର୍ଜସିଟ ଦାଖଲ ହେବ ଓ ଅଦାଲତରେ ମାମଲାର ତ୍ବରିତ ଶୁଣାଣି (ଟ୍ରାଏଲ) ହୋଇପାରିବ ସେନେଇ ଡିଜି ସତ୍ୟପାଠରେ ଉଲ୍ଲେଖ କରିବେ ବୋଲି ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।

ଅନ୍ୟପକ୍ଷରେ ହାତୀ ଶିକାର ଘଟଣାରେ ବନ ବିଭାଗ କର୍ମଚାରୀଙ୍କ ସଂପୃକ୍ତି ପ୍ରସଙ୍ଗକୁ ହାଇକୋର୍ଟ ଗୁରୁତ୍ବର ସହିତ ଗ୍ରହଣ କରିଛନ୍ତି । ଆଠଗଡ଼ ଓ ଅନ୍ୟ କେତେକ ଅଞ୍ଚଳରେ ହାତୀ ଶିକାର ଘଟଣାରେ ବନ ବିଭାଗ ଅଧିକାରୀ ଓ କର୍ମଚାରୀ ସଂପୃକ୍ତ ଥିବା ପ୍ରସଙ୍ଗକୁରେ ଶୁଣାଣି ସମୟରେ ଆବେଦନକାରୀଙ୍କ ପକ୍ଷରୁ ହାଇକୋର୍ଟଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲା । ଏଭଳି ବନ କର୍ମଚାରୀଙ୍କ ବିରୋଧରେ ବିଭାଗୀୟ ତଦନ୍ତର ସ୍ଥିତି, ଗିରଫ ପରେ ଜାମିନରେ ଛାଡ ପାଇଛନ୍ତି କି ନାହିଁ, ବିଭାଗୀୟ ଶୃଙ୍ଖାଳଗତ କାର୍ଯ୍ୟାନୁଷ୍ଠାନ ପ୍ରକ୍ରିୟା ତର୍କଯୁକ୍ତ ଅନ୍ତରେ ପହଞ୍ଚିଛି କି ନାହିଁ ସେନେଇ ସତ୍ୟପାଠ ମାଧ୍ୟମରେ ଅବଗତ କରିବାକୁ ପିସିସିଏଫଙ୍କୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।

ମାମଲାର ପରବର୍ତ୍ତୀ ଶୁଣାଣି ସମୟରେ ସହଯୋଗ କରିବା ପାଇଁ ଆଡଭୋକେଟ ଜେନେରାଲ ଉପସ୍ଥିତ ରହିବେ ବୋଲି ହାଇକୋର୍ଟ କହିଛନ୍ତି। ମାମଲାରେ ପକ୍ଷଭୁକ୍ତ ହେବା ପାଇଁ ପୂରବୀ ପାତ୍ରଙ୍କ ପକ୍ଷରୁ ଦାୟର ଆବେଦନର ହାଇକୋର୍ଟ ଶୁଣାଣି କରି ଆବେଦନକାରୀ ଓ ରାଜ୍ୟ ସରକାରଙ୍କୁ ନୋଟିସ୍ ଜାରି କରିଛନ୍ତି । ମାମଲାର ଶୁଣାଣି ସମୟରେ ପୂର୍ବ ନିର୍ଦ୍ଦେଶ ଅନୁସାରେ ପିସିସିଏଫ୍ (ୱାଇଲ୍ଡ ଲାଇଫ) ଶଶି ପଲ ଭର୍ଚୁଆଲ ମୋଡରେ ଉପସ୍ଥିତ ଥିଲେ । ଜନସ୍ବାର୍ଥ ମାମଲାର ପରବର୍ତ୍ତୀ ଶୁଣାଣି ଅଗଷ୍ଟ ୧୭କୁ ଧାର୍ଯ୍ୟ କରାଯାଇଛି ।

ଉଲ୍ଲେଖଯୋଗ୍ୟ, ଅଗଷ୍ଟ ୬ରେ ପିସିସିଏଫଙ୍କ ପକ୍ଷରୁ ଦାଖଲ ସତ୍ୟପାଠରେ ଗତ ୫ ବର୍ଷରେ ଆଠଗଡ, ଢେଙ୍କାନାଳ, ଦେବଗଡ, ସମ୍ବଲପୁର, ବୌଦ୍ଧ, ଘୁମୁସର (ଉତ୍ତର) ଡିଭିଜନରେ ବେଆଇନ ହାତୀ ଶିକାର କରାଯାଇଥିବା ଦର୍ଶାଯାଇଥିଲା। ୨୦୧୮ରୁ ୨୦୨୨ ମଧ୍ୟରେ ୧୪ଟି ମାମଲା ରୁଜୁ କରାଯାଇ ୨୯ ଜଣଙ୍କୁ ଗିରଫ କରାଯାଇଛି ବୋଲି ଉଲ୍ଲେଖ କରାଯାଇଥିଲା । ଜୁଲାଇ ୨୫ରେ ହାଇକୋର୍ଟ ଏ ସଂପର୍କିତ ମାମଲାର ଶୁଣାଣି କରି ପିସିସିଏଫଙ୍କୁ ସତ୍ୟପାଠ ଦାଖଲ ପାଇଁ ନିର୍ଦ୍ଦେଶ ଦେଇଥିଲେ । ଗତ ୫ ବର୍ଷରେ ପ୍ରତ୍ୟେକ ହାତୀ ଶିକାର ଘଟଣାର ବିସ୍ତୃତ ବିବରଣୀ ସତ୍ୟପାଠରେ ଦେବା ପାଇଁ ହାଇକୋର୍ଟ କହିଥିଲେ । ହାତୀ ଶିକାର ଘଟଣାର ସ୍ଥାନ/ଅଞ୍ଚଳ, ଗ୍ରହଣ କରାଯାଇଥିବା ପଦକ୍ଷେପ ଯଥା ଏତଲା ପଞ୍ଜୀକରଣ, ସନ୍ଦିଗ୍ଧଙ୍କ ତାଲିକା, ଗିରଫ ଅଭିଯୁକ୍ତଙ୍କ ବିବରଣୀ, ଦାଖଲ କରାଯାଇଥିବା ଚାର୍ଜସିଟ, କେଉଁ ଅଦାଲତରେ ମାମଲା ବିଚାରାଧୀନ ରହିଛି, ଟ୍ରାଏଲର ଷ୍ଟାଟସ୍, ଅଭିଯୁକ୍ତ ଦୋଷୀ ସାବ୍ୟସ୍ତ ହୋଇଥିବା ମାମଲା ସଂକ୍ରାନ୍ତରେ ତଥ୍ୟ ଦାଖଲ ପାଇଁ ହାଇକୋର୍ଟ କହିଥିଲେ। ୱାଇଲ୍ଡ ଲାଇଫ କ୍ରାଇମ ସେଲ୍ ପ୍ରସଙ୍ଗରେ ମଧ୍ୟ ତଥ୍ୟ ଦେବାକୁ ନିର୍ଦ୍ଦେଶ ଦେଇଥିଲେ କୋର୍ଟ ।

ଇଟିଭି ଭାରତ, କଟକ

ABOUT THE AUTHOR

...view details