କଟକ : ବହୁ ଚର୍ଚ୍ଚିତ କ୍ୟାମେରାମ୍ୟାନ ମାନସ ସ୍ୱାଇଁ ହତ୍ୟାକାଣ୍ଡ ଘଟଣାରେ ଜେରାର ସମ୍ମୁଖୀନ ହେଉଥିବା ୪ ଅଭିଯୁକ୍ତମାନଙ୍କ ରିମାଣ୍ଡର ଆଜି ଶେଷ ଦିନ । ମିଳିଥିବା ସୂଚନା ମୁତାବକ ଏହି ୫ ଦିନ ମଧ୍ୟରୁ ପ୍ରଥମ ଦୁଇ ଦିନ ଶର୍ମିଷ୍ଠା ମୁହଁ ଖୋଲିନଥିବାବେଳେ ଗୁରୁବାର ରାତିରୁ ସତ ଓଗାଳିବା ଆରମ୍ଭ କରିଛନ୍ତି । ଆଜି ଶେଷ ଦିନରେ ଶର୍ମିଷ୍ଠାଙ୍କ ସମେତ ଅନ୍ୟ ଅଭିଯୁକ୍ତଙ୍କୁ ଘଟଣାସ୍ଥଳକୁ ନେଇ ତଦନ୍ତ କରିଛି ତଦନ୍ତକାରୀ ଟିମ ।
୫ ଦନିଆ ରିମାଣ୍ଡ ସମୟ ମଧ୍ୟରେ ଅନେକ ତଥ୍ୟ ସଂଗ୍ରହ କରିଛି କ୍ରାଇମବ୍ରାଞ୍ଚ ଟିମ । ଆହୁରି ତଥ୍ୟ ହାସଲ କରିବାକୁ ଥିବାବେଳେ ମେମୋରୀ ଚିପକୁ ନେଇ କ୍ରାଇମବ୍ରାଞ୍ଚର ଚିନ୍ତା ବଢି ଯାଇଛି । ଏପରିକି ମେମୋରୀ ଚିପରେ କଣ ଥିଲା ? କାହା ପାଖରେ ଅଛି ? ତଦନ୍ତ ପ୍ରକ୍ରିୟାରେ ଏହାର ଗୁରୁତ୍ୱ ରହିଥିବାରୁ ତାହାର ତଦନ୍ତ ଜୋରଦାର କରୁଛି କ୍ରାଇମବ୍ରାଞ୍ଚ ଟିମ ।
ସେ କାହିଁକି ଅନ୍ୟମାନଙ୍କ ସହ ମିଶି ନିଜ କ୍ୟାମେରାମ୍ୟାନ ମାନସଙ୍କୁ ଅପହରଣ କଲେ ? ଦୟାଲ ଆଶ୍ରମରେ ମାନସଙ୍କୁ କେଉଁମାନେ ମାଡ଼ ମାରିଥିଲେ ? କାହା ମାଡ଼ରେ ମାନସ ଗୁରୁତର ହୋଇପଡିଥିଲେ ? ମାନସଙ୍କ ମୃତଦେହକୁ ନୟାଗଡ଼ର ରଣପୁରକୁ ନେଇ ପୋତିବା ପାଇଁ ଯୋଜନା କିଏ ପ୍ରସ୍ତୁତ କରିଥିଲେ ?
ନୟାଗଡ଼ରୁ ପ୍ରାୟ ୧୫୦ କିଲୋମିଟର ଦୁର ଚଣ୍ଡିଖୋଲ ଆସି ମୃତଦେହ ସହିତ ଥିବା ସାମଗ୍ରୀଗୁଡ଼ିକୁ ନଷ୍ଟ କରିବା ପଛର ପ୍ରକୃତ କାରଣ କଣ ? ତେବେ ସେନେଇ ଗୋଟି ଗୋଟି କରି ତଥ୍ୟ ଓଗାଳିଛି ଶର୍ମିଷ୍ଠା। ନିଜର ନାମକୁ ଗୋପନ ରଖି କ୍ରାଇମବ୍ରାଞ୍ଚର ଜଣେ ବରିଷ୍ଠ ଅଧିକାରୀଙ୍କ ସୂଚନା ମୁତାବକ ମାନସକୁ ହତ୍ୟା କରିବା ଅଭିଯୁକ୍ତମାନଙ୍କର ଉଦେଶ୍ୟ ନ ଥିଲା । କିନ୍ତୁ ଅତି ଅମାନବୀୟ ଭାବେ ଏବଂ ବିଭିନ୍ନ ଉପକରଣ ଦ୍ବାରା ନିୟମିତ ମାଡ଼ ମରାଯିବାରୁ ମାନସଙ୍କ ମୃତ୍ୟୁ ହୋଇଯାଇଥିଲା ।