କଟକ: ଦୁଇ ଦିନ ତଳେ ଐତିହ୍ୟ ନଗରୀ ଗସ୍ତ କରିବା ସହ ଏସସିବି ମେଡ଼ିକାଲ କଲେଜକୁ ବିଶ୍ବସ୍ତରୀୟ କରିବା ନେଇ ବଡ଼ ଘୋଷଣା କରିଥିଲେ ଖୋଦ ମୁଖ୍ୟମନ୍ତ୍ରୀ । ଆଉ ଏହି ପ୍ରକଳ୍ପ କାର୍ଯ୍ୟକୁ ନିର୍ମାଣ କରିବା ସହ ଜୀବନ୍ୟାସ ଦେବା ପାଇଁ ପୁନର୍ବିନ୍ୟାସ, ଥଇଥାନ ଓ ସହାୟତା ପ୍ୟାକେଜ ଘୋଷଣା ହୋଇଛି । ଯେଉଁଥି ପାଇଁ ଆରମ୍ଭ ହୋଇଯାଇଛି ପ୍ରସ୍ତୁତି । ଆଉ ଆଜି (ଶନିବାର) ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରକଳ୍ପକୁ ଦେଇଛନ୍ତି ମଞ୍ଜୁର ।
ବଦଳିବ ସିଲଭର ସିଟି; ‘ମୁଖ୍ୟମନ୍ତ୍ରୀଙ୍କ ପ୍ୟାକେଜ କଟକବାସୀଙ୍କ ପାଇଁ ଗୌରବ’ ମୁଖ୍ୟମନ୍ତ୍ରୀ ପ୍ୟାକେଜ ଘୋଷଣା କରିବା ପରେ କଟକ ଜିଲ୍ଲାପାଳ ଏହାକୁ ସ୍ବାଗତ କରିଛନ୍ତି । ସରକାରଙ୍କ ଏହି ବୃହତ ପ୍ରକଳ୍ପ କଟକବାସୀଙ୍କ ପାଇଁ ଗର୍ବର ବିଷୟ ବୋଲି ସେ କହିଛନ୍ତି । ସେହିପରି ଏହା ଦ୍ବାରା ପ୍ରଭାବିତ ହେବାକୁ ଥିବା ସ୍ଥାୟୀ ବାସୀନ୍ଦା, ଦୋକାନୀ, ଜବରଦଖଲ କାରୀ ଓ ଉଠାଦୋକାନୀଙ୍କ ପାଇଁ ସ୍ବତନ୍ତ୍ର ପ୍ୟାକେଜ ଘୋଷଣା କରିଛନ୍ତି ରାଜ୍ୟ ସରକାର।
କଟକ ମହାନଗର ନିଗମ ପକ୍ଷରୁ ସର୍ଭେ କରାଯାଇଛି । ଯେଉଁମାନେ ଜମି ହରାଇବେ ସେମାନଙ୍କୁ ରାଜ୍ୟ ସରକାରଙ୍କ କ୍ଷତିପୂରଣ ଆଇନ୍ ଅନୁସାରେ ମିଳିବ କ୍ଷତିପୂରଣ। ସେହିପରି ଏହାଦ୍ବାରା ଯେଉଁମାନଙ୍କୁ ଉଚ୍ଛେଦ କରାଯିବ ସେମାନଙ୍କ ପାଇଁ ସିଏମସି ପକ୍ଷରୁ ସମସ୍ତ ପ୍ରକାର ମୌଳିକ ସୁବିଧା ଯୋଗାଇଦିଆଯିବା ସହିତ 8 ଦିନ ପାଇଁ ରନ୍ଧା ଖାଦ୍ୟ ଦିଆଯିବ । ସେହି ଅଞ୍ଚଳରେ ଅସ୍ଥାୟୀ ଘର, ପିଇବା ପାଣି, ଶୌଚାଳୟ ଆଦି ମଧ୍ୟ ନିର୍ମାଣ କରାଯିବ । ଜିଲ୍ଲାପାଳ ଭବାନୀ ଶଙ୍କର ଚଇନିଙ୍କ ସୂଚନା ଅନୁସାରେ ପ୍ରଭାବିତ ଲୋକମାନଙ୍କୁ ଜୋବ୍ରା ନିକଟବର୍ତ୍ତୀ ଅଞ୍ଚଳରେ ରଖାଯିବ ।
ମୁଖ୍ୟମନ୍ତ୍ରୀ ଘୋଷଣା କରିଥିବା ପ୍ୟାକେଜ ଅନୁଯାୟୀ ଜମି ଓ ବାସହରା ପରିବାରଙ୍କୁ ଜରୁରୀ ବ୍ୟବସ୍ଥା ପାଇଁ ୧ ଲକ୍ଷ ସହାୟତା ରାଶି ପ୍ରଦାନ କରାଯିବ । ସେହିପରି ଅନଧିକୃତ ବାସଗୃହ କ୍ଷତିଗ୍ରସ୍ତଙ୍କ ୫୦ ହଜାର ଟଙ୍କା ଓ ପ୍ରତି ପରିବାର ପାଇଁ ୧୫x୧୫ ଫୁଟ ଅସ୍ଥାୟୀ ଗୃହନିର୍ମାଣ ପାଇଁ ଲାଇସେନ୍ସ ଦିଆଯିବ । ସିଏମ୍ସିର ରେଜିଷ୍ଟ୍ରୀଭୁକ୍ତ ଦୋକାନୀଙ୍କୁ ଏକକାଳୀନ ମିଳିବ ୧ ଲକ୍ଷ ଟଙ୍କା। ଉଠା ଦୋକାନୀଙ୍କ ପାଇଁ ଏକକାଳୀନ ୨୦ ହଜାର ଟଙ୍କା, ଧାର୍ମିକ ଅନୁଷ୍ଠାନ ଓ କ୍ଲବ ପାଇଁ ଏକକାଳୀନ ୧ ଲକ୍ଷ, ଗାଈ ଗୁହାଳ ପିଛା ୨୦ ହଜାର ଟଙ୍କା ସହାୟତା ଅର୍ଥ ପ୍ରଦାନ କରାଯିବ । ଅନ୍ୟପଟେ ଉଚ୍ଛେଦ ପାଇଁ ଜିଲ୍ଲାପାଳଙ୍କୁ ଦାୟିତ୍ବ ଦିଆଯାଇଥିବା ବେଳେ ଆବଶ୍ୟକ ସ୍ଥଳେ ସହାୟତା ଅର୍ଥ ବୃଦ୍ଧି ଓ ପରିବର୍ତ୍ତନ ନେଇ ନିଷ୍ପତ୍ତି ନେବେ ଜିଲ୍ଲାପାଳ ।
କଟକରୁ ପ୍ରଭୁ କଲ୍ୟାଣ ପାଲ, ଇଟିଭି ଭାରତ