କଟକ: ଓଡିଶାରୁ ୟୁଏଇ ପର୍ଯ୍ୟନ୍ତ ସବୁଆଡେ ଆଇପିଏଲ ଫିଭର । ସବୁ କ୍ରୀଡା ବିତଙ୍କ ସ୍ବପ୍ନ ଥାଏ ଜାତୀୟ ଟିମରେ ସ୍ଥାନ ପାଇ ଦେଶର ପ୍ରତିନିଧିତ୍ବ କରିବେ । ଇଣ୍ଡିଆନ ପ୍ରିମିୟର ଲିଗରେ ପ୍ରଭାବୀ ପ୍ରଦର୍ଶନ ଅନେକ ଖେଳାଳିଙ୍କୁ ଜାତୀୟ ଟିମ ଆଡକୁ ରାସ୍ତା କଢାଇଛି । ଫଳରେ ଆଇପିଏଲକୁ ଫେରିବାକୁ ଚାହାନ୍ତି ଓଡିଆ କ୍ରିକେଟର ବିପ୍ଳବ ସାମନ୍ତରାୟ ।
ଆଇପିଏଲର 2012 ସଂସ୍କରଣରେ ଓଡିଶା ରଣଜୀ ଟିମର ଷ୍ଟାର ଅଲରାଉଣ୍ଡରଙ୍କୁ କ୍ୟାମ୍ପରେ ସାମିଲ କରିଥିଲା ଡେକାନ ଚାର୍ଜସ । ପରେ ରାଜ୍ୟ ତମାମ ଖେଳିଯାଇଥିଲା ଖୁସିର ଲହରୀ । କିମ୍ବଦନ୍ତୀ କ୍ରିକେଟର କୁମାର ସାଙ୍ଗାକାରାଙ୍କ ନେତୃତ୍ବରେ ଖେଳିଥିବା ବିପ୍ଳବ ଫ୍ୟାନ୍ସଙ୍କୁ ନିରାଶ କରିନଥିଲେ । ଦେଖାଇଥିଲେ ପାଓ୍ବାର ହିଟିଂ ର ଜଲୱା । 9ଟି ମ୍ୟାଚରୁ ଗୋଟିଏ ଅର୍ଦ୍ଧଶତକୀୟ ଇଂନିସ ସହ ସଂଗ୍ରହ କରିଥିଲେ 125 ରନ । ମାତ୍ର ପରବର୍ତ୍ତୀ ସଂସ୍କରଣ ଗୁଡିକରେ ଟୁର୍ଣ୍ଣାମେଣ୍ଟକୁ କମବ୍ୟାକ୍ କରିପାରିନାହାନ୍ତି ବିପ୍ଲବ । ଆଇପିଏଲ କ୍ୟାରିୟରରେ ଦୀର୍ଘ ବିରତି ଆସିଥିଲେ ମଧ୍ୟ ସେ ଦୃଢ ଆତ୍ମବିଶ୍ବାସର ସହ ଅଭ୍ୟାସ ଜାରି ରଖିଛନ୍ତି । ଆଇପିଏଲ ଟ୍ରାକକୁ ଫେରିବାକୁ ଦୃଢ ଆଶାବାଦୀ ଅଛନ୍ତି ।