କଟକ: ଆଉ କିଛି ଦିନର ଅପେକ୍ଷା । ଧରାପୃଷ୍ଠକୁ ଓହ୍ଲାଇବେ ମା' ମହିଷାମର୍ଦ୍ଦିନୀ । ମା'ଙ୍କ ଆଗମନରେ ଚଳଚଞ୍ଚଳ ହୁଏ ସାରା ରାଜ୍ୟ । ଓଡିଶାର ଦୁର୍ଗା ପୂଜାରେ କଟକର ଏକ ସ୍ବତନ୍ତ୍ର ସ୍ଥାନ ରହିଛି । କାରଣ କଟକ ଦଶହରାରେ କଟକୀ ତାରକସିର ଝଲକ ଦେଖିବାକୁ ମିଳିଥାଏ । ରୂପା କାରିଗରଙ୍କ ନିଖୁଣ ତାରକସି କାରିଗରୀ କାମରେ ମାଙ୍କ ମେଢ ସଜ୍ଜା ହୁଏ, ଯାହା କଟକ ସହିତ କଟକ ବାହାର ଲୋକଙ୍କୁ ମଧ୍ୟ ଆକୃଷ୍ଟ କରିଥାଏ । ହେଲେ ଏବର୍ଷ ସୁନା ଓ ଚାନ୍ଦି ମେଢ ପାଇଁ ପ୍ରସିଦ୍ଧ କଟକର ଦୁର୍ଗା ପୂଜା ଫିକା ପଡିବ । କାରଣ କୋରୋନା ମହାମାରୀ ପାଇଁ ଲାଗୁ ହୋଇଥିବା କଟକଣାରେ ଏଥର ପ୍ରତିଟି ପୂଜା ମଣ୍ଡପରେ ଛୋଟ ମୂର୍ତ୍ତିରେ ପୂଜା ପାଇବେ ମା' ଦୁର୍ଗା । ଦଶହରାରେ ସୁନା ଓ ଚାନ୍ଦି ମେଢର ଚମକ ଦେଖିବାକୁ ମିଳିବ ନାହିଁ । ଯାହାର ସିଧାସଳଖ ପ୍ରଭାବ ପଡିଛି ତାରକସି କାରିଗରଙ୍କ ଉପରେ ।
ଦୀର୍ଘ ୪୦ ବର୍ଷରୁ ଊର୍ଦ୍ଧ୍ବ ହେବ ରୂପା ଓ ସୁନାରେ ବିଭିନ୍ନ ମେଢ ସଜାଇ ଆସୁଛନ୍ତି କଟକର ପ୍ରତିଷ୍ଠିତ ତାରକସି କାରିଗର ବିଶ୍ବନାଥ ଦେ । ବର୍ତ୍ତମାନ ସୁଦ୍ଧା ରାଜ୍ୟର ବିଭିନ୍ନ ସ୍ଥାନରେ 30ଟି ପୂଜା ମଣ୍ଡପରେ ତାଙ୍କ ଟିମ ପକ୍ଷରୁ ହାତ ତିଆରି ମେଢ ସଜ୍ଜିତ ହୋଇଛି । ପ୍ରତିବର୍ଷ ଦଶହରାରେ ସେ ନୂଆ ନୂଆ ମେଢ କାମ କରିଥାନ୍ତି । ଚଳିତବର୍ଷ କୋରୋନା ପାଇଁ ସମସ୍ତ ପୂଜା କମିଟି ମେଢ କାମରୁ ଓହରିଯାଇଥିବାରୁ, ଦଶହରା ସମୟରେ 6 ମାସ ପୂର୍ବରୁ ତର ମିଳୁନଥିବା କାରିଗରମାନେ ଏବେ ହାତଗୋଡ ବାନ୍ଧି ବସିଛନ୍ତି । ୨୦ ରୁ ୩୦ କାରିଗର ବଦଳରେ ବର୍ତ୍ତମାନ ଜଣେ କି ଦୁଇ ଜଣଙ୍କୁ ନେଇ କାମ କରୁଥିବା କହିଛନ୍ତି ବିଶ୍ବନାଥ ।