କଟକ: ‘ପ୍ରତିଟି ପିଲା ମଧ୍ୟରେ ଅନ୍ତର୍ନିହିତ ଶକ୍ତି ଲୁଚି ରହିଛି । ଅଭିଭାବକ, ଶିକ୍ଷକଙ୍କ କାମ ହେଲା ତାଙ୍କୁ କେବଳ ବାହାରକୁ ଆଣିବା । ଏ କ୍ଷେତ୍ରରେ ପ୍ରକୃତି ବେଶୀ ସହଯୋଗ କରିଥାଏ । କାରଣ ପିଲାଙ୍କ ମସ୍ତିଷ୍କକୁ ପ୍ରକୃତି ହିଁ ଅଧିକ ପରିପକ୍ବ କରିଥାଏ’ ଶିକ୍ଷକଗୌରବ ବନମାଳୀ ବ୍ରହ୍ମଚାରୀଙ୍କ 30ତମ ଶ୍ରାଦ୍ଧବାର୍ଷିକୀ ଅବସରରେ ଆୟୋଜିତ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଯୋଗଦେଇ ଏହା କହିଛନ୍ତି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ।
ନିଖିଳ ଉତ୍କଳ ନିମ୍ନ ମାଧ୍ୟମିକ ଶିକ୍ଷକ ସଂଘ (ଓଲଷ୍ଟା) ପକ୍ଷରୁ କାର୍ଯ୍ୟକ୍ରମଟି ଆୟୋଜିତ ହୋଇଥିଲା । ସ୍ବର୍ଗତ ବନମାଳୀ ବ୍ରହ୍ମଚାରୀ ଏହି ସଂଘର ପ୍ରତିଷ୍ଠାତା ସଭାପତି ଥିଲେ । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶିକ୍ଷକର କର୍ତ୍ତବ୍ୟ ଓ ପଢ଼ାଇବାର ଶୈଳୀ ସମ୍ପର୍କରେ ଉପସ୍ଥିତ ଶହ ଶହ ଶିକ୍ଷକଙ୍କୁ ଅବଗତ କରାଇଥିଲେ ରାଜ୍ୟପାଳ ।
‘ଆଜିର ଦିନରେ ଶିକ୍ଷକଙ୍କର ଅନେକ ସମସ୍ୟା ରହିଛି । ପାଠପଢ଼ା ଛଡ଼ା ଅନ୍ୟାନ୍ୟ କାମ କରିବାକୁ ପଡ଼ୁଛି । ଦରମାରେ ମଧ୍ୟ ତାରତମ୍ୟ ରହିଛି । ଏସବୁର ସମାଧାନ ଲାଗି ନୂଆ ସରକାର ପ୍ରୟାସ କରିବେ ବୋଲି ଆଶା’ କାର୍ଯ୍ୟକ୍ରମରେ ସାମିଲ ହୋଇ ଏପରି କହିଛନ୍ତି ଓଲଷ୍ଟା କାର୍ଯ୍ୟକାରୀ ସଭାପତି ଜଗବନ୍ଧୁ ଜେନା ।