କଟକ:ରାଜ୍ୟର ସମସ୍ତ ଜିଲ୍ଲାରେ ଜାତୀୟ ଖାଦ୍ୟ ସୁରକ୍ଷା ଆଇନ, ୨୦୧୩ ଓ ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରଣୟନ କରାଯାଇଥିବା ନିୟମାବଳୀ କାର୍ଯ୍ୟକାରୀ ଉପରେ ହାଇକୋର୍ଟ ଗୁରୁତ୍ବାରୋପ କରିଛନ୍ତି । ଓଡ଼ିଶା ରାଜ୍ୟ ଖାଦ୍ୟ ସୁରକ୍ଷା ନିୟମାବଳୀ ୨୦୨୦ ଅନୁସାରେ ଭିଜିଲାନ୍ସ କମିଟି(ଭିସି) ଗଠନ ଓ କାର୍ଯ୍ୟକ୍ଷମ କରିବା ପାଇଁ ସମସ୍ତ ଜିଲ୍ଲାପାଳଙ୍କୁ ଜୁଲାଇ ୬ରେ ନିର୍ଦ୍ଦେଶ ହୋଇଥିବା ନେଇ ସରକାରଙ୍କ ପକ୍ଷରୁ ମାର୍ଚ୍ଚ ୨୪ରେ ହାଇକୋର୍ଟରେ ଶୁଣାଣି ସମୟରେ ଦର୍ଶାଯାଇଥିଲା । ହେଲେ ୨୫ ଜିଲ୍ଲାରେ ଏ ପର୍ଯ୍ୟନ୍ତ ଭିସି ଗଠନ ହୋଇ ନଥିବା ସ୍ପଷ୍ଟ ହୋଇଛି । ଯାହାଫଳରେ ତୁରନ୍ତ ଭିସି କମିଟି ଗଠନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ ।
ଢେଙ୍କାନାଳ, ଗଞ୍ଜାମ, କନ୍ଧମାଳ, କେନ୍ଦ୍ରାପଡ଼ା ଓ ସମ୍ବଲପୁରରେ ଜିଲ୍ଲାସ୍ତରୀୟ ଭିସି ଗଠନ କରାଯାଇଥିବା ବେଳେ ଅବଶିଷ୍ଟ ୨୫ଟି ଜିଲ୍ଲାରେ ଏ ପର୍ଯ୍ୟନ୍ତ କମିଟି ଗଠନ ହୋଇ ନାହିଁ । ନଭେମ୍ବର ୧ ସୁଦ୍ଧା ଏହି ୨୫ଟି ଜିଲ୍ଲାରେ ଭିସି ଗଠନ ପାଇଁ ମୁଖ୍ୟ ବିଚାରପତି ଡକ୍ଟର ଜଷ୍ଟିସ ଏସ.ମୁରଲୀଧର ଓ ଜଷ୍ଟିସ ବି.ପି.ରାଉତରାୟଙ୍କୁ ନେଇ ଗଠିତ ଖଣ୍ଡପୀଠ ନିର୍ଦ୍ଦେଶ ଦେଇଛନ୍ତି । ବ୍ଲକ, ୟୁଏଲବି ଓ ଏଫପିଏସ ସ୍ତରରେ ଭିସି ଗଠନ ପାଇଁ ସ୍ପେଶାଲ ଡ୍ରାଇଭ କରାଯିବ । ଏହି ପ୍ରକ୍ରିୟା ଆଜିଠାରୁ(ବୁଧବାର) ୬ ମାସ ଭିତରେ ସଂପୂର୍ଣ୍ଣ କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।
ଖାଦ୍ୟ ସୁରକ୍ଷା ଯୋଜନା ପ୍ରସଙ୍ଗରେ ଅଭିଯୋଗ ପାଇଁ ଗୋଟିଏ ଟୋଲ ଫ୍ରି ଟେଲିଫୋନ୍ ନମ୍ବର ବ୍ୟବସ୍ଥା କରିବାକୁ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗକୁ ନିର୍ଦ୍ଦେଶ ହୋଇଛି । ଏହି ଟୋଲ ଫ୍ରି ନମ୍ବରକୁ ଆସୁଥିବା ଅଭିଯୋଗ ରେକର୍ଡ କରାଯିବ ଓ ଏହା ଜିଲ୍ଲା ଗ୍ରିଭାନ୍ସ ରିଡ୍ରେସାଲ ଅଫିସର(ଡିଜିଆରଓ)ଙ୍କ ନିକଟକୁ ଉପଯୁକ୍ତ ପଦକ୍ଷେପ ଗ୍ରହଣ ପାଇଁ ପଠାଯିବ ବୋଲି ହାଇକୋର୍ଟ କହିଛନ୍ତି । ରାଜ୍ୟ ଖାଦ୍ୟ ଆୟୋଗ ୱେବସାଇଟରେ ଏହି ଟୋଲ ଫ୍ରି ନମ୍ବର ସଂକ୍ରାନ୍ତରେ ସୂଚନା ସେପ୍ଟେମ୍ବର ୧ ସୁଦ୍ଧା ପ୍ରକାଶ କରାଯିବ । ଟୋଲ ଫ୍ରି ନମ୍ବରକୁ ଆସୁଥିବା ଅଭିଯୋଗ ଓ ଏହାର ସମାଧାନ ପାଇଁ ଗ୍ରହଣ କରାଯାଇଥିବା ପଦକ୍ଷେପ ସଂକ୍ରାନ୍ତରେ ବିସ୍ତୃତ ସୂଚନା ଆୟୋଗ ୱେବସାଇଟରେ ଅପଲୋଡ୍ କରାଯିବ ବୋଲି ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।