କଟକ: ମାଆ ଦେଖନ୍ତିନି ଜାତିଭେଦ । ମାଆଙ୍କ ପାଖରେ ସମସ୍ତେ ସମାନ । ଧର୍ମ, ବର୍ଣ୍ଣ, ନିର୍ବିଶେଷରେ ସମସ୍ତେ ଏକ । ଆଉ ପାର୍ବଣ ଋତୁରେ ମାଆଙ୍କ ଆଗମନକୁ ମଧ୍ୟ ସମସ୍ତଙ୍କ ଅପେକ୍ଷା । ସରିଛି ମୂର୍ତ୍ତି କାମ । କାରୁକାର୍ଯ୍ୟରେ ଶେଷ ସ୍ପର୍ଶ ଦେଇଛନ୍ତି କାରିଗର ।
ଭାଇଚାରା ସହରର ମୁସଲିମ କାରିଗର ପରିବାର କାରିଗରୀ କଳାକୌଶଳର ଅପୂର୍ବ ନିଦର୍ଶନ ଜରିମେଢ । ବିଭିନ୍ନ ଆକର୍ଷଣୀୟ ରଙ୍ଗ ସାଙ୍ଗକୁ ବିଭିନ୍ନ ଆକାରର କଳାକୃତି । ନିଜ ହାତରେ ମାଆଙ୍କୁ ଖୁବ ସୁନ୍ଦର ଭାବେ ସଜାଇ ଦେଇଛନ୍ତି କାରିଗର । ମାଆଙ୍କ ସେବାରେ ସେମାନେ ନିଜକୁ ହଜାଇ ଦେଇଛନ୍ତି ।
ଏମାନେ ହେଉଛନ୍ତି ଭାଇଚାରା ସହରର ମୁସଲିମ କାରିଗର ପରିବାର । ଯେଉଁମାନେ ହିନ୍ଦୁଙ୍କ ଏହି ମହାପର୍ବରେ ଖୁବ ଖୁସିରେ ସାମିଲ ହୋଇଛନ୍ତି । ଇଶ୍ବର ସେବାରୁ ସେମାନଙ୍କୁ ମିଳୁଛି ମାନସିକ ଶାନ୍ତି । ସେମାନଙ୍କ ଶାନ୍ତି ଦେଖିବାକୁ ମିଳୁଛି ମାଆଙ୍କ ମୂର୍ତ୍ତିର ହସ ହସ ମୁହଁରେ ।
ଯେଉଁଠି ଦେଶସାରା ଅନେକ ସମୟରେ ସାମ୍ପ୍ରଦାୟିକ ଦଙ୍ଗା ଦେଖାଯାଏ, ସେଠାରେ ଏପରି ଦୃଶ୍ୟ ନିଶ୍ଚିତ ନିଆରା । କଟକ ସହରରେ ମୋଟ 167ଟି ମଣ୍ଡପରେ ପୂଜା ପାଉଛନ୍ତି ମା' । ଆଉ ଏହା ମଧ୍ୟରୁ 27ଟି ମଣ୍ଡପରେ ଚାନ୍ଦି ମେଢ କରାଯାଇଛି। ଆଉ ବାକି140ଟି ମଣ୍ଡପରେ ଜରି ମେଢରେ ଦର୍ଶନ ଦେବେ ମା' । ଆଉ ଏହାର ଅଧିକାଂଶ ଜରି ମେଢକୁ ମୁସଲିମ ପରିବାର ମାନେ ପ୍ରସ୍ତୁତ କରିଥାଆନ୍ତି। ପ୍ରତି ବର୍ଷ ନୂଆ ନୂଆ ରୂପରେ, ବେଶ ଆକର୍ଷଣୀୟ ଭାବରେ ମେଢ଼ ପ୍ରସ୍ତୁତ କରିଥାଆନ୍ତି ଏମାନେ ।
କଟକରୁ ନାରାୟଣ ସାହୁ, ଇଟିଭି ଭାରତ