କଟକ: ରଥଯାତ୍ରାକୁ ନେଇ ସୁପ୍ରିମକୋର୍ଟରେ ରୁଜୁ ମାମଲାରେ ଇଣ୍ଟରଭେନର ପିଟିସନର ହୋଇଛନ୍ତି ମୁସଲିମ ଶ୍ରଦ୍ଧାଳୁ। ନୟାଗଡ ଜିଲ୍ଲା ଇଟାମାଟି ଅଞ୍ଚଳର ଅଫତାପ ହୁସେନ ନାମକ ଜଣେ ମୁସଲିମ ଶ୍ରଦ୍ଧାଳୁ ମାମଲାରେ ଏଣ୍ଟରଭେନିଂ ପିଟିସନ ଦାଖଲ କରିଛନ୍ତି । ସେ ନିଜ ପିଟିସନରେ କହିଛନ୍ତି ଯେ, ‘ଜଗନ୍ନାଥ ହିନ୍ଦୁ ଧର୍ମର ଭଗବାନ ହେଲେ ମଧ୍ୟ ସବୁ ଧର୍ମର ଶ୍ରଦ୍ଧାଳୁ ରଥଯାତ୍ରା ସମୟରେ ଦର୍ଶନ କରିଥାଆନ୍ତି। ରଥଯାତ୍ରା କେବଳ ଓଡିଶା ବା ଭାରତ ନୁହେଁ ବରଂ ଏହା ବିଶ୍ବପ୍ରସିଦ୍ଧ ଯାତ୍ରା।’
ସେହିପରି କୋରୋନା ପାଇଁ ଭକ୍ତ ପୁରୀ ନଯାଇ ପାରିଲେ ମଧ୍ୟ, ଟେଲିଭିଜନ ଜରିଆରେ ସାରା ବିଶ୍ବରେ ଲକ୍ଷ ଲକ୍ଷ ଲୋକ ରଥଯାତ୍ରା ଦେଖିପାରିବେ। ତେଣୁ ରଥଯାତ୍ରାକୁ ଅନୁମତି ପ୍ରଦାନ କରିବାକୁ ସେ ସୁପ୍ରିମକୋର୍ଟରେ ନିବେଦନ କରିଛନ୍ତି। ସୂଚନା ଥାଉକି, କୋରୋନା କାଳରେ ରଥଯାତ୍ରା ହେବ କି ନାହିଁ ସେନେଇ ହାଇକୋର୍ଟରେ ମାମଲା ରୁଜୁ ହୋଇଥିଲା । ତେବେ ରଥଯାତ୍ରାର ନିର୍ଦ୍ଧାରିତ ତାରିଖର ଖୁବ୍ ଅଳ୍ପଦିନ ପୂର୍ବରୁ ପରିସ୍ଥିତି ଦେଖି ରାଜ୍ୟ ସରକାର ନିଷ୍ପତ୍ତି ନେବେ ବୋଲି ହାଇକୋର୍ଟ କହିଥିଲେ ।
ଏହାକୁ ଚ୍ୟାଲେଞ୍ଜ କରି ଭାରତୀୟ ବିକାଶ ପରିଷଦ ସୁପ୍ରିମକୋର୍ଟରେ ସ୍ବତନ୍ତ୍ର ଲିଭ୍ ପିଟିସନ୍ (ଏସଏଲପି) ଦାୟର କରିଛି । ଯେଉଁଥିରେ କୋରୋନା ପଜେଟିଭ୍ ସଂଖ୍ୟା ବୃଦ୍ଧି ପାଉଛି ବୋଲି ଦର୍ଶାଇବା ସହ ରଥଯାତ୍ରା ହେଲେ ଲକ୍ଷାଧିକ ଭକ୍ତଙ୍କ ସମାଗମ ହେବ । ଫଳରେ ସାମାଜିକ ଦୂରତା ରକ୍ଷା କରାଯାଇପାରିବ ନାହିଁ । ଯାହା କେନ୍ଦ୍ର ଗୃହ ମନ୍ତ୍ରଣାଳୟର ଗାଇଡଲାଇନ୍ସ, ବିପର୍ଯ୍ୟୟ ପରିଚାଳନା ଆଇନ ଓ ମହାମାରୀ ଆଇନକୁ ଉଲଙ୍ଘନ କରିବ ବୋଲି ପିଟିସନରେ କୁହାଯାଇଛି ।