କଟକ:ଆତଙ୍କବାଦୀଙ୍କ କବଜାରେ ବାରବାଟୀ ଷ୍ଟାଡିୟମ ! ଅସୁରକ୍ଷିତ ଅବସ୍ଥାରେ ଉଭୟ ଭାରତ ଏବଂ ଦକ୍ଷିଣ ଆଫ୍ରିକା ଖେଳାଳି ! କିପରି ପୋଲିସ ଏହାର ନିୟନ୍ତ୍ରଣ କରିବ ? କିପରି ଖେଳାଳି ମାନଙ୍କୁ ସୁରକ୍ଷିତ ଭାବେ ଆତଙ୍କବାଦ ଙ୍କ କବଳରୁ ମୁକୁଳାଇବ ? ଖେଳ ସମୟରେ ଯଦି ଅଗ୍ନିକାଣ୍ଡ ଘଟେ, ତେବେ କିପରି ଏହାର ନିୟନ୍ତ୍ରଣ କରାଯିବ ? ଏହି ସମସ୍ତ ଅଘଟଣର ସାମ୍ନା କରିବା ପାଇଁ ମକଡ୍ରିଲ କରିଛି କମିଶନରେଟ ପୋଲିସ ।
ଭାରତ ଓ ଦକ୍ଷିଣ ଆଫ୍ରିକା ମ୍ୟାଚ୍ ପୂର୍ବରୁ ବାରାବାଟୀ ଷ୍ଟାଡିୟମରେ ମକ୍ଡ୍ରିଲ୍ ଗୁରୁବାର ବାରବାଟୀରେ ଚାଲିଥିଲା ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରତୀକାତ୍ମକ ଦ୍ୱିତୀୟ ଟି-20 ମ୍ୟାଚ । ଦର୍ଶକମାନେ ବି ଖେଳ ଦେଖିବାରେ ବେଶ ମସଗୁଲ ହୋଇପଡିଥିଲେ । ଠିକ ଏତିକି ବେଳେ ଗ୍ୟାଲେରୀ ଭିତରେ ଏକ ବମ ଥିବା ଖବର ଚାରି ଆଡ଼େ ଖେଳି ଯାଇଥିଲା । ଏହା ଶୁଣି ଷ୍ଟାଡିୟମରେ ଥିବା ପ୍ରାୟ ୫୦ ହଜାରରୁ ଅଧିକ ଦର୍ଶକ ଆଉ ଉଭୟ ଦଳର ଖେଳାଳି ଭୟଭୀତ ହୋଇପଡିଥିଲେ ।
ଏହାକୁ ନେଇ କଣ୍ଟ୍ରୋଲ ରୁମ୍କୁ ଖବର ଦିଆଯିବା ପରେ ଏହାର ମୁକାବିଲା ପାଇଁ ପ୍ରସ୍ତୁତ ହୋଇପଡିଥିଲା କମିଶନରେଟ ପୋଲିସ । ସଙ୍ଗେସଙ୍ଗେ ବମ୍ ସ୍କ୍ବାଡ୍ ଘଟଣାସ୍ଥଳରେ ପହଞ୍ଚି ବମ୍କୁ ଜବତ କରିଥିଲେ । ଏହାର ଠିକ୍ କିଛି ସମୟ ପରେ ଷ୍ଟାଡିୟମରେ ଆତଙ୍କବାଦ ପ୍ରବେଶ କରିଥିବା ଖବର ପ୍ରଚାର ହୋଇଯାଇଥିଲା । ଯାହାକୁ ନେଇ ଖେଳାଳି ଏବଂ ଦର୍ଶକଙ୍କ ଚିନ୍ତା ବଢ଼ି ଯାଇଥିଲା । ତେବେ ଏସଓଜି ଯବାନମାନେ ଘଟଣାସ୍ଥଳରେ ପହଞ୍ଚି ଖେଳାଳିଙ୍କୁ ସୁରକ୍ଷିତ ଭାବେ ନେଇଯିବା ସହ ଆତଙ୍କବାଦୀଙ୍କୁ ମଧ୍ୟ କାବୁ କରିବାରେ ସଫଳ ହୋଇଥିଲେ । ପୁରା ଘଟଣା ନକଲି ଥିଲେ ମଧ୍ୟ ଏସଓଜି ଯବାନମାନଙ୍କ ଅଦମ୍ୟ ସାହସକୁ ଦେଖିବା ପରେ ଏହା ଅସଲି ବୋଲି ପ୍ରତୀତ ହେଉଥିଲା । ମ୍ୟାଚ ସମୟରେ ଷ୍ଟାଡିୟମ ଭିତରେ ଅଗ୍ନିକାଣ୍ଡ, ହିସାଂକାଣ୍ଡ ସମ୍ଭାବ୍ୟ ଆତଙ୍କବାଦୀ ଆକ୍ରମଣ ହେଲେ କିଭଳି ମୁକାବିଲା କରାଯିବ ତାହା ହିଁ ଥିଲା ମକ ଡ୍ରିଲ୍ର ମୁଖ୍ୟ ଉଦ୍ଦେଶ୍ୟ ବୋଲି କମିଶନର କହିଛନ୍ତି ।
ଏହି ମକ୍ଡ୍ରିଲ୍ରେ ଅଗ୍ନିଶମ ବିଭାଗ, ଓଡ୍ରାଫ, ସନ୍ଧାନୀ କୁକୁର, ବମ୍ ନିଷ୍କ୍ରିୟ ସ୍କ୍ବାଡ୍ ପ୍ରମୁଖ ସାମିଲ ଥିଲେ । କେବଳ ଆତଙ୍କବାଦୀ ଆକ୍ରମଣ ନୁହେଁ ବରଂ ଏମିତି ଅନେକ ସମ୍ଭାବ୍ୟ ଅଘଟଣର ମୁକାବିଲା ପାଇଁ ଅଭ୍ୟାସ କରିଛି କମିଶନରେଟ ପୋଲିସ । ମ୍ୟାଚ ଚାଲିଥିବା ସମୟରେ ଯଦି ଅଗ୍ନିକାଣ୍ଡ ଘଟେ, ଏହାର ମୁକାବିଲା କିପରି କରାଯିବ ଏହାର ଏକ ନମୂନା ପ୍ରଦର୍ଶନ କରିଥିଲେ ଅଗ୍ନିଶମ ବିଭାଗ ଯବାନ । ସେହିପରି ଗ୍ୟାଲେରୀରେ ବସି ପଡ଼ିଆ ଭିତରକୁ ବିଭିନ୍ନ ପ୍ରକାର ସାମଗ୍ରୀ ଫିଙ୍ଗୁଥିବା ଲୋକଙ୍କୁ କିପରି କାବୁକରାଯିବ ତାହା ପ୍ରଦର୍ଶିତ କରିଥିଲା କମିଶନରେଟ ପୋଲିସ । ତେବେ ଏହି ମକଡ୍ରିଲରୁ ଅନେକ କିଛି କଥା ଶିଖିବାକୁ ମିଳିଥିବା ବେଳେ ସେଗୁଡ଼ିକର ତର୍ଜମା କରାଯାଇ ଭବିଷ୍ୟତରେ କିଭଳି କାମରେ ଲଗାଯିବ ସେନେଇ ପୋଲିସ ଯତ୍ନବାନ ହେବ ବୋଲି କଟକ ଡିସିପି କହିଛନ୍ତି । ଖେଳାଳିଙ୍କ ସୁରକ୍ଷା ଓ ଦର୍ଶକଙ୍କ ସୁରକ୍ଷା ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ କମିଶନରେଟ ପୋଲିସ । ସେହିପରି ଅଫଳାଇନ ଟିକେଟ ବିକ୍ରି ସମୟରେ ପୋଲିସ ପାଇଁ ଏକ ବଡ଼ ଚ୍ୟାଲେଞ୍ଜ ସୃଷ୍ଟି ହେବ । ଏହା ସହିତ ପ୍ରତି ଗ୍ୟାଲେରିରେ ଦୁଇ ଜଣ ଡାକ୍ତର ମଧ୍ୟ ଉପସ୍ଥିତ ରହିବେ ବୋଲି ସୂଚନା ରହିଛି ।