କଟକ: ଓଏଏସ୍ ଅଫିସରଙ୍କ ଘରେ ଆଦିବାସୀ ନାବାଳିକାଙ୍କୁ ଦୁଷ୍କର୍ମ ଘଟଣାର ନିରପେକ୍ଷ ତଦନ୍ତ ପାଇଁ ହାଇକୋର୍ଟରେ ମାମଲା ରୁଜୁ । ପୀଡିତାଙ୍କ ମା’ ଉଦ୍ଦେଶ୍ୟମୂଳକ ଭାବେ ତାଙ୍କ ବିରୋଧରେ ଥାନାରେ ଅଭିଯୋଗ କରିଥିବା ଦର୍ଶାଇ ନିରପେକ୍ଷ ତଦନ୍ତ ପାଇଁ ମାମଲା ରୁଜୁ କଲେ ଅଭିଯୁକ୍ତ ପ୍ରଫୁଲ୍ଲ ଚନ୍ଦ୍ର ମହାପାତ୍ର ।
ଘଟଣାର ସିବିଆଇ କିମ୍ବା ଏସଆଇଟି ଗଠନ କରି ତଦନ୍ତ କରିବାକୁ ଦର୍ଶାଇ ହାଇକୋର୍ଟର ଦ୍ବାରସ୍ଥ ହେଲେ ପ୍ରଫୁଲ୍ଲ । ଉଦ୍ଦେଶ୍ୟମୂଳକ ଭାବେ ତାଙ୍କ ବିରୋଧରେ ବାଲିଚନ୍ଦ୍ରପୁର ଥାନାରେ ମାମଲା ରୁଜୁ କରାଯାଇଥିବାରୁ ପ୍ରକୃତ ସତ ପାଇଁ ଏସଆଇଟି କିମ୍ବା ସିବିଆଇ ଦ୍ବାରା ତଦନ୍ତ କରିବାକୁ ସେ ଆବେଦନରେ ଉଲ୍ଲେଖ କରିଛନ୍ତି ।
ଆବେଦନରେ ଦର୍ଶାଯାଇଛି ଯେ, ସେ ଏକାମ୍ର କଲେଜର ଅଧ୍ୟକ୍ଷ ଭାବେ ଅବସର ନେଇଥିବା ବେଳେ ତାଙ୍କୁ ଏବେ 84 ବର୍ଷ ବୟସ । 1992ରେ ଉଚ୍ଚରକ୍ତ ଚାପ ଯୋଗୁଁ ତାଙ୍କର ବ୍ରେନ୍ ଷ୍ଟ୍ରୋକ୍ ହୋଇଥିଲା । ସେହି ସମୟରୁ ସେ ଭଲ ଭାବେ କଥା କହି ପାରୁନାହାନ୍ତି । 2017ରେ ତାଙ୍କ ହାର୍ଟ ଅପରେସନ୍ ହେବା ପରେ ସେ ଘରେ ବହୁ କଷ୍ଟରେ ରହୁଛନ୍ତି । ଘରୋଇ ସହାୟକ ଜଣେ ଯୋଗଡ ପାଇଁ ସେ ବ୍ରହ୍ମାନନ୍ଦଙ୍କୁ ଅନୁରୋଧ କରିଥିଲେ । 2019ରୁ ପୀଡିତା ତାଙ୍କ ଘରେ କାମ କରୁଥିଲେ । ପ୍ରଫୁଲ୍ଲଙ୍କ ଘରେ ରହିବାବେଳେ ପୀଡିତା ନିର୍ଦ୍ଦିଷ୍ଟ ଫୋନ୍ ନମ୍ବରରେ ଜଣେ ଯୁବକ ସହିତ ଚାଟିଂ କରୁଥିଲେ । ଏଭଳି ଘଟଣା ପ୍ରଫୁଲ୍ଲଙ୍କ ପତ୍ନୀଙ୍କ ଦୃଷ୍ଟିକୁ ଆସିବା ପରେ ସେମାନେ ପୀଡିତାଙ୍କୁ ଘରୁ ବାହାର କରିବାକୁ ନିଷ୍ପତ୍ତି ନେଇଥିଲେ ।
ସେହିପରି ପୀଡିତାଙ୍କ ମା’ ନିଜ ନାମ ପରିବର୍ତ୍ତନ କରି 2018ରେ ତାଙ୍କ ଝିଅକୁ ଜଣେ ବ୍ୟକ୍ତିଙ୍କ ବିରୋଧରେ ଦୁଷ୍କର୍ମ ନେଇ ଅଭିଯୋଗ କରିଥିଲେ ଓ ବାଲିଚନ୍ଦ୍ରପୁର ଥାନା ପୋଲିସ ଆଇପିସିର ଦଫା 376 ଓ ପୋକସୋ ଆଇନରେ ରୁଜୁ କରିଥିବା ମାମଲା ଏବେ ବିଚାରଧୀନ ରହିଛି । ଏହି ସମସ୍ତ ଘଟଣା ଏହି ପ୍ରସଙ୍ଗକୁ ଜଟିଳ କରିଥିବାବେଳେ ଏସଆଇଟି କିମ୍ବା ସିବିଆଇ ଦ୍ବାରା ତଦନ୍ତ କରାଗଲେ ପ୍ରକୃତ ସତ୍ୟ ପଦାକୁ ଆସିବ ବୋଲି ଆବେଦନରେ ଦର୍ଶାଯାଇଛି ।
କଟକରୁ ନାରାୟଣ ସାହୁ, ଇଟିଭି ଭାରତ