କଟକ: ଅସହାୟ ନାବାଳକକୁ ଚେଙ୍କ । ମାଡ ସହ ନିର୍ଯାତନା ଦେଉଥିଲା ତାର ନିଜ ଦାଦା ଓ ଖୁଡ଼ି । ୨୦୧୮ ମସିହାରେ ନାବାଳକର ମାଆଙ୍କର ମୃତ୍ୟୁ ହୋଇଥିବା ବେଳେ ବାପାଙ୍କର ଖୋଜଖବର ନାହିଁ । ତେବେ ନାବାଳକର ଅଜା ଓ ଆଈ ତାକୁ ଉଦ୍ଧାର କରି ମର୍କତ ନଗର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ।
ନାବାଳକକୁ ନିର୍ଯାତନା ଦେଉଥିଲେ ଦାଦା ଖୁଡ଼ି, ଥାନାରେ ମାମଲା ରୁଜୁ ସୂଚନା ଅନୁସାରେ ନାବାଳକର ମାଆଙ୍କର ୨୦୧୮ ମସିହାରେ ମୃତ୍ୟୁ ଘଟିଥିଲା । ଏହାପରେ ନାବାଳକକୁ ତାର ଅଜା ଓ ଆଈ ଆଣି ପାଖରେ ରଖିଥିଲେ । କିନ୍ତୁ ତାର ବାପା ଆଉ ଜଣକୁ ଦ୍ବିତୀୟ ବିବାହ କରିବାରୁ ପୁଣିଥରେ ପାଖକୁ ନେଇଥିଲେ । କିନ୍ତୁ ସେ ପାଖରେ ନରଖି ଛୁଆକୁ ତାର ଦାଦା ଓ ଖୁଡ଼ି ପାଖକୁ ପଠାଇ ଦେଇଥିଲେ । ସେଠାରେ ଅଭିଯୁକ୍ତ ଦାଦା ଓ ଖୁଡ଼ି ନାବାଳକକୁ ଘରର ସବୁ କାମ କରାଇବା ସହିତ ନାନା ନିର୍ଯାତନା ଦେଉଥିଲେ ।
ତେବେ ଦଶହରା ଛୁଟିରେ ନାବାଳକର ଅଜା ଓ ଆଈ ତାକୁ ବୁଲାଇବା ପାଇଁ ସାଙ୍ଗରେ ଘରକୁ ନେଇଥିବା ବେଳେ ସେଠାରେ ନିଜ ଆଈଙ୍କୁ ସମସ୍ତ କଥା କହିଥିଲା ନାବାଳକ । ଏହାପରେ ସେମାନେ ଥାନାର ଦ୍ବାରସ୍ତ ହୋଇଛନ୍ତି । ଅଭିଯୁକ୍ତ ଦାଦା ଓ ଖୁଡ଼ିଙ୍କ ନାମରେ ମର୍କତ ନଗର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ଅଭିଯୋଗ ଅନୁସାରେ ନାବାଳକର ଦାଦା ତାକୁ ସବୁଦିନ ବେଲ୍ଟରେ ମାରନ୍ତି । ତାଙ୍କ ଖୁଡ଼ି ମଧ୍ୟ ଗରମ ଲୁହାରେ ନାବାଳକର ବେକ ଓ ହାତରେ ଚେଙ୍କ ଦେଇଛନ୍ତି । ତେବେ ଅଭିଯୋଗ ପରେ ଅଭିଯୁକ୍ତ ଦାଦା ଓ ଖୁଡି ନାଁରେ ଦଫା ୩୨୩, ୩୨୪, ୫୦୬, ୩୪ IPC ଓ ୨୪ ଜୁଭେନାଇଲ ଜଷ୍ଟିସ ଆଧାରରେ ମାମଲା ରୁଜୁ କରିଛି ମର୍କତ ନଗର ଥାନା ପୋଲିସ ।
ଇଟିଭି ଭାରତ, କଟକ