କଟକ: ମଣିଷ ଜୀବନ ଆଗରେ ସବୁ ତୁଛ । କିଏ ବା ସଂସାରରୁ କ’ଣ ନେଇକି ଯିବ । ମରିବା ପର୍ଯ୍ୟନ୍ତ ସମ୍ପତ୍ତି ଭୋଗ କଲାପରେ ଶେଷରେ ଜୁଇ ହେବ ଶେଷ ସମ୍ପତ୍ତି । ଆଉ ମାଟିରେ ମିଶିବ ମଣିଷ ଶରୀର । ତେବେ ଏପରି କହିବାର ଅର୍ଥ, କଟକରେ ଏଭଳି ଏକ ଖବର ସମ୍ନାକୁ ଆସିଛି, ଯେଉଁଠି କୋଟିଏ ଟଙ୍କାର ଅମୂଲ୍ୟ ହୃଦୟବାନ ମହିଳା ଜଣଙ୍କ ନିଜର ସବୁ ସମ୍ପତ୍ତି ତାଙ୍କ କେୟାର ଟେକର ନାଁରେ କରିଦେଇଛନ୍ତି । ଆଉ ସେ ହେଉଛନ୍ତି ମିନତୀ ପଟ୍ଟନାୟକ ।
କୋଟିଏ ଟଙ୍କାର ଅମୂଲ୍ୟ ହୃଦୟ; ଜୀବନ ଆଗରେ ସମ୍ପତ୍ତି ତୁଚ୍ଛ, ସିଲଭରସିଟିର ମହାନ ମିନତୀ ୬ ମାସ ଭିତରେ ଆଗପଛ ହୋଇ ଚାଲିଗଲେ ସ୍ବାମୀ ଓ ଝିଅ । ଏବେ ନିଜର ବୋଲି କେହି ନାହିଁ । ବନ୍ଧୁବାନ୍ଧବ, ନିକଟ ସମ୍ପର୍କୀୟଙ୍କ ଠାରୁ ଯେଉଁ ଶ୍ରଦ୍ଧା, ଭରସା, ସମବେଦନା ଆଶା କରୁଥିଲେ ତାହା ମଧ୍ୟ ହୋଇଗଲା ସାତ ସପନ । ଜୀବନର ସବୁଠାରୁ କଠିନ ସମୟରେ ଆପଣାର ଲୋକେ ଛାଡିଲେ ହାତ । ଏହି ଘଡି ସନ୍ଧି ମୁହୂର୍ତ୍ତରେ ପାଖରେ ଠିଆ ହେବା ପାଇଁ କେହି ବି ନଥିଲେ । ହେଲେ ଏକ ରିକ୍ସା ଚାଳକ, ଯିଏ ଅନେକ ବର୍ଷ ଧରି ମିନତୀଙ୍କୁ କରୁଥିଲା ସେବା, ତାକୁ ହିଁ ନିଜର କରିନେଲେ ଓ ସମସ୍ତ ସମ୍ପତ୍ତି ତା’କୁ ଦାନ କରିଦେଲେ ମିନତୀ ।
ସୁତାହାଟ ଅଞ୍ଚଳର ରହୁନ୍ତି ମିନତୀ ପଟ୍ଟନାୟକ, ବୟସ 63 । ବୟସର ଅପରାହ୍ନରେ ସେ ଏପରି ମହତ୍ୱପୂର୍ଣ୍ଣ କାମ କରିଛନ୍ତି ଯାହା ପାଇଁ ସେ ସମାଜରେ ସ୍ୱତନ୍ତ୍ର ଉଦାହରଣ ସୃଷ୍ଟି କରିପାରିଛନ୍ତି । ନିଜର ସମସ୍ତ ସ୍ଥାବର ଓ ଅସ୍ଥାବର ସମ୍ପତ୍ତିକୁ କରି ଦେଇଛନ୍ତି ଦାନ । ତାଙ୍କ କେୟାର ଟେକର ରିକ୍ସାବାଲା ବୁଢା ସାମଲ ଙ୍କ ନାଁରେ କରିଦେଇଛନ୍ତି ତାଙ୍କର ସମସ୍ତ ସମ୍ପତ୍ତି । ବୁଢ଼ାଙ୍କ ପରିବାରର ମେଳରେ ଓ ସେମାନଙ୍କ ଭରସାରେ ଦିନ କାଟିବା ପାଇଁ ମନ ସ୍ଥିର କରି ନେଇଛନ୍ତି ମିନତୀ ପଟ୍ଟନାୟକ । ସମ୍ବଲପୁରର ଝିଅ ମିନତୀ ପଟ୍ଟନାୟକ ବାହା ହୋଇଥିଲେ କଟକ ସୁତାହାଟ ଅଞ୍ଚଳରେ । ସବୁ ଠିକ ଠାକ ଥିଲା । ହେଲେ ବର୍ଷକ ଭିତରେ ସବୁ ଖୁସି ଦୁଃଖରେ ବଦଳି ଯାଇଥିଲା ।
ସ୍ୱାମୀ କୃଷ୍ଣ କୁମାର ପଟ୍ଟନାୟକଙ୍କ ୨୦୨୦ ମସିହାରେ ଦେହାନ୍ତ ହେବା ପରେ । ଝିଅ କୋମଲ କୁମାରୀ ପଟ୍ଟନାୟକଙ୍କ ମୁହଁକୁ ଚାହିଁ ବାକି ଜୀବନ ବିତାଇ ଦେବେ ବୋଲି ଭାବିଥିଲେ ସେ । ହେଲେ ଝିଅ ବିବାହ କରିବ ନାହିଁ ବୋଲି ସ୍ଥିର କରିଦେଇଥିଲା । କିନ୍ତୁ, ଦୁର୍ଭାଗ୍ୟ ସ୍ଵାମୀଙ୍କର ମୃତ୍ୟୁର ଛଅ ମାସ ପରେ ଝିଅ କୋମଲଙ୍କ ହୃଦଘାତରେ ମୃତ୍ୟୁ ଘଟିଲା । ଏହାପରେ ସମ୍ପୂର୍ଣ୍ଣ ଭାଙ୍ଗିପଡିଲେ ମିନତୀ । ତିନି ମହଲା ବିଶିଷ୍ଟ ଏତେ ବଡ଼ ଘରେ ଏକୁଟିଆ ଅସହାୟ ଭାବରେ ଦିନ କଟିଲେ ମିନତୀ । ବନ୍ଧୁ ବାନ୍ଧବ ସମ୍ପର୍କୀୟ କେହି ପଚାରିଲେ ନାହିଁ । କିଏ କିଏ ଆସି କେବଳ ସମବେଦନା ଜଣାଇ ନିଜ ବାଟରେ ଫେରିଗଲେ । ଜୀବନର ଅପରାହ୍ନ ସମୟରେ ରିସ୍କା ଚାଳକ ବୁଢା ସାମଲ, ମିନତୀଙ୍କ ପାଖରେ ହୋଇଥିଲେ ସାହା । ପଟ୍ଟନାୟକ ପରିବାର ସହ ସାମଲ ରିକ୍ସାବାଲାର ସମ୍ପର୍କ ଦୀର୍ଘ ବର୍ଷର । ଘରର ସମସ୍ତ କାର୍ଯ୍ୟ କରନ୍ତି ବୁଢା । ଝିଅକୁ ସ୍କୁଲ ନେବା ଆଣିବା ଠାରୁ ଆରମ୍ଭ କରି ଅନ୍ୟାନ୍ୟ କାମ ସବୁ କରନ୍ତି ସେ । ସ୍ୱାମୀ ଓ ଝିଅ ଯିବାପରେ କେବଳ ବୁଢା ନୁହନ୍ତି ତାଙ୍କ ସ୍ତ୍ରୀ ବୁଟି ମଧ୍ୟ ମିନତୀଙ୍କ ଆରମ୍ଭ କରିଥିଲେ ସେବା । ତେବେ ଏହି ସେବାରେ ସନ୍ତୁଷ୍ଟ ହୋଇ ବୁଢା ସାମଲକୁ ସମସ୍ତ ସମ୍ପତ୍ତି ଦେଇ ଏକ ମହାନ କାର୍ଯ୍ୟ କରିଛନ୍ତି ମିନତୀ ।
ଗତ ତିନି ମାସ ଧରି ବୁଢ଼ାଙ୍କ ପରିବାର ମିନତୀଙ୍କ ଘରେ ରହିଆସୁଛନ୍ତି । ବୁଢା ଓ ତାଙ୍କ ପରିବାର ସଦସ୍ୟଙ୍କ ଆଚରଣ ଓ ବ୍ୟବହାର ସେବା ଯତ୍ନରେ ମିନତୀ ଏତେ ଖୁସୀ, ଯେପରି ଲାଗୁଚି ଗୋଟିଏ ପରିବାର । ମିନତୀ ନାମରେ ଥିବା ପ୍ରାୟ ଏକଗୁଣ୍ଠ ଜମି, ତିନି ମହଲା ଘର, ଅନ୍ୟାନ୍ୟ ସମ୍ପତ୍ତି ରିକ୍ସାଚାଳକ ବୁଢା ସାମଲଙ୍କ ନାମରେ ଓକିଲଙ୍କ ଉପସ୍ଥିତରେ ଗତକାଲି ସମସ୍ତ କାଗଜ ପତ୍ରକୁ ସେ ବୁଢ଼ାଙ୍କ ହସ୍ତାନ୍ତର କରିଛନ୍ତି ।
ଏ ସମ୍ପର୍କରେ ପଚାରିଲେ ମିନତୀ କୁହନ୍ତି, ବୁଢ଼ାଙ୍କ ପରିବାରରୁ ମୋତେ ଯେଉଁ ସ୍ନେହ, ଶ୍ରଦ୍ଧା, ଭଲପାଇବା ମିଳିଛି, ତାହା ଆଗରେ ଏ ସମ୍ପତ୍ତି ତୁଚ୍ଛ । ଭଲ ମନ୍ଦରେ ଏହି ପରିବାର ମୋ ସହ ସବୁବେଳେ ଠିଆ ହୋଇଛନ୍ତି । ଯେଉଁ ସମ୍ପକୀୟ ମାନେ ସମ୍ପର୍କର ମୂଲ୍ୟବୋଧ ବୁଝିନାହାଁନ୍ତି । ସେହି ସ୍ଥିତିରେ ଏ ଗରିବ ପରିବାରଟି ମୋ ଦୁଃଖ ବୁଝିଛନ୍ତି । ଶେଷ ଜୀବନ ତକ ଏମାନଙ୍କ ପାଖରେ ବିତାଇ ଏ ଦୁନିଆରୁ ବିଦାୟ ନେବି ବୋଲି ମିନତୀ କହିଛନ୍ତି । ଅନ୍ୟପଟେ ଏହି ସମ୍ପତ୍ତି ପ୍ରତି ବୁଢା ସାମଲଙ୍କ ଇଚ୍ଛା ନଥିଲା, ହେଲେ ମିନତୀଙ୍କ ଦାନ ଯୋଗୁଁ ବହୁତ ଖୁସି ଥିବା କହିଛନ୍ତି ବୁଢା ସାମଲ ।
ଅନ୍ୟପଟେ ସାହିପଡିସା ମଧ୍ୟ ମିନତୀଙ୍କୁ ଦେଇଛନ୍ତି ଅନେକ ଭଲପାଇବା ଓ ସାହାଯ୍ୟ । ବୁଢା ସାମଲଙ୍କ ଉପସ୍ଥିତି ମିନତୀଙ୍କୁ ଅନେକ ଦୁଃଖ କଷ୍ଟରୁ ମୁକ୍ତି ଦେଇଛି ବୋଲି କୁହନ୍ତି ପଡୋଶୀ । ତେବେ ମିନତୀ ବାକି ଜୀବନରେ କେବେ କଷ୍ଟ ନଦେଖି ଶାନ୍ତିର ବଞ୍ଚନ୍ତୁ ବୋଲି ଆଶା ରଖିଛନ୍ତି ପଡୋଶୀ ।
ତେବେ ଏହି ମହାନ କାର୍ଯ୍ୟ ପାଇଁ ମିନତୀ ଏବେ ରାଜ୍ୟରେ କୋଣ ଅନୁକୋଣରେ ପାଲଟିଛନ୍ତି ଉଦାହରଣ । ନିଜର ଯେବେ ପର ହୁଏ ସେତେବେଳେ ଏପରି ଦୃଶ୍ୟ ସମ୍ନାକୁ ଆସେ । ତେବେ ଏହି ବାର୍ତ୍ତା ସମାଜରେ ଏକ ସକାରାତ୍ମକ ବାର୍ତ୍ତା ପ୍ରଦାନ କରିବାରେ ସହଯୋଗ କରିବ ବୋଲି ଆଶା ।
କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ