କଟକ: ବିବାହ ସିଜିନ ଆସିଲେ ବଡ ବଡ ହଣ୍ଡା, କଢେଇ, ଚାମଚ ଓ ବାଲ୍ଟି ଇତ୍ୟାଦି ଜିନିଷର ଆବଶ୍ୟକତା ବଢି ଯାଇଥାଏ । ହେଲେ ଲକଡାଉନ ଯୋଗୁଁ ଘର ଭିତରେ ବନ୍ଦୀ ଏ ସମସ୍ତ ଜିନିଷ । ସମ୍ପୂର୍ଣ୍ଣ ଭାବରେ ଠପ୍ ହୋଇପଡିଛି କ୍ୟାଟରିଂ ବ୍ୟବସାୟ। ଲକଡାଉନ ପାଇଁ ବିବାହ ଉତ୍ସବ ତଥା ଜନସମାବେଶ ଉପରେ ଲାଗିଛି କଟକଣା । କେବଳ 50 ଜଣଙ୍କ ପାଇଁ ଭୋଜି ଆୟୋଜନର ଅନୁମତି ଦିଆଯାଇଛି । ଫଳରେ ବର୍ତ୍ତମାନ ସମୟରେ ଯେଉଁମାନଙ୍କ ଭୋଜି ହେଉଛି, ସେମାନେ କ୍ୟାଟରିଂକୁ ନଦେଇ ନିଜେ ଆୟୋଜନ କରୁଛନ୍ତି। ଯାହାଦ୍ବାରା କ୍ୟାଟରିଂ ବ୍ୟବସାୟ ବାଧାପ୍ରାପ୍ତ ହୋଇଛି । ସେପଟେ 50 ନୁହେଁ, ଏହି ସଂଖ୍ୟା ଆହୁରି ବଢାଇବା ପାଇଁ କ୍ୟାଟରିଂ ବ୍ୟବସାୟୀ ରାଜ୍ୟ ସରକାରଙ୍କୁ ଅନୁରୋଧ କରିଛନ୍ତି।
ଇଏ ହେଉଛନ୍ତି ସିଧାର୍ଥ ଶେଖର । ଗତ ଡିସେମ୍ବର ମାସରେ କ୍ୟାଟରିଂ ବ୍ୟବସାୟ ପାଇଁ ଅଣ୍ଟା ଭିଡିଥିଲେ ସିଦ୍ଧାର୍ଥ। ବ୍ୟାଙ୍କରୁ ୮ ଲକ୍ଷ ଟଙ୍କା ଋଣ ଆଣି କ୍ୟାଟରିଂ ସାମଗ୍ରୀ କିଣିଥିଲେ। ଆଶାଥିଲା ବିବାହ ଋତୁରେ ଭଲ ବ୍ୟବସାୟ ହେବ । ହେଲେ ମାର୍ଚ୍ଚ ମାସରୁ ଲକଡାଉନ କରାଯିବା ପରେ ସବୁ ଆଶା ସତେ ଯେପରି ପାଣି ଫୋଟକା ପରି ମିଳାଇ ଯାଇଛି । ବ୍ୟବସାୟ ତ ଦୂରର କଥା ଏବେ କିନ୍ତୁ ପ୍ରତି ମାସରେ ଘର ଭଡା ବାବଦକୁ ୨୦ ହଜାର ଟଙ୍କା ଦେବାକୁ ପଡୁଛି । ସେହିପରି ବ୍ୟାଙ୍କକୁ ବି ପ୍ରତି ମାସରେ କିସ୍ତି ଦେବାକୁ ପଡୁଛି। ଏଭଳି ସ୍ଥିତିରେ ପ୍ରତି ମାସର କିସ୍ତିକୁ ସ୍ଥଗିତ ରଖିବାକୁ ସରକାରଙ୍କ ନିକଟରେ ଅନୁରୋଧ କରିଛନ୍ତି ବ୍ୟବସାୟୀ ।