କଟକ: ସୋମବାରରୁ ହାଇକୋର୍ଟରେ ଆରମ୍ଭ ହେଲା ମାମଲା ଗୁଡ଼ିକର ଲାଇଭଷ୍ଟ୍ରିମିଂ ବା ସିଧାପ୍ରସାରଣ । ତେବେ କିଛି ନିର୍ଦ୍ଧିଷ୍ଟ ମାମଲାକୁ ଏହି ସିଧା ପ୍ରସାରଣ ତାଲିକାରୁ ବାଦ ଦେଇଛନ୍ତି ହାଇକୋର୍ଟ । ହାଇକୋର୍ଟରେ ଶୁଣାଣି ହେଉଥିବା ମାମଲାଗୁଡ଼ିକର ଲାଇଭଷ୍ଟ୍ରିମିଂ କରିବା ପାଇଁ ଗତ ମାସ 28 ତାରିଖରେ ହାଇକୋର୍ଟ ଏକ ଏକ ବିଜ୍ଞପ୍ତି ଜାରି କରିଥିଲେ ।
‘ହାଇକୋର୍ଟ ଅଫ୍ ଓଡ଼ିଶା ଲାଇଭ୍ ଷ୍ଟ୍ରିମିଂ ଅଫ୍ କୋର୍ଟ ପ୍ରୋସିଡିଂସ ରୁଲ୍ସ, ୨୦୨୧’ ( High Courts of Odisha live streaming of court proceedings rules,2021) ପ୍ରଣୟନ କରି ଅଗଷ୍ଟ ୨ ତାରିଖରୁ ସିଧାପ୍ରସାରଣ ବା ଲାଇଭଷ୍ଟ୍ରିମିଂ କାର୍ଯ୍ୟ ଆରମ୍ଭ ହେବ ବୋଲି ହାଇକୋର୍ଟ ଏକ ବିଜ୍ଞପ୍ତିରେ ଉଲ୍ଲେଖ କରିଥିଲେ । ଫଳରେ ଲୋକେ ଘରେ ବସି ମାମଲା ଶୁଣାଣିର ଲାଇଭ ଟେଲିକାଷ୍ଟ ଦେଖିପାରିବେ। କିନ୍ତୁ ଅତି ସମ୍ବେଦନଶୀଳ ତଥା ସମାଜପ୍ରତି ବିଦ୍ବେଷକାରୀ ମାମଲା ଗୁଡିକର ହେବନାହିଁ ସିଧାପ୍ରସାରଣ । ଦୁଷ୍କର୍ମ, ବାଳ ଅପରାଧ, ବୈବାହିକ, ମହିଳା ନିର୍ଯ୍ୟାତନା, ଶିଶୁ ନିର୍ଯ୍ୟାତନା,ହେଭିଅସ କର୍ପସ ଓ ଆଇନ ଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହେବା ଭଳି ମାମଲାର ଲାଇଭ ଟେଲିକାଷ୍ଟ କରାଯିବ ନାହିଁ।