କଟକ: ପାର୍ବଣ ଆସିଲେ ଉତ୍ସବମୁଖର ହୋଇଉଠେ ସିଲଭରସିଟି । କାରଣ କୁହାଯାଏ ଧରା ଅବତରଣ କରନ୍ତି ମାଆ ଆଦ୍ୟାଶକ୍ତି । ସବୁ ଶକ୍ତି ପୀଠରେ ହୁଏ ମା'ଙ୍କ ବିଧି ପୂର୍ବକ ପୂଜାର୍ଚ୍ଚନା । ଷୋଡ଼ଶ ଉପଚାର ପୂଜା ଠୁ ଆରମ୍ଭ ହୋଇଯାଏ ମା'ଙ୍କ ବିଭିନ୍ନ ଅପୂର୍ବ ବେଶ । ଏହି ବେଶକୁ ଦେଖିବା ପାଇଁ ରାଜ୍ୟର କୋଣ ଅନୁକୋଣରୁ ଛୁଟେ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ସୁଅ ।
ତେବେ ସମସ୍ତ ଶକ୍ତିପୀଠ ମଧ୍ୟରେ କଟକ ଚଣ୍ଡୀ ହେଉଛନ୍ତି ଅନ୍ୟତମ । ସବୁ ପୀଠର ଯଥା ସମ୍ଭବ ଇତିହାସ ରହିଛି । ହେଲେ ଏହି ମା' କଟକ ଚଣ୍ଡୀ କେବେ ଏହି ସ୍ଥାନକୁ ଆସିଲେ ତାହା କହିବା କଷ୍ଟ । କେତେ ପିଢ଼ି ଚାଲି ଗଲାଣି ହେଲେ କେହି ଜାଣିନାହିଁ କଟକ ଚଣ୍ଡୀଙ୍କ ଆବିର୍ଭାବ କେବେ ?
ଲୋକକଥା ଅନୁସାରେ କନିକା ରାଜାଙ୍କ ଶାସନକାଳ ସମୟରେ ଏଠାରେ ମା'ଙ୍କ ସ୍ଥାପନା ହୋଇଛି । ଦିନେ କନିକା ରାଜାଙ୍କ ଚଣ୍ଡୀ ପୂଜକ ହଂସନାଦ ପଣ୍ଡା ଜଙ୍ଗଲକୁ ଗାଈ ଚରାଇବା ପାଇଁ ଯାଇଥିଲେ । ଏହି ସମୟରେ ସେ ବାରବାଟୀ ଦୁର୍ଗର ଏକ ପଥର ଗଦା ଉପରେ ବସିପଡିବାରୁ ତାହା ଥରିବାକୁ ଲାଗିଥିଲା ଓ ତାଙ୍କ ଶରୀରରେ ଏକ ଅପୂର୍ବ ସିହରଣ ଖେଳି ଯାଇଥିଲା । ସେହିଦିନ ରାତିରେ ମା'ଙ୍କୁ ସ୍ବପ୍ନ ଦେଖିଥିଲେ ପୂଜକ ଆଉ ଏ ବାବଦରେ କନିକା ରାଜାଙ୍କୁ କହିଥିଲେ ।